Unknown

 

 

 

 

 

 

 

 

 

ପ୍ରତୀକ୍ଷା

କାହ୍ନୁଚରଣ ମହାନ୍ତି

 

ସନ୍ଧ୍ୟା ଅତିକ୍ରମ କରିଗଲା । ପ୍ରକୃତିକୁ ନୀରବ କରି ରାତ୍ରି ତାର ଚାନ୍ଦିନୀ ପରଦାଟି ଆକାଶର କ୍ଲାନ୍ତ ବୁକୁ ଉପରେ ଲମ୍ବାଇ ଦେଲା । ତ୍ରୟୋଦଶୀର ଉଜ୍ଜ୍ୱଳ ଜହ୍ନ ଆକାଶ ଉପରେ ତା’ର ଭଗ୍ନ ନଗ୍ନ ଦେହଟିକୁ ଖଣ୍ଡ ବଉଦର ଅନ୍ତରାଳରେ ଲୁଚାଇବାରେ ବ୍ୟସ୍ତ । ଅଂଶୁପା କୂଳରେ ଖଣ୍ଡେ ଉଚ୍ଚ ପଥର ଆସନ ଉପରେ ବସି ଜୟନ୍ତୀ ପ୍ରକୃତିର ଶୋଭା ଦେଖି ଆତ୍ମହରା ହେଉଥିଲେ । ସନ୍ଧ୍ୟାର ଶୀତଳ ସମୀର ଲହରରେ ଅଙ୍ଗଲତା ଶିହରି ଉଠୁଥିଲା । କିପରି ସେ ଜୟନ୍ତ ଆଗରେ ପ୍ରାଣର ଗୋପନ କଥା ମନର ଅନନ୍ତ ବ୍ୟଥା ପ୍ରକାଶ କରିବେ ? ଜୟନ୍ତ କାଲିକାର ପିଲା, କଣ ବୁଝିବ ଦୁନିଆର କଥା ?

 

ସେ ଜୟନ୍ତକୁ ଚାହିଁଲେ । ଜୟନ୍ତ ମାତାଙ୍କର ପାଖକୁ ଆଉଜି ବସି ଅଂଶୁପାର ଆର ପାଖରେ ଦେଖାଯାଉଥିବା କେତେଗୁଡ଼ିଏ ଆଲୁଅକୁ ଚାହିଁରହିଥିଲା । ମନରେ ଆଜି ତା’ର ଆନନ୍ଦ । ମା’ଙ୍କ ମୁହଁରୁ ଅତୀତର ପ୍ରତ୍ୟେକ ଘଟଣା ସେ ଶୁଣିବ, ତେଣିକି ସେ ତାର କାର୍ଯ୍ୟପନ୍ଥା ସ୍ଥିର କରିବ-

 

କୋଡ଼ିଏ ବର୍ଷର ଯୁବକ ସେ, ହେତୁ ପାଇଲା ଦିନରୁ ସେ ଏଇ ସରଣ୍ଡାଗଡ଼ ପାହାଡ଼ତଳ ଅରଣ୍ୟ ପ୍ରାନ୍ତରେ, ଛୋଟ କୁଟୀରଟିରେ ମାତାଙ୍କ ପାଖରେ ବଢ଼ିଆସିଛି । ଅତି ଦୁଃଖ କଷ୍ଟରେ ସମୟାତିବାହିତ କରିଛି । ମାତା ତାର ସନ୍ନ୍ୟାସିନୀ । ଜୀବନଧାରଣ ପାଇଁ ନିଜେ ସେ ନିକଟ ଗ୍ରାମ ସୁବର୍ଣ୍ଣପୁରରେ ଅନ୍ୟମାନଙ୍କ ଘରେ କାର୍ଯ୍ୟ କରନ୍ତି । ଜୟନ୍ତ ବି ତାଙ୍କରି ସଙ୍ଗେ ଥାଏ । ପରଘରର ଘରଣୀମାନେ ଯେଉଁ କାର୍ଯ୍ୟ ବତାନ୍ତି ସେ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ବାରକଥା ଶୁଣିଲେ ମଧ୍ୟ ସେ ଛଳ କରନ୍ତି ନାହିଁ । ଆଖିରୁ ଲୁହ ବହିଯାଏ କିନ୍ତୁ ମୁହଁରେ ହସ ।

 

ଜୟନ୍ତୀ ଥିଲେ ପ୍ରହେଳିକା । ଲୋକାପବାଦ ଶୁଣି ମଧ୍ୟ ସେ ପାହାଡ଼ ପରି ଅଟଳ ଥିଲେ-। ନିଜେ ସେ ଜୟନ୍ତକୁ ଶିକ୍ଷା ଦେଉଥିଲେ । କାଳକ୍ରମେ ଜୟନ୍ତ ଅଧିକ ପଢ଼ିବାକୁ ଉପଯୁକ୍ତ ହେଲାରୁ ଓ ତାର ବୟସ ବଢ଼ିଆସିବାରୁ ତାକୁ ସେ ଗ୍ରାମର ଚାଟଶାଳୀକୁ ପଠାଇଲେ । ସମସ୍ତେ ଜାଣନ୍ତି ଏହି ଅନାଥ ବାଳକଟି କେଉଁ ବିଜୟ ସିଂହଙ୍କର ପୁତ୍ର । କିଏ ସେ ବିଜୟ ସିଂହ, ସେ କେଉଁଠି ଥାଆନ୍ତି, କଅଣ କରନ୍ତି, ଏକଥା କେହି ଜାଣନ୍ତି ନାହିଁ । ଜୟନ୍ତୀ ଭୁଲବଶତଃ ବି କେବେ କାହାରି ପାଖରେ ପ୍ରକାଶ କରନ୍ତି ନାହିଁ । ଲୋକଙ୍କର ଧାରଣା, ବିଜୟ ସିଂହ ଯିଏ ହେଉନ୍ତୁ ପଛେ ସେ ଏହି ନାରୀ ଓ ତାର ପୁତ୍ରକୁ ପରିତ୍ୟାଗ କରିଛନ୍ତି । କାହିଁକି, କାହିଁକି ସ୍ୱାମୀ ଏପରି ଭୁବନମୋହିନୀ ପତ୍ନୀ ଓ ଇନ୍ଦ୍ର-କନ୍ଦର୍ପ ପରି ପୁତ୍ରକୁ ପରିତ୍ୟାଗ କରିପାରେ ?

 

ଲୋକେ କେତେକଥା ଅନୁମାନ କରନ୍ତି । ଅପବାଦ ଓ ତୁଣ୍ଡବାଇଦ ମୁହଁରୁ ମୁହଁ ଡେଇଁଡେଇଁକା ଚାଲେ । କିଏ ତାର ଉତ୍ତର ଦେବ ? ତପସ୍ୱିନୀ ଜୟନ୍ତୀ ତ ନୀରବ । ପୂର୍ଣ୍ଣିମା ଚନ୍ଦ୍ରପରି ସୁନ୍ଦର ସୁଠାମ ମୁଖରେ ଅଳପ ମଧୁର ହସ । ନକ୍ଷତ୍ର ପରି ଝଟକିଲା ନେତ୍ର ଦୁଇଟିରେ ଦୁଇବିନ୍ଦୁ ବାରି । ସେତିକି ତାଙ୍କର ଉତ୍ତର ।

 

ସେ ବିଦୁଷୀ–ଏହା ମଧ୍ୟ ଲୋକଙ୍କୁ ଆଗୋଚର ରହିଲା ନାହିଁ । କାମୁକର ଲୋଲୁପ ଦୃଷ୍ଟି ସେହି ପ୍ରଜ୍ଜ୍ୱଳିତ ପ୍ରତିମାକୁ ବେଷ୍ଟନ କରେ; ଛଟପଟ ଆକୁଳ ବିକଳ ହୁଏ । ଥରିଲା ଓଠରୁ ପ୍ରେମ ସମ୍ଭାଷଣ ଡରି ଡରି ବାହାରିଆସେ । ଜୟନ୍ତୀଙ୍କର ସ୍ନେହଶୀଳ ପବିତ୍ର ଓଠରୁ ଧୀର ଓ ତୀକ୍ଷ୍ଣ ବାଣୀ ବାହାରେ, ମୁଁ ତପସ୍ୱିନୀ, ମୁଁ ବ୍ରହ୍ମଚାରିଣୀ, ମୁଁ ତୁମର ଜନନୀସଦୃଶା ! କାମୁକର ଲୋଲୁପ ଦୃଷ୍ଟି ତାଙ୍କର ପଦଲେହନ କରେ । ମନ ଶରଣ ପଶେ ।

 

ହଁ, ସେ ପ୍ରହେଳିକା । କିଏ ତାଙ୍କର ଜନନୀ ଜନକ ? କେଉଁଠି ତାଙ୍କର ନିବାସ ? କିଏ ସେ ସନ୍ନ୍ୟାସୀ ଯିଏ ବେଳେ ବେଳେ ଆସି ଜୟନ୍ତୀଙ୍କୁ ଦେଖାଦିଅନ୍ତି ? ତାଙ୍କୁ ଓ ଜୟନ୍ତକୁ ଆଶୀର୍ବାଦ କରି ପୁଣି କୁଆଡ଼େ ଚାଲିଯାଆନ୍ତି । ସେଇ କଣ ଛଦ୍ମବେଶୀ ବିଜୟ ସିଂହ ? କାହିଁକି ସେ ସନ୍ନ୍ୟାସୀ ହେଲେ ? ଲୋକଙ୍କର ପ୍ରଶ୍ନ ମନରେ ମରେ ।

 

ଧୀରେ ଧୀରେ ବଢ଼ିଉଠୁଛି ଏ ଜୟନ୍ତ ! ବିଚକ୍ଷଣ ବୁଦ୍ଧି, ସବୁ ବିଦ୍ୟା ସବୁ କର୍ମରେ ନିପୁଣ । ଦେହରେ ସିଂହର ପରାକ୍ରମ । ଅସ୍ତ୍ରଚାଳନା କୈାଶଳ ଦେଖି ଖଣ୍ଡାୟତମାନେ ଆଶ୍ଚର୍ଯ୍ୟ ଓ ମୁଗ୍‌ଧ ହୁଅନ୍ତି । କନ୍ଦର୍ପ ରୂପକୁ କେତେ ମୁଗ୍‌ଧା ତରୁଣୀଙ୍କର ଦୃଷ୍ଟି ଆକର୍ଷେ । ଜୟନ୍ତର ସରଳ ଚାହାଁଣୀ ଉତ୍ତର ଦିଏ, ତୁମେ ମୋର ମାତା, ତୁମେ ତ ମୋର ଭଗିନୀ ।

 

ଜୟନ୍ତ ଅପବାଦ ଶୁଣେ । ଜନନୀ ପାଖରେ ମୁହଁ ଶୁଖାଇ ବସେ । ସ୍ନେହମୟୀ ପୁତ୍ରକୁ ଚୁମ୍ବନ କରି କହନ୍ତି, ବାପ ତୁ ସିଂହ ଶିଶୁ । ତୁ ବଡ଼ ହେଲେ, ପିତାର ସ୍ୱରୂପ ହେଲେ, ମୁଁ ତୋତେ ସବୁ କହିବି । ଧୈର୍ଯ୍ୟ ଧର, ଲୋକଙ୍କ କଥାରେ ଛଳ କରନା, ହସି ଦେ । ନୀରବ ରହ ।

 

ଜୟନ୍ତୀ ପୁଅର ମୁଣ୍ଡରେ ହାତ ରଖି କହିଲେ–ବାପ, ତୋ ପାଖରେ ମୋ ଅତୀତ ଇତିହାସ କହିବାକୁ ଆଜି ଆଉ କିଛି ଆପତ୍ତି ନାହିଁ । ପ୍ରତ୍ୟେକ ଘଟଣା ମନର ଭାବ ଓ ପ୍ରବୃତ୍ତିର ପ୍ରରୋଚନାର ଫଳ । ଗୋଟିକୁ ଲୁଚାଇ ଅନ୍ୟଟିକୁ କହିଲେ କଥାର ସମ୍ବନ୍ଧ ଭାଙ୍ଗିଯିବାର ଭୟ । କିଛି ନ ଲୁଚାଇ ତୋ ଆଗରେ ସବୁ କଥା କହିବାକୁ ମୋର କାହିଁକି ଇଚ୍ଛା ହେଉନାହିଁ । ତୁ ଯେ ସବୁ ବୁଝିପାରିବୁ ସେ ବିଷୟରେ ମୁଁ ଏବେ ବି ସନ୍ଦେହରେ ପଡ଼ିଛି । ପ୍ରେମ ବା ନାରୀ-ପୁରୁଷର ପରସ୍ପର ଆକର୍ଷଣ ଓ ମୋହ କଥା ବୁଝିବା ତୋ ପକ୍ଷେ ସହଜ ହେବ ନାହିଁ । ତଥାପି ବାପ, କହୁଛି ଶୁଣ, ସମାଜ କହେ ପୁତ୍ର ପାଖରେ ଜନନୀ ମୁଖରୁ ଏହି ସ୍ତ୍ରୀ-ପୁରୁଷ ସମ୍ବନ୍ଧୀୟ ମୋହ ବିଷୟକ କୈାଣସି କଥା ଶୁଣିବା ନୀତିବିରୁଦ୍ଧ; କିନ୍ତୁ ବାପ, ଯେଉଁ ମା’ ତୋର ଦେହକୁ ତାର ରକ୍ତମାଂସ ଦେଇ ଗଢ଼ିଛି, ତୋତେ ହସି ଖେଳି ଶିଖାଇଛି, ସବୁ ଶିଖାଇଛି, ଲଜ୍ଜା ବା ନୀତିର ପ୍ରଭାବରେ ପ୍ରଭାବିତ ହୋଇ ଜୀବନର ପ୍ରଧାନ ଘଟଣା କହିବାକୁ ପଛାଇବ କାହିଁକି ? ପୁରୁଷ ସ୍ତ୍ରୀର ସମ୍ବନ୍ଧ ! ଜୀବନ ଉପରେ ପ୍ରେମ, ମୋହ ଓ ଆକର୍ଷଣର ପ୍ରଭାବ ଅଳ୍ପ ନୁହେଁ ବୋଲି ମୁଁ ଏହା କହିବାକୁ ବସିଛି । ଶୁଣ ତେବେ–

 

ଜୟନ୍ତୀ ପୁଅକୁ ଆହୁରି ନିକଟକୁ ଘୁଞ୍ଚାଇ ଆଣି ଆରମ୍ଭ କଲେ–

 

ଆଜି ଦୁନିଆଁର ସବୁ ଚିଜ ମୋ ଆଖିକି ଯେପରି ଦିଶୁଛି ସେତେବେଳେତ ସେପରି ଦିଶୁ ନଥିଲା । ମୁଁ ଥିଲି ପିଲା, କୋମଳମନା ସରଳା ନଅ ଦଶ ବର୍ଷର ଝିଅ । ଭଲମନ୍ଦ କାହାକୁ କହନ୍ତି ମନ ବୁଝୁ ନଥିଲା । ପ୍ରତି କଥାରେ ଯେ ଆଲୁଅ ଛାଇର ସମ୍ବନ୍ଧ ପରି ଭଲମନ୍ଦ ଦିଟା ପାଖ ଥାଏ, ଏ ବିଷୟ ଜାଣିବାକୁ ମୋର ଆଗ୍ରହ ନଥିଲା । ଯହିଁରେ ଆନନ୍ଦ ଭୋଗ କରିପାରୁଥିଲି ତାକୁହିଁ ଭଲ ବୋଲି ଗ୍ରହଣ କରିନେଉଥିଲି । ସେହି ଆନନ୍ଦ ଉପଭୋଗର ମଝିରେ ପ୍ରତିବନ୍ଧକ ହାବୁଡ଼ିଲେ ମନେକରୁଥିଲି, ଏହାହିଁ ମୋର ଶତ୍ରୁ ।

 

ରଙ୍ଗୀନ ପ୍ରଜାପତି ପରି ଆମର ସେହି ଛୋଟ ଗାଁରେ ପ୍ରତିସ୍ଥାନରେ ଘୂରିବୁଲୁଥାଏ । ସାଥିରେ ଗାଁ ପିଲାଏ ଥାନ୍ତି । ହୁଏତ ମୁଁ ପିଲାଯାକରେ ଦେଖିବାକୁ ସୁନ୍ଦର ବୋଲି କି ମୋର ବ୍ୟବହାର ଢଙ୍ଗଢାଙ୍ଗ ଗାଁ ଲୋକଙ୍କୁ ଭଲଲାଗେ କି ମୁଁ ଗଉଁତିଆ ନରୋତ୍ତମ ରାୟ ମହାସିଂହଙ୍କର ଏକମାତ୍ର ଅଲିଅଳ ଝିଅ ବୋଲି ଲୋକେ ମୋତେ ଆଦର କରନ୍ତି ।

 

ନରସିଂହପୁର ଗାଁଟି ଛୋଟ । ଡାହାଣ ପାଖେ ମହାନଦୀ, ବାଁ ପାଖରେ ଅରଣ୍ୟ । ଆଗରେ ଛୋଟ ପାହାଡ଼ । ପଛପଟକୁ ହରିପୁର । ସେଇଟି ଆହୁରି ଖଣ୍ଡେ ଛୋଟ ଗାଁ । ଦି ଗାଁ ମଝିରେ ବଡ଼ ପଳାସବଣ । ମଝିରେ ଶ୍ରୀଜୟଗୋପାଳ ଠାକୁରଙ୍କ ମନ୍ଦିର । ମୋ ଚିରସ୍ମରଣୀୟ, ମୋ ଜୀବନର ସୁଖ ଦୁଃଖ, ମୋ ଅତୀତର ସବୁ ସ୍ମୃତି ଏହି ଛୋଟ ମନ୍ଦିରଟି ସଙ୍ଗେ ଅତି ଘନିଷ୍ଠଭାବେ ବନ୍ଧା । ସାରା ଦି’ପହର କଟାଉଁ ମନ୍ଦିରର ମୁଖଶିଆଳିରେ । ନାନାଜାତିର ଖେଳ ଖେଳୁଁ ସେଠି ।

 

ଦିନେ ଦିନେ ଖେଳୁ ଖେଳୁ ମୋତେ ନିଦ ମାଡ଼େ । ଆଉ ପିଲାଏ ଜଙ୍ଗଲକୁ ଖେଳିବାକୁ ବାହାରିଯାନ୍ତି । ମୁଁ ଏକା ସେହି ମୁଖଶିଆଳିରେ କାନିପାରି ଶୋଇପଡ଼େ । ଛାଇ ନେଉଟେ, ବେଳବୁଡ଼ି ଆସେ, ମୁଁ ଜାଣିପାରେ ନାହିଁ । ଉଠି ଦେଖେ, ଗାଁ ପିଲାଏ ମୋତେ ଏକୁଟିଆ ଛାଡ଼ି ଚାଲିଗଲେଣି । ମୋତେ ଡର ମାଡ଼େ । ମୁଁ ଧାଇଁ ଧାଇଁ ଘରକୁ ଫେରିଯାଏ । ଗାଁ ପିଲାଙ୍କ ଉପରେ ରାଗ ହୁଏ । ମନକୁ ମନ ପ୍ରତିଜ୍ଞା କରେ ଆଉ କେବେ ସେ ଚଗଲା ଅବିଶ୍ୱାସୀ ପିଲାଙ୍କ ସଙ୍ଗେ ଖେଳିବାକୁ ଯିବି ନାହିଁ । କିନ୍ତୁ ବାପ, ଯେତେ ପ୍ରତିଜ୍ଞା କଲେ ଘରେ ଏକୁଟିଆଟା ରହିପାରେ ନାହିଁ ।

 

ଦିନକର ଘଟଣା । ଉଦୁଉଦିଆ ଦି’ପହର, ବୈଶାଖ ମାସ । ପିଲାଏ ଦରମଉଳା ତରାଟ ଫୁଲ ଆଣି ମୋ ଆଗରେ ଗଦା କଲେ । କହିଲେ, ତୁ ଫୁଲ ଗୁନ୍ଥୁଥା, ଆମେ ଆଉ ଫୁଲ ଆଣୁ । ମୁଁ ଖଣ୍ଡେ ପଟରେ ଫୁଲ ଗୁନ୍ଥି ବସିଲି । ସେମାନେ ଜଙ୍ଗଲ ଭିତରକୁ ଗଲେ । ମୋ’ର ଫୁଲଗୁନ୍ଥା ସରିଲା । ଅନେଇଁ ଅନେଇଁ କେହି ଫେରିଲେ ନାହିଁ । ଏଣେ ଆକାଶରେ କଳାମେଘ ଘୋଟିଗଲାଣି-। ଖରାତାଉ ଆଉ ନାହିଁ । ଥଣ୍ଡା ପବନ ସୁଲୁ ସୁଲୁ ବହୁଥାଏ । ମୋତେ ନିଦ ମାଡ଼ିଆସିଲା । ଥଣ୍ଡା ପବନ ଦେହରେ ବାଜିବାରୁ ଆଖିପତା ମାଡ଼ିପଡ଼ିଲା । ମୁଁ ଦେହରୁ ଲୁଗାକାଢ଼ି ତଳେ ପାରିଲି, ବାହୁ ଉପରେ ମୁଣ୍ଡଭରା ଦେଇ ଆଖିବୁଜି ଶୋଇପଡ଼ିଲି । କେତେବେଳେ ନିଦ ଆସି ମୋ’ର ଆଖିପତା ମାଡ଼ିବସିଲା ମୁଁ କେମିତି ଜାଣିବି ? ଖାଲି ଝଡ଼ ବରଷାର ସ୍ୱପ୍ନ ଦେଖୁଥାଏ-

 

ସ୍ୱପ୍ନ ନୁହେଁରେ ବାପା, ସବୁ ସତ୍ୟ । ମୋର ନିଦ ଭାଙ୍ଗିଲା; ଦେଖିଲି, ଚାରିଆଡ଼େ ଅନ୍ଧାର ଘୋଟିଛି । ପବନର ଦାଉରେ ଗଛସବୁ ଦୋହଲିଉଠୁଛନ୍ତି–ସତେକି ଅରଣ୍ୟ, ମନ୍ଦିର ସବୁ ଉଡ଼ାଇନେବ । ଥଣ୍ଡା ପବନର ଲୋମମୂଳ ଟାଙ୍କୋରି ଉଠୁଛି । ବର୍ଷାପାଣି ଝର ଝର ହୋଇ ଝରିପଡ଼ୁଛି । ବିଜୁଳି ଚମକିଉଠୁଛି । ମୁଁ ଉଠି ବସିଲି । ଭୟରେ ଛାତି ଭିତର ଥରିଉଠିଲା ।

 

ବିଜୁଳି ମାରିଲା । ମୁଁ ଚମକି ଚାହିଁଲି । କିଏ ଜଣେ ଚାଲି ଚାଲି ମୋ ପାଖକୁ ଆସୁଛି । ଭୟରେ ମୋ’ର ପ୍ରାଣ ସତେକି ଉଡ଼ିଯିବ । ମୋ ତୁଣ୍ଡରୁ କଥା ବାହାରିଲା ନାହିଁ । ମୁଁ ଆଖି ବୁଜି ବିପଦର ପ୍ରତୀକ୍ଷାରେ ରହିଲି ।

 

କିଏ ଜଣେ ଧୀରେ ଧୀରେ ଡାକିଲା, ଜୟନ୍ତୀ, ଉଠିଲୁଣି କିଲୋ । ସତେକି ମୋ ପିଣ୍ଡରେ ପ୍ରାଣ ପଶିଲା । ମୁଁ ଉଠି ଠିଆ ହେଲି । ଥରିଲା ସ୍ୱରରେ ପଚାରିଲି, ତୁ କିଏ ? ଲୋକଟି ମୋର ଅତି ପାଖକୁ ଘୁଞ୍ଚିଆସି କହିଲା, ଚିହ୍ନିପାରୁନୁ ମୋତେ, ମୁଁ ତୋର ଅର୍ଜୁନଭାଇ ।

 

ଉତ୍ତର ଦେବାକୁ ଆଉ ବେଳ ପାଇଲି ନାହିଁ । ଅର୍ଜୁନ ଭାଇକୁ କୁଣ୍ଢାଇ ଧଇଲି ଭୟରେ । ସେ ମୋତେ କୋଳ କରି ଛାତି ଉପରକୁ ଆଉଜାଇନେଲେ । ତାଙ୍କର କାନ୍ଧ ଉପରେ ମୋ’ର ମୁଣ୍ଡଟି ରଖି ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲି ।

 

ଅର୍ଜୁନଭାଇ ପଚାରିଲେ, ତୁ ଏଠିକି ଆଇଲୁ କେମିତି ? ଏକୁଟିଆ ତଳଟାରେ ଶୋଇଥିଲୁ କାହିଁକି ? ମୁଁ ତମ ଘରକୁ ଆଜି ଯାଇଥିଲି । ମଉସା ମାଉସୀ ତୋତେ ଗାଁ ସାରା ଖୋଜୁଛନ୍ତି । ଅତି ବ୍ୟସ୍ତ ହେଉଛନ୍ତି ତୋ ପାଇଁ । ତମ ଘରୁ ଫେରିଆସୁଣୁ ବାଟରେ ମେଘ ଉଠାଇଲା । ମନ୍ଦିର ଭିତରକୁ ଆସି ଦେଖେଁ ତ ତୁ ଶୋଇଛୁ । ପ୍ରବଳ ବର୍ଷା ହେଲା । ଶୀଘ୍ର ଫେରିଯିବାର ଆଶା ନଦେଖି ତୋତେ ଉଠାଇଲି ନାହିଁ ।

 

ବର୍ଷା କମିଗଲା । ଅର୍ଜୁନଭାଇ ମୋର ମୁଣ୍ଡ ଉପରେ ତାଙ୍କର ଗାମୁଛା ପକାଇ ଆମ ଘରକୁ ଫେରିଲେ । ମୋତେ ଦେଖି ବୋଉର ପିଣ୍ଡରେ ପ୍ରାଣ ପଶିଲା । ସେ ମୋତେ ଗେଲ କରି ଖାଲି ଏତିକି କହିଲା, ତୁ କୁଆଡ଼େ ଥିଲୁ ମା, ଅପର୍ତ୍ତିଆଣି ପିଲା, ଏକୁଟିଆ ଏଣେ ତେଣେ ବୁଲିବାକୁ ତୋତେ କେତେ ମନା କରିଥିଲି ?

 

ଅର୍ଜୁନଭାଇ ତାକୁ ସବୁ କଥା ବୁଝାଇ କହିଲେ ।

 

ବାପରେ, ସେହି ଯେ ଗୋଟିଏ ଦିନର ଘଟଣା, ମୋର ଶିଶୁ ପ୍ରାଣରେ ବଡ଼ ପରିବର୍ତ୍ତନ ଆଣିଲା । ବର୍ଷାପାଣିରେ ରାତିସାରା ତିନ୍ତି ତହିଁ ଆରଦିନ ଜରରେ ପଡ଼ିଲି । ଅର୍ଜୁନଭାଇ ସଞ୍ଜ ସକାଳ ଦି ବେଳା ଆମ ଘରକୁ ଆସି ମୋର ଖବର ଅନ୍ତର ନିଅନ୍ତି । ଦରକାର ପଡ଼ିଲେ ପଥିପାଚନ କଥା ବୁଝନ୍ତି । ବୋଉ ବାଧ୍ୟ କଲେ ରାତିରେ ମଧ୍ୟ ଅଟକିଯାନ୍ତି ।

 

ଜର ଭଲ ହେଲା । କିଛିଦିନ ପରେ ପୁଣି ପୂର୍ବ ସ୍ୱାସ୍ଥ୍ୟ ଫେରିପାଇଲି । ଦୁନିଆଁର ନିତିଦିନିଆ କାମ ନିତିଦିନ ଚାଲିଲା ପୂର୍ବପରି । ଗାଁ ପିଲାଏ ମେଳ ବାନ୍ଧି ଆଗପରି ସବୁଦିନେ ଜଙ୍ଗଲକୁ ଯାଉଥାନ୍ତି । ବେଳେବେଳେ ଦେଖା ହେଲେ ମୋତେ ଆଖିଠାରି ଡାକନ୍ତି । ଯିବାକୁ ମନହୁଏ, କିନ୍ତୁ ସେଦିନ କଥା ମନେପଡ଼ିଲେ ମୁଁ ଯିବାକୁ ମନାକରି ମନ ଦୁଃଖରେ ଘରକୁ ଫେରିଆସେ ।

 

ବୋଉ ମୋର ମନ ଦୁଃଖ ବୁଝି ପାରିଲା । ଦିନେ ଅର୍ଜୁନ ଭାଇକୁ କହିଲା, ଆରେ ଅଜୁ, ତୁ ତ ନିତି ଏଇବାଟେ ନଈକୂଳଆଡ଼େ ବୁଲି ଯାଉ, ଗଲାବେଳେ ଏହିବାଟେ ମୁହଁ ମାରିଦେଇ ଯାଉଥିବୁ ତ । ଦେଖିଲୁ, ଜୟନ୍ତୀର ମୁହଁ କିପରି ଶୁଖିଯାଇଛି । ତାର ଯଦି ଇଚ୍ଛା ହେବ ସେ ତୋର ସଙ୍ଗେ ବୁଲିଯିବ । ଅର୍ଜୁନଭାଇ ଚିନ୍ତା କରି କହିଲେ, ମୁଁ ସବୁଦିନେ ଏଇଆଡ଼େ ଆସେ ନାହିଁ । ଯେବେ ଆସିବି ତାକୁ ସଙ୍ଗରେ ନେଇଯିବି ।

 

ସେହି ଦିନଠାରୁ ପ୍ରତିଦିନ ମୁଁ ଅର୍ଜୁନ ଭାଇଙ୍କ ସଙ୍ଗେ ବୁଲିବାକୁ ବାହାରେ । ସେ ମୋର ହାତ ଧରି ସଙ୍ଗରେ ବୁଲାଇ ନେବାକୁ ଭଲପାନ୍ତି । କେବେ କେବେ ନଈ କୂଳକୁ ବୁଲିଯାଉଁ । କାହିଁ କେଉଁ ପଥର ଚଟାଣ ଉପରେ ଦିହେଁ ପାଖାପାଖି ବସି ସୁନ୍ଦର ପ୍ରକୃତିର ମନ ଭୁଲାଣିଆଁ ଛବି ଦେଖି ଆତ୍ମହରା ହୋଇପଡ଼ୁଁ । ମୁଁ ହସି ହସି ତାଙ୍କରି କୋଳକୁ ଆଉଜିପଡ଼େ । ସେ ମୋତେ ସ୍ନେହରେ କୋଳ କରନ୍ତି । ଗେଲ କରନ୍ତି । ନଅ ବର୍ଷର ଝିଅତ ମୁଁ, ତାଙ୍କର ସ୍ନେହ ସୋହାଗ ମତେ ଭଲଲାଗେ ।

 

ସଞ୍ଜ ବୁଡ଼ିଆସେ । ଆମେ ହାତ ଧରାଧରି ହୋଇ ଘରକୁ ଫେରୁ । ସେ ମୋତେ ଆମ ଘରେ ଛାଡ଼ି ନିଜ ଘରକୁ ଫେରିଯାନ୍ତି । ଦିନେ ଦିନେ ଆମେ ନଈ କୂଳକୁ ନଯାଇ ଜଙ୍ଗଲରେ ବୁଲୁ । ଫୁଲ ତୋଳୁ, କୋଳି ତୋଳୁ । ମୋ ହାତ ନ ପାଇଲେ ଅର୍ଜୁନଭାଇ ନିଜେ ମୋ ପାଇଁ ଫୁଲ ଫଳ ତୋଳି ଦିଅନ୍ତି । ନୋହିଲେ, ତାଙ୍କ କାନ୍ଧ ଉପରକୁ ଟେକି ଦିଅନ୍ତି, ମୁଁ ହାତ ବଢ଼ାଇ ତୋଳେ । ତାଙ୍କ ଉପରେ ମୋ’ର ପୂର୍ଣ୍ଣ ଅଧିକାର ବୋଲି ମୁଁ ମାନିନେଇଥାଏ । ଭୟ କି ସଂକୋଚ କରେ ନାହିଁ ।

 

ବଣରେ କେତେ ଜୀବଜନ୍ତୁ । ଚଢ଼େଇ ଛୁଆଟିଏ ହାବୁଡ଼ିଗଲେ ତାକୁ ଧରିବାକୁ ମୁଁ ଦଉଡ଼େ । ଅର୍ଜୁନଭାଇ ମୋ ହାତଧରି କହନ୍ତି ଛି ଜୟନ୍ତୀ, ପର ଛୁଆକୁ ଧରିବାକୁ ଯାଉଛୁ ? ତୋର କି ଅଧିକାର ଅଛି ତା ଉପରେ ? ଯାଉ, ସେ ଉଡ଼ିଯାଉ । ବଡ଼ ହେଲେ ଆମରି ଆଗରେ ଗଛ ଉପରେ ବସି କେତେ ଗୀତ ଗାଇବ, ଆମକୁ ଶୁଣାଇବ ।

 

ମୁଁ ତୁନି ରହେ । କେବେ କେମିତି ପଚାରେ, ଚଢ଼େଇ କ’ଣ ଗୀତ ବୋଲନ୍ତି ?

 

ସେ କହନ୍ତି, ଶୁଣିବୁ ? ଆଚ୍ଛା, ତୁନି ହୋଇ ଶୁଣିଲୁ ।

 

ମୁଁ ଶୁଣେ । ବଣରେ କେତେ ଜାତିର ଚଢ଼େଇ ବା ନାହାନ୍ତି, ଟିକେ କାନ ଡେରି ଶୁଣିଲେ ସେମାନଙ୍କର କଳରବ ଆସି କାନରେ ପଡ଼େ । ଏଇଆକୁ ସେ କହନ୍ତି ଗୀତ ! କହେଁ, ନାହିଁ ନାହିଁ, ମୋତେ ଏ ଚଢ଼େଇ ଗୀତ ଭଲ ଲାଗୁନାହିଁ । ତମେ ଗୀତ ଗାଅ । ମୁଁ ଜିଗର ଲଗାଇଲେ ଅର୍ଜୁନଭାଇ ଗୀତ ବୋଲନ୍ତି । ତାଙ୍କର କଣ୍ଠ ସ୍ୱର ମୋତେ ଭଲ ଲାଗେ । ମୁଁ କିଛି ବୁଝିପାରେ ନାହିଁ-। ଦେଖେ, ଯେବେ ସେ ଗୀତ ବୋଲନ୍ତି ତାଙ୍କର ଆଖି ଛଳ ଛଳ ହୋଇଆସେ ।

 

ଦିନେ ପଚାରିଲି, ଅର୍ଜୁନଭାଇ ତୁମେ କଅଣ ବୋଲୁଛ କହିବ ନାହିଁ ? ମୁଁ କିଛି ବୁଝିପାରୁନାହିଁ, ଶୁଣିବାକୁ ଭଲ ଲାଗୁଛି ସିନା ।

 

ସେ କହନ୍ତି, ବୁଝିପାରୁନୁ ଏତେ ସହଜ କଥା ? ଆଛା ଶୁଣ । ତା ପରେ ସେ ଆକାଶ ଆଡ଼କୁ ହାତ ଦେଖାଇ କହନ୍ତି, ଦେଖୁଛୁ କେତେ ବଡ଼ ଏ ଆକାଶ ! ଏହାରି ଭିତରେ ଆମର ଏହି ପୃଥିବୀ ପରି କେତେ ଲକ୍ଷ, କେତେ କୋଟି ପୃଥିବୀ ଲୁଚିରହିଛି । ଏହି ବଡ଼ ବଡ଼ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀଠୁ ଆରମ୍ଭ କରି ଆମପରି ଛୋଟ ମଣିଷ, ଆମଠୁ ଆହୁରି ଛୋଟ ପଶୁପକ୍ଷୀ କୀଟପତଙ୍ଗ ଏମାନଙ୍କୁ ଯିଏ ଗଢ଼ିଛି, ସେହି ପରମ ପିତା ପରମେଶ୍ୱରଙ୍କର ମହିମା ଗାନ କରନ୍ତି ବଣର ଏହି ପକ୍ଷୀଗୁଡ଼ିକ । ମୁଁ ବି ତାଙ୍କର ମହିମା କୀର୍ତ୍ତନ କରିବାକୁ ଗୀତ ବୋଲେ ।

 

କିଏ ସେ, ତାଙ୍କୁ ତ ଆମେ ଦେଖିପାରୁନୁ । ସେ ଆମକୁ ଦେଖିପାରନ୍ତି ? ଆମର ଗୀତ ଶୁଣି ଖୁସି ହୋଇପାରନ୍ତି ?

 

କିଏ କହିଲା ତାଙ୍କୁ ଆମେ ଦେଖିପାରୁନୁ ? ତାଙ୍କର ହାତଗଢ଼ା ଏହି ବିଶ୍ୱଚରାଚର । ତା ଭିତରେ ନିଜେ ନିଜକୁ ଦେଖିପାରୁଛୁ । ସେ ଯେ ଅଛନ୍ତି ସବୁବେଳେ ଆମ ପାଖେ, ଆମ ଚାରିଆଡ଼େ, ଆମ ଭିତରେ ବାହାରେ, ଆମକୁ ବରାବର ଜଗି ରହିଛନ୍ତି, ଏଥିରେ ସନ୍ଦେହ ନାହିଁ । ଆମର ଗୀତ ସେ ଶୁଣନ୍ତି । ରାଗନ୍ତି କି ଖୁସି ହୁଅନ୍ତି ସେ କଥା କେମିତି କହିବି ? ବାପ ଅଜାଙ୍କର ପ୍ରଶଂସା ଶୁଣିଲେ ତାଙ୍କର ସନ୍ତାନ ବୋଲି ଆମର ମନରେ ଗର୍ବ ଆସେ । ସେମାନଙ୍କର ଗୁଣ ଗାଇଲେ ଆମେ ନିଜେ ଖୁସି ହେଉଁ । ପରମେଶ୍ୱର ସମସ୍ତଙ୍କର ପିତା । ତାଙ୍କର ନାମ କୀର୍ତ୍ତନ କଲେ ମନରେ ଆନନ୍ଦ ଆସେ ।

 

ଏହିପରି କେତେ ସେ ବୁଝାନ୍ତି । ମୁଁ ଆବାକାବା ହୋଇ ତାଙ୍କ ମୁହଁକୁ ଚାହିଁରହିଥାଏ । ଆକାଶରେ ଖଣ୍ଡେ ମେଘ ଭାସିଯାଉଛି । ତା ଦେହରେ ଭଗବାନ ନାଲି, ନେଳୀ, କଳା ରଙ୍ଗ ବୋଳିଛନ୍ତି । ଗଛରେ ଫୁଲ ଫୁଟି ହସୁଛି । ନଈ ପାଣିରେ ତରଙ୍ଗ ଉଠୁଛି । ସଞ୍ଜ ପବନ ମନ୍ଥର ଆଉ ଶୀତଳ । ଆକାଶରେ ତାରାଗୁଡ଼ିକ ବିଞ୍ଚିହୋଇ ପଡ଼ନ୍ତି । ମୟୂର ଚିତ୍ରିତ ପୁଚ୍ଛ ଟେକି ନାଚେ । କୋକିଳ କୁହୁ କୁହୁ ଡାକେ । ଏ ସବୁ କୁଆଡ଼େ ସେହି ଭଗବାନଙ୍କର କାମ ।

 

ଅର୍ଜୁନଭାଇ ମୋତେ ସବୁଦିନେ ଏହି କଥା କହନ୍ତି ।

 

ମୁଁ ଘରକୁ ଫେରି ମା ଆଗରେ ସବୁ କଥା କହେ । ସେ ମନଦେଇ ଶୁଣେ । ଅର୍ଜୁନ ଭାଇକୁ ପ୍ରଶଂସା କରି କହେ, କୋଟିକରେ ଗୋଟିଏ ପିଲା ଅର୍ଜୁନ, ରୂପ ଯେମିତି ସୁନ୍ଦର ଗୁଣ ତହୁଁ ବଳି ଭଲ । ମା ମୋ ମୁହଁକୁ ଚାହେଁ । ତାର ହସ ହସ ସୁନ୍ଦର ମୁହଁର ଆଖି ଦିଓଟି ଉଜ୍ଜ୍ୱଳ ହୋଇଉଠେ । ସେ ମୋତେ ଛାତିକୁ ଟାଣିନିଏ ।

 

ଅର୍ଜୁନ ଭାଇର ପ୍ରଶଂସା ପର ମୁହଁରୁ, ବିଶେଷତଃ ମା ମୁହଁରୁ ଶୁଣିଲେ ମୋତେ ଖୁସି ଲାଗେ । ପୁଣି ଥରେ ତାଙ୍କୁ ଦେଖିବାକୁ ମନ ହୁଏ । ସତରେ ସେ କେଡ଼େ ଭଲ, ମୋତେ କେତେ ଭଲପାଆନ୍ତି, ସ୍ନେହ କରନ୍ତି । ବୁଲି ଯାଉଣୁଁ ବାଟରେ କଥା କହନ୍ତି । ସୀତା, ସାବିତ୍ରୀ, ପାର୍ବତୀ, ଦ୍ରୈାପଦୀ, ଦମୟନ୍ତୀ, ଦୁର୍ଗାବତୀ, ଏମିତି ଆହୁରି କେତେ କଥା । ଆଜିଯାଏ ସେ ସବୁ ମୋର ପଦ ପଦ ହୋଇ ମନେଅଛି ।

 

ଆମେ ବେଳେ ବେଳେ ସେଇ ପୁରୁଣା ମନ୍ଦିରକୁ ଯାଉଁ । ଅର୍ଜୁନଭାଇ ଫୁଲ ତୋଳିଆଣେ । ମୁଁ କେବେ କିପରି ତା ସଙ୍ଗରେ ଯାଇ ଫୁଲ ତୋଳେ । ଦୁହେଁ ଏକାଠି ବସି ମାଳ ଗୁନ୍ଥୁ । ଠାକୁରଙ୍କୁ ଉପହାର ଦେଉଁ । ଦିନେ ଦିନେ ମା ସଙ୍ଗରେ ଠାକୁର ଦର୍ଶନ କରିବାକୁ ଆସେ । ଆମ ଦୁହିଁଙ୍କୁ ଆଗରେ ହାତ ଧରାଧରି ହୋଇ ଯିବାର ଦେଖିଲେ, ସେ ଖୁସି ହୁଏ । ମନେ ମନେ ପୁଣି କ’ଣ ଭାବେ, ଡାକିକରି କହେ, ଆଲୋ ଜୟନ୍ତୀ, ମୁଣ୍ଡରୁ ଲୁଗା ଖସିଯାଇଛିମ, ଲୁଗା ଟାଣିଆଣ ।

 

ମୁଁ ଶୁଣିବା ଆଗରୁ ଅର୍ଜୁନଭାଇ ମୋ ମୁଣ୍ଡ ଉପରକୁ ଲୁଗା ଟାଣିଆଣନ୍ତି । ମାଆକୁ ଶୁଣାଇଁ କହନ୍ତି, ପିଲାଲୋକ–ଲୁଗାପ୍ରତି ନଜର ନାହିଁ । ମା କହନ୍ତି, ଜୟନ୍ତୀ ନଙ୍ଗୁଳୀଟାଏ । ବଡ଼ ହୋଇଆସିଲା, ସଣ୍ଠଣା ଶିଖିବ ନାହିଁ ?

 

ଦିନେ ଦର୍ଶନ କରି ଫେରୁ ଫେରୁ ମୁଁ ପଚାରିଲି, ଅର୍ଜୁନ ଭାଇ, ଆମେ ଠାକୁର ବୋଲି ଗୋଟିଏ ପଥର ମୂର୍ତ୍ତିକୁ ପୂଜା କରିବା କାହିଁକି ? ସେ ମୋ ମୁହଁକୁ ଚାହିଁ ହସି ହସି କହିଲେ, କାହାରି କାହାରି ମନରେ ଏପରି ପ୍ରଶ୍ନ ଉଠେ ବେଳେ ବେଳେ । ମଣିଷ ପଥର ପୂଜା କରେ ନାହିଁ ଲୋ, ସେ ପୂଜା କରେ ତାର ଭକ୍ତିକୁ, ବିଶ୍ୱାସକୁ । ମଣିଷର ଯହିଁରେ ବିଶ୍ୱାସ ହୁଏ ସେ ତାକୁ ଠାକୁର ବୋଲି ମାନିନିଏ ।

 

ପିଲାମନ ମୋର, ତାଙ୍କର ସେ ଭକ୍ତି ତତ୍ତ୍ୱରେ ପଶିପାରେ ନାହିଁ । ସେ ବୁଝାଇଯାନ୍ତି, ମୁଁ ଶୁଣିଯାଏ । କଣ ବୁଝେ କଣ ନାହିଁ ଏବେ ମୋର ମନେନାହିଁ । ତାଙ୍କର ମୁହଁଟିକୁ ମୁଁ ଚାହିଁରହେ ତନ୍ମୟ ହୋଇ ।

 

ଏତେ ତ କହିଗଲି ବାହାରର କଥା, ମନ ଭିତରର, ଦେହ ପୁଲକର କଥା ତୋତେ ମୁଁ କହିବାକୁ ଇଛା କରିଛି । ସଂସାର ଯାହାକୁ ଲଜ୍ଜା ବୋଲି ଲୁଚାଇ ରଖିବାକୁ ଚାହେ, ଏପରିକି ସେ ପ୍ରସଙ୍ଗ ବିରୁଦ୍ଧରେ ନିୟମ ଗଢ଼ି ଲୋକଙ୍କୁ ମୂକ କରି ଅନ୍ଧ କରି ରଖିବାକୁ ଚାହେ, ସେହି ପ୍ରସଙ୍ଗଟି ମୁଁ ପିଲାଦିନୁ ଯେପରି ଭାବରେ ଅନୁଭବ କରିଛି, ଦେଖିଛି ଓ ଶୁଣିଛି, ସବୁ ଆଜି ତୋତେ ବୁଝାଇ କହିବି ।

 

ସ୍ତ୍ରୀ ପୁରୁଷ, ବାଳକ ବାଳିକାର ପରସ୍ପର ଆକର୍ଷଣ ବା ସମ୍ୱନ୍ଧ, ଦୈହିକ ହେଉ ବା ମାନସିକ ହେଉ, ଲୋକେ ତାହାକୁ ଲଜ୍ଜା ସରମର, ଘୃଣା ସଂକୋଚର ଓ ଅତି ଗୋପନ କଥା ବୋଲି କହିଥାନ୍ତି । କିନ୍ତୁ ବାପ, ଅନ୍ଧାର ରାତିରେ ପାପ କାୟା ବଢ଼ାଇପାରେ ଅତି ସହଜରେ । ଅନ୍ଧାରକୁ ଦୂରୀଭୂତ କଲେ ଯାହାକୁ ଲୋକେ ପାପ ବୋଲି କହନ୍ତି, ସେହି ବିଷୟ ଦୁନିଆରେ ଆଖିକି ଜଳ ଜଳ ଦେଖାଯିବ । ଅଜଣା ବାଟରେ ଚାଲିଲେ ମଣିଷ ଝୁଣ୍ଟେ, ବାଟ ଜଣାଥିଲେ ଦୁର୍ଗମ ରାତିରେ ଏକୁଟିଆ ଗଲେ ଡର ଭୟ କିଛି ନଥାଏ ।

 

ଅର୍ଜୁନଭାଇର ବୟସ ଷୋଳ କି ସତର । ସ୍ୱାସ୍ଥ୍ୟ ସୁନ୍ଦର, ସବଳ ଦେହ । ସୁନ୍ଦର ଚେହେରା । ଅନ୍ତତଃ ମୋ ଆଖିକି ସେ ସୁନ୍ଦର ଦିଶନ୍ତି । ନିଜେ ସେ ନିଜର ଦେହର ଯତ୍ନ ନିଅନ୍ତ ନାହିଁ । ମୁଣ୍ତର ବାଳଗୁଡ଼ିକ ବଢ଼ି ବଢ଼ି ଆସି ବେକରେ ମୁହଁରେ ପଡ଼େ । ତେଲ ନ ଲଗାଇବାରୁ ସେଗୁଡ଼ିକ ଅଡ଼ୁଆ ହୋଇ ଜଟା ଧରେ । କେହି ଯଦି କେବେ ସେଥିପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରେ, ତେବେ ସେ ସବୁ ମୂଳପୋଛ ହୋଇ କଟାହୁଏ, ନୋହିଲେ ନାହିଁ । ଲୁଗାପଟା ପ୍ରତି ସେ ସେହିପରି ଉଦାସ । ଖିଆପିଆରେ ଠିକ୍ ନଥାଏ । ମନେପଡ଼ିଲେ, ଇଛା ହେଲେ,ସେ ଖାଇବାକୁ ଯାଆନ୍ତି, ନୋହିଲେ ଭୋକିଲା ପେଟରେ ଏଣେ ତେଣେ ବୁଲୁଥାନ୍ତି । ଏକଥା ଜାଣିପାରି ମା ତାଙ୍କୁ ଯେବେ ଦେଖେ, ତାଙ୍କୁ ଖାଇବାକୁ ଡାକେ, ଖୋଇ ପେଇ ଛାଡ଼େ । ନିଜ ପ୍ରତି ନଜର ଦେବାକୁ ବୁଝାଇ କହେ ।

 

ସେ ଶୁଣନ୍ତି, ହସନ୍ତି ।

 

ପୋଥି ଖୋଜି ପଢ଼ିବା, ନିରୋଳାରେ ବଣରେ ଗଛ ଛାଇରେ ପତର ଛାଇରେ ଏକୁଟିଆ ବସି ଉଦୁଉଦିଆ ଦିପହରେ ପୋଥି ଉତାରିବା, ତାଙ୍କର ଏକମାତ୍ର କର୍ମ । ନଈକୂଳରେ ନିରୋଳାରେ ବସି ସେ ବଡ଼ ପାଟି କରି ପୋଥି ପଢ଼ନ୍ତି । ପଢ଼ୁ ପଢ଼ୁ ତନ୍ମୟ ହୋଇ ମନକୁ ମନ ହସନ୍ତି, କାନ୍ଦନ୍ତି । ସେଥିପାଇଁ ଦେଖିଲା ଶୁଣିଲା ଲୋକେ ତାଙ୍କୁ ଆଡ଼ବାଇଆ କହନ୍ତି ।

 

ଆଡ଼ବାଇଆ ପିଲା ବୋଲି ଲୋକେ ଯାହାକୁ ଅବହେଳା କରି ଅନାନ୍ତି ନାହଁ, ଅନାଇଁଲେ ମଣିଷ ବୋଲି ପାସଙ୍ଗରେ ପକାନ୍ତି ନାହିଁ, ତାଙ୍କରି ସଂସର୍ଗରେ ମୋର ପିଲାଦିନଟା କଟିଗଲା । ତାଙ୍କରି ପାଖରେ ରହିବାକୁ ମୋତେ ଭଲ ଲାଗେ । ସେ କଥା କହନ୍ତି, ମୁଁ ମନଦେଇ ଶୁଣେ । ଓଲଟି ପଚାରିଲେ ମୁଁ କିଛି କହିପାରେ ନାହିଁ ମୁଁ କଣ ଶୁଣୁଥିଲି । ତାଙ୍କ ମୁହଁକୁ ଚାହିଁ ରହେ ଖାଲି । ତାଙ୍କ ମୁହଁର ଅଯତ୍ନ ସରଳତାରେ ମୁଁ ମୁଗ୍‌ଧ ହୋଇଥିଲି ! ସେ ବିରକ୍ତ ହୁଅନ୍ତି ନାହିଁ । ହସି ହସି ଗେଲରେ ମୋତେ ଥାପଡ଼ ମାରନ୍ତି । ମୁଁ ବି ଗେଲରେ ତାଙ୍କ ଉପରକୁ ଢଳିପଡ଼େ । ତାଙ୍କର ଦେହର ସ୍ପର୍ଶ ମୋର ଦେହକୁ ଭଲ ଲାଗେ । କାହିଁକି ଭଲ ଲାଗେ ମୁଁ ଜାଣି ନଥିଲି । ତାଙ୍କ ଛଡ଼ା ଅନ୍ୟ କୌଣସି ଯୁବକର ଦେହର ସ୍ପର୍ଶ ସେପରି ଭଲ ଲାଗନ୍ତା କି ନାହିଁ ମୋର ସେ ଅଭିଜ୍ଞତା ନଥିଲା ।

 

ନଈକୂଳ କି ପାହାଡ଼ ଉପରେ ନିରୋଳାରେ ଦୁଇଜଣ ଏକାଠି ବସୁ । ଅର୍ଜୁନଭାଇ କେତେ କଣ କହେ, ମୁଁ ଶୁଣେ । ହଠାତ୍‌ ମୁଁ ତା କୋଳକୁ ଢଳିପଡ଼େ । ମୋତେ ସେ ଆଦର କରି ସ୍ନେହରେ ଛାତି ଉପରକୁ ଆଉଜାଇ ନିଅନ୍ତି। ଆଲିଙ୍ଗନ କରି ମୋ ମୁଣ୍ଡରେ ମୁଣ୍ଡ ଲଗାନ୍ତି । ମୋ କପାଳରେ, ଚିବୁକରେ ଚୁମ୍ୱନ ଦିଅନ୍ତି । ମୋତେ ଭଲ ଲାଗେ । ତାଙ୍କୁବି ବୋଧହୁଏ ଭଲ ଲାଗେ, ନୋହିଲେ ସେ ମୋତେ ଆଲିଙ୍ଗନ କରନ୍ତେ କାହିଁକି ? ବେଳେ ବେଳେ ସେ ମୋତେ ଦୂରକୁ ଠେଲିଦେଇ ଲାଜରା ହେଲାପରି ହୁଅନ୍ତି । ତାଙ୍କର କଥା କୁହା ବନ୍ଦ ହୁଏ ।

 

ବାପ, ଏଇତ ମଣିଷ ଜୀବନର ରହସ୍ୟ । ପ୍ରକୃତିରେ ପ୍ରଥମ ଖେଳର ସୂଚନା । ବାଲ୍ୟକାଳ ଅତିକ୍ରମ ହୋଇନାହିଁ, ଯୌବନ ଆହୁରି ଦୂରରେ ଅଛି, ତଥାପି ଏହି ରହସ୍ୟର ଆରମ୍ଭ ହୁଏ କାହିଁକି ମଣିଷ ଜୀବନର ଅବେଳାରେ ? ପୁରୁଷ କହ ସ୍ତ୍ରୀ କହ ଅବା ବାଳକ ହେଉ ବା ବାଳିକା ହେଉ, ପରସ୍ପର ସଂସର୍ଗର ମୋହ ଓ ମିଳାମିଶାର ନିଶା ଆପେ ଆପେ ଘୋଟିଆସେ କାହିଁକି ?

 

ଆକର୍ଷଣ ବା ମୋହ ନରନାରୀ ଭିତରେ ପ୍ରକୃତି ସଜାଗ ରଖିଛି । ସରସ୍ପର ମିଳନରେ ଯଦି ଆନନ୍ଦର ଜନ୍ମ ହେଉ ନଥାନ୍ତା । ସେପରି ମିଳନ ବା ହୁଅନ୍ତା କାହିଁକି ? ସେପରି ମିଳନର ଅଭିଳାଷ ଜୀବଜଗତ୍‌ ବିଶେଷତଃ ମଣିଷଜାତି କରନ୍ତା କାହିଁକି ? ମିଳନ ବ୍ୟତିରେକେ ଏ ମଣିଷସମାଜ ଆଜିଯାଏ ବଞ୍ଚି ରହିଥାନ୍ତା କି ? ତେଣୁ କେବଳ ମଣିଷ ଜାତିର ଭବିଷ୍ୟତ ଜୀବନ ପାଇଁ ସ୍ତ୍ରୀ ପୁରୁଷର ମିଳନ ଲୋଡ଼ା ଓ ମିଳନପାଇଁ ଆକର୍ଷଣ ବା ମୋହର ସୃଷ୍ଟି । ସେହି ମୋହ, ମିଳନ ଓ ସୃଜନ ପାଇଁ ଗୋଟିଏ ସ୍ୱତନ୍ତ୍ର ଆନନ୍ଦ ମଣିଷର ମନରେ ଓ ଦେହରେ ସୃଷ୍ଟିକର୍ତ୍ତା ସମ୍ପାଦି ରଖିଛନ୍ତି । କେବଳ ମଣିଷ ତ ନୁହେଁ, ଦୁନିଆଁର ସବୁ ଜୀବ, ବୃକ୍ଷଲତା ମଧ୍ୟ ସୃଜନପାଇଁ ମିଳନ ଆକାଂକ୍ଷୀ ।

 

ହଁ, କହୁଥିଲି ପରା–

 

ଅର୍ଜୁନଭାଇ ଲାଜରା ହୋଇ ମୋତେ ଦୂରକୁ ଠେଲିଦିଅନ୍ତି । ମୁଁ ପୁଣି ଢଳିପଡ଼େ ତାଙ୍କର ପିଠି ଉପରେ । ସେ ମୋତେ ଟାଣିନେଇ କୋଳରେ ବସାନ୍ତି, ମୋର ମୁହଁକୁ ଅନାଇଁରହନ୍ତି । ମୋର ଭ୍ରୂଲତା ଓ ମୁହଁକୁ ଆଉଁସିଦିଅନ୍ତି । ମୋତେ ଗେଲ କରି କହନ୍ତି, ତୁ କେଡ଼େ ସୁନ୍ଦର ପିଲାଟିଏ ଜୟନ୍ତି !

 

ମୁଁ ପଚାରେଁ, ସତରେ ଅର୍ଜୁନଭାଇ ?

 

ହଁ ଲୋ, ସତରେ ।

 

ମୋତେ ଖୁସି ଲାଗେ । ମୁଁ ଦୁଇ ହାତରେ ତାଙ୍କର ବେକକୁ କୁଣ୍ଡାଇ ଧରେ ।

 

ସମୟ ଏହିପରି କଟିଗଲା ।

 

ଅର୍ଜୁନଭାଇ ସଙ୍ଗେ ଦିନୁଦିନ ଘନିଷ୍ଠତା ବଢ଼ିଆସିଲା । ତାଙ୍କର କୋଳକୁ ଢଳିପଡ଼ିବାକୁ ମୋତେ ଆଉ ଲାଜ ମାଡ଼ିଲା ନାହିଁ କି ସେ ମଧ୍ୟ ମୋତେ ଆଲିଙ୍ଗନ କରି ସ୍ନେହରେ ମୋର ଗଣ୍ଡଚୁମ୍ୱନ କରିବାକୁ ନିଜକୁ ସଙ୍କୁଚିତ ମନେକଲେ ନାହିଁ । ପରସ୍ପରଠାରୁ ପରସ୍ପରର ଭୟଜନିତ ସଙ୍କୋଚ ଭାଙ୍ଗିଗଲା । କିନ୍ତୁ ବାପ, ମୋର ମନେ ଅଛି, ଏକୁଟିଆ ବୁଲିଗଲା ବେଳେ, ସମସ୍ତଙ୍କର ଚକ୍ଷୁ ଅନ୍ତରାଳରେ ଆମେ ଦୁହେଁ ଯେପରି ମିଶୁ, ଗାଁ ମଝିରେ, ବାପ ମାଙ୍କ ଆଗରେ ସେପରି ମିଶିବାକୁ ସାହସ ହୁଏ ନାହିଁ । କାଳେ କିଏ ବାଛିଦେବ, କାଳେ କିଏ କଣ କହିବ ! ମୋର ମନ ରାଜ୍ୟରେ ସେ ବୟସରେ ଗୋଟିଏ ଆନନ୍ଦପ୍ରଦ ଆନ୍ଦୋଳନର ସୃଷ୍ଟି ହୋଇଥାଏ ।

 

ଦିନକର ଅର୍ଜୁନଭାଇ ଆମଘରେ ପହଞ୍ଚିଲା ବେଳକୁ ମୁଁ ବୋଉ ପାଖରେ ବସିଛି । ପ୍ରାୟ ପନ୍ଦରଦିନ ହେବ ସେ କୁଆଡ଼େ ଥିଲେ କେଜାଣି, ଆମ ଘରକୁ ବୁଲି ଆସି ନଥିଲେ । ତାଙ୍କୁ ଦେଖି ଆନନ୍ଦରେ ମୁଁ ଚିତ୍‌କାର କରିଉଠିଲି, ତେମେ ଆଜିଯାଏ କେଉଁଠି ଥିଲ ?

ସେ ମୋତେ ଗେଲ କରି କହିଲେ, ଜଣେ ସାଧୁଙ୍କ ସଙ୍ଗେ ସଙ୍ଗେ ଥିଲି, ଆ, ବୁଲିଯିବୁ । ବୋଉ ଟିକିଏ ଗମ୍ଭୀର ସ୍ୱରରେ କହିଲା, ନାଇଁରେ ବାପ, ଆଜି ସେ ଯିବ ନାହିଁ । ମୋର ମନ ଭଲ ନାହିଁ । ଦେହ ଭଲ ନାହିଁ । ସେ ମୋ ପାଖରେ ରହୁ ।

ବୋଉର କଥାରୁ ମୁଁ କିଛି ବୁଝିପାରିଲି ନାହିଁ । ବର୍ତ୍ତମାନ ପରା ସେ ମୋତେ ଭଲରେ କେତେ କଥା କହୁଥିଲା, ହଠାତ୍‌ ତାର ଏମିତି କଣ ହେଲା ? ମୁଁ ତା ମୁହଁକୁ ଚାହିଁଲି । ମୁହଁ ତାର ଗମ୍ଭୀର ହୋଇଛି । ଆଖି ଦିଟାରୁ ଉଜ୍ଜ୍ୱଳ ଦୀପ୍ତି ଲିଭିଯାଇଛି । ମୋ ମନରେ ଡର ହେଲା ।

ବୋଉ କହିଲା, ଜୟନ୍ତି, ମୋ ମୁଣ୍ଡ ଚିପିଦେଲୁ । ମୁଁ ଅର୍ଜୁନଭାଇର ହାତ ଛାଡ଼ି ତାର ମୁଣ୍ଡ ଚିପିଦେବାକୁ ଫେରିଆସିଲି । କିଛି ପଚାରିବାକୁ ସାହସ ହେଲା ନାହିଁ । ପଦେ ଅଧେ ଏଣୁ ତେଣୁ କଥାଭାଷା ହୋଇ ଅର୍ଜୁନଭାଇ ବିଦାୟ ନେଲେ ।

ମୁଁ ପଚାରିଲି, ବୋଉ ତୋ ମୁଣ୍ଡ କଣ ହେଉଛି ?

ବୋଉ ପୂର୍ବପରି ଗମ୍ଭୀର ମୁହଁରେ କହିଲା, ନା କିଛି ନାହିଁ । ଭଲ ହୋଇଗଲାଣି । ତାପରେ ସେ ଆରମ୍ଭ କଲା, ଜୟନ୍ତୀ, ମା ମୋର, ତୁ ଲାଜ ସରମ କିଛି ଶିଖିଲୁ ନାହିଁ । ସବୁଦିନେ କଅଣ ତୋର ସେହି ପିଲା ମନ ପିଲା ବୁଦ୍ଧି ସେମିତି ରହିଥିବ ? ତୁ ଆଉ ପିଲା ନୁହଁ । ଏଥର ଲାଜ ସରମ ଶିଖ, ଆଡ଼ ଉଢୁଆଳ ହ । ମରଦ ପୁଅ ଦେଖିଲେ ମୁଣ୍ତକୁ ଓଢ଼ଣା ଟାଣି ଆଡ଼ ହୋଇଯିବୁ । ପରପିଲାକୁ କଥା କହିବୁ ନାହିଁ । ଦେଖୁନୁ, ଗାଁର ଆଉ ଝିଅମାନେ କେମିତି ଚଳୁଛନ୍ତି । ଆଡ଼ ଉଢ଼ୁଆଳ ନହେଲେ, ପର ପୁଅକୁ ଲାଜ ସରମ ନକଲେ, ଗାଁର ବାରଲୋକେ ବାରକଥା କହିବେ, ନିନ୍ଦା କରିବେ । ଛି ମା, ଏଥର ପିଲା ବୁଦ୍ଧି ଛାଡ଼ ।

ବାବୁରେ, ବୋଉ ଯେତେ କାନକାନ କରି ଶିଖାଇଲେ ବି ତାର ଉପଦେଶ ମୋର ମନେରହେ ନାହିଁ । କିଏ ଦାଣ୍ଡରେ ଡାକିଲେ ମୁଁ ଆଗପରି ଦଉଡ଼ିଯାଏଁ ଦରଲଙ୍ଗଳା ହୋଇ । କିଏ ପଦେ ପଚାରିଦେଲେ, ମୁଁ ପୂର୍ବପରି ତାର ଜବାବ ଠୋ ଠା ଦେଇଦିଏ । ମା’ର ହାବୁଡ଼େ ପଡ଼ିଗଲେ ସେ ମୋତେ ବାରକଥା କହି ଗାଳିଦିଏ । ସତକୁ ସତ ମୁଁ ଡରିଗଲି । ଯଦି କେବେ ପୂର୍ବ ଅଭ୍ୟାସରୁ ମୁଁ ଦାଣ୍ଡକୁ ଦଉଡ଼ିଯିବାକୁ ବସେ, ବୋଉକଥା ମନେପଡ଼ିଗଲେ ଭୟରେ ପଛକୁ ଫେରିଆସେ । ନିଜକୁ ସଂଯତ କରିନିଏ । ଚାରିଆଡ଼କୁ ଚାହେଁ, ମା ଦେଖିଲାକି ?

ଆଡ଼ହେବା ମୋର ଅଭ୍ୟାସ ହୋଇଗଲା । ଟୋକାଟାକରା କେହି ଆଖି ଆଗରେ ପଡ଼ିଲେ ହାତ ଆପେ ମୁଣ୍ଡର ଓଢ଼ଣାକୁ ଟାଣିଦିଏ । କେଉଁ ମରଦର ପାଟି କାନରେ ବାଜିଗଲେ ମୋର ପାଟି ଆପେ ଆପେ ବନ୍ଦ ହୋଇଯାଏ । ମା କହେ, ଆହା, ଜୟନ୍ତୀ ମୋର କେଡ଼େ ଲଜ୍ଜାଶୀଳା ହେଲାଣି ।

ଦିନେ ଦିପହରେ ପିଣ୍ଡା ଉପରେ ବସି ମା ଝିଅ ଦିହେଁ ବାଘ ଛେଳି ଖେଳୁଛୁଁ, ଅର୍ଜୁନଭାଇ ହାତରେ ଖଣ୍ଡେ ପୋଥି ଧରି ଆମ ଆଗରେ ଆସି ଠିଆ ହୋଇଗଲେ । ତାଙ୍କୁ ଦେଖି ମୁଁ ଅସ୍ତବ୍ୟସ୍ତ ହୋଇ ମୁଣ୍ଡ ଉପରକୁ ଓଢ଼ଣା ଟାଣି ଘର ଭିତରକୁ ପଶିଗଲି । କବାଟ ଅଳ୍ପ ଆଉଜାଇ ମୁଁ କବାଟ ଫାଙ୍କରେ ତାଙ୍କୁ ଚାହିଁରହିଥାଏ ।

ଅର୍ଜୁନଭାଇ ମୋର ବ୍ୟବହାର ଦେଖି ବୋଧହୁଏ ଟିକିଏ ବ୍ୟଥିତ ଦେଲେ । ତାଙ୍କର ମୁହଁ ଗମ୍ଭୀର ଦେଖାଗଲା । ସେ ମୋର ମା’ଙ୍କୁ ଲକ୍ଷ୍ୟ କରି କହିଲେ, ଏ କଅଣ ମାଉସୀ, ଜୟନ୍ତୀ ଉଠି ଚାଲିଗଲା କାହିଁକି ?

ମା କହିଲେ, ତାକୁ ଲାଜ ମାଡ଼ୁଛି ।

ଅର୍ଜୁନଭାଇ କହିଲେ, ବୁଲା ଫକିରଟାକୁ ପୁଣି ଲାଜ ? ଏତିକି କହି ସେ ମୋ ଥିବା ଘର ଭିତରକୁ ପଶିଆସିଲେ । ବାଧା ଦେବାକୁ ବୋଉର ଇଛା ଥିଲେ ମଧ୍ୟ ସେ କଣ କହି ବାଧା ଦେବ ସେହି କଥା ଭାବୁଣୁ ନୀରବ ରହିଗଲା । ଭୟରେ ମୋର ଦେହସାରା ଥରିଉଠିଲା । ମୁଁ ମୁଣ୍ଡର ଓଢ଼ଣାକୁ ଆହୁରି ତଳକୁ ଟାଣି କାନ୍ଥ ଦେହରେ ମିଶିଯିବାକୁ ବସିଲି । କାଳେ ବୋଉ କଣ ଭାବୁଥିବ ଏହାହିଁ ମୋର ଭୟର କାରଣ ।

 

ଅର୍ଜୁନଭାଇ ମୋର ହାତ ଧରି କହିଲେ, ଜୟନ୍ତୀ, ଶୁଣି ଯା, ତୁ ପଢ଼ିବା ପାଇଁ ଗୋଟାଏ ଭଲ ପୋଥି ଆଣିଛି ।

 

ମୁଁ କିଛି ଉତ୍ତର ଦେଲି ନାହିଁ ବୋଉ ଡରରେ ।

 

ସେ ମୋର ହାତ ଛାଡ଼ି ପଦାକୁ ଫେରିଗଲେ । ମୁଁ ତାଙ୍କୁ କଥା କହିଲି ନାହିଁ । ସେଥିପାଇଁ ତାଙ୍କ ମନରେ ଯେ କଷ୍ଟ ହୋଇଥିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ମୋ ଉପରେ ସେ ରାଗିଲେ କି ନାହିଁ ସେ ଜାଣନ୍ତି । ତେବେ, ରାଗିବାର କଥା ! ତାଙ୍କର କେତେ ସ୍ନେହ କେତେ ଆଦର ଆଗ୍ରହ ମୁଁ ଆଜି ଉପେକ୍ଷା କରିଛି । ତାଙ୍କର ମହତ୍ୱର ଅବମାନନା କରିଛି ।

 

ମୁଁ ଦୀର୍ଘଶ୍ୱାସ ଛାଡ଼ି କବାଟ ଫାଙ୍କରେ ଅର୍ଜୁନଭାଇଙ୍କ ମୁହଁକୁ ଚାହିଲି । ଗଭୀର ଦୁଃଖରେ ତାଙ୍କର ମୁହଁଟି ଝାଉଁଳିପଡ଼ିଛି । ସେ ନୀରବ ହୋଇ ବୋଉ ଆଗରେ ବସି କଣ ଚିନ୍ତା କରିବାକୁ ଲାଗିଗଲେ ।

 

ବୋଉ ପଚାରିଲା, ବାପ, ମୁଁ ଶୁଣୁଛି, ତୁ କୁଆଡ଼େ ଏବେ ଘରେ ପଶୁନାହୁଁ, ବାହାରେ ବାହାରେ ବୁଲି ସମୟ କଟାଉଛୁ, ଘରକଥା କିଛି ବୁଝୁନୁ । କାହିଁକି ବାବୁ ଏମିତି ବଗୁଲିଆ ବୁଦ୍ଧି କରୁଛୁ ? ତୋ ବାପା ଆସି ବେଳେ ବେଳେ ଏଠି ବ୍ୟସ୍ତ ହୁଅନ୍ତି । ତାଙ୍କର ଶୁଖିଲା ଆଖିପତା ଓଦା ହୋଇଆସେ ।

 

ବୋଉର ଭଲ କଥା ତାଙ୍କର କାନରେ ବାଜିଲା ନାହିଁ । ତାଙ୍କର ଆଖି କୋଣରେ ଲୁହ ଢଳଢଳ ହେଲା । ସେ କହିଲେ, ମାଉସୀ, ଘର କହ ସମାଜ କହ ଏ ସବୁଥିରେ ମୋର ସମ୍ୱନ୍ଧ ମୋଟେ ନାହିଁ । ସମ୍ୱନ୍ଧ ରଖିବାକୁ ମୋର ମନ ଡାକେ ନାହିଁ, ସେଇଥିପାଇଁ ମୁଁ ବାହାରେ ବାହାରେ ବୁଲୁଥାଏ । ଏକୁଟିଆ ଚଳିବାକୁ ଭଲପାଏ । ମାଉସୀ, ଏକା ଏହି ତମର ଜୟନ୍ତୀକୁ ଦେଖିଲେ ମୋତେ ଖୁସି ଲାଗେ । ତାର ଗେହ୍ଲାଳିଆ କଥା ଶୁଣିଲେ, ପିଲାଳିଆ ଢଙ୍ଗ ଦେଖିଲେ ମୋର ଆନନ୍ଦ ହୁଏ । ସେହି ଆନନ୍ଦଟିକରେ ବି ତେମେ ବାଧା ଦେଉଛ ।

 

ତାଙ୍କର ଆଖିରେ ଲୁହ ଢଳଢଳ ହେଲା ।

 

ବୋଉ ଦୁଃଖିତ ହୋଇ କହିଲା, ବାପ, ଜୟନ୍ତୀ ବଡ଼ ହେଲାଣି । ଆକଟ କରି ଆଡ଼ ଉଢୁଆଳ କରି ନ ରଖିଲେ ଲୋକେ କଣ କହିବେ ? ଲୋକଙ୍କୁ ପାଣିରେ ସର ପକାଇବାକୁ ଡେରି ଲାଗେ ନାହିଁ । ଜନ୍ମ ସିନା କରିଛି ମୁଁ, ପରର ଚିଜ, ପରଘରେ ନେଇ ତାକୁ ଥୋଇଲେ ତେଣିକି ମୁଁ ନିଶ୍ଚିନ୍ତରେ ନିଶ୍ୱାସ ମାରିବି ।

 

ବୋଉର କଥା ନ ସରୁଣୁ ବାପା ଆସି ସେଠାରେ ପହଞ୍ଚିଗଲେ । ବାପାଙ୍କୁ ଦେଖି ଅର୍ଜୁନଭାଇ ଉଠି ପ୍ରଣାମ କଲେ ।

 

ବାପା କହିଲେ, ଆରେ ଅର୍ଜୁନ, ଗୋଟାଏ ଭୟଙ୍କର କାଣ୍ଡ ଘଟିବାର ସମ୍ଭାବନା ଅଛି ଏ ଭିତରେ । ଗଡ଼ରୁ ଖବର ପାଇଲି, ବୋଧହୁଏ ଗୋଟାଏ ଭୀଷଣ ଯୁଦ୍ଧ ହେବାର ଆଶା, ଗଡ଼ ସୀମା ଭିତରେ ।

 

ଅର୍ଜୁନଭାଇ ପଚାରିଲେ, କାହା ସଙ୍ଗେ ଯୁଦ୍ଧ ହେବାର କଥା ? ଯୁଦ୍ଧର କାରଣ କଣ ?

 

ବାପା କହିଲେ, ସେ ସବୁ ମୁଁ କିଛି ଜାଣେ ନାହିଁ । ଜାଣିବା ଦରକାର କଣ ? ଯୁଦ୍ଧ ହେବ, ଏତିକି ଖବର ପାଇଲେ ହେଲା । ତେଣିକି ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଦଳବଳ ଘେନି ଯୁଦ୍ଧ ଭୂଇଁରେ ଶତ୍ରୁ ଆଗରେ ଠିଆ ହେବାକୁ ହେବ । ଯଦି ମତେ ଯିବାକୁ ପଡ଼େ, ତୁ ଟିକେ ଘର ପ୍ରତି ନଜର ରଖିଥିବୁ ମୁଁ ଫେରିବା ଯାଏ ।

 

ବାପା ଯୁଦ୍ଧକୁ ଯିବେ ଏ କଥା ଶୁଣି ବୋଉର ମୁହଁ ଶୁଖିଗଲା । ଭୟରେ ମୋ ଛାତି ଭିତର ଥରିବାକୁ ଲାଗିଲା । ଯୁଦ୍ଧ ଭୂଇଁ କଥା, ଭଲମନ୍ଦ କଥା କିଏ କହିପାରିବ ? ସେଠି ଗୋଡ଼ଦେଇ ଜୀବନ ଘେନି ଫେରିଆସିବା ସହଜ କଥା ନୁହେଁ ।

 

ବୋଉ ପଚାରିଲା, ସତରେ କହୁଛଟି ? ବିନା ଦୋଷରେ ଗାଁ’ଯାକର ଲୋକଙ୍କୁ ସଙ୍ଗରେ ଘେନି ହାଣ ମୁହଁକୁ ଯିବ ତେମେ ? ଯେତେ ଲୋକଙ୍କୁ ହାଣିବ ହଣାଇବ, ସେ ପାପରେ ଭାଗୀ ହେବ କିଏ ?

 

ବାପା କହିଲେ, ଯୁଦ୍ଧଭୂଇଁରେ ହାଣିଲେ କି ହଣାଇଲେ ପାପ ହୁଏ ନାହିଁ । ଲୋକ ମରି ଅମର ହୁଏ । ସ୍ୱର୍ଗକୁ ଯାଏ ତାର ଆତ୍ମା । ଯିଏ ଯୁଦ୍ଧଭୂଇଁକୁ ଡରି ପଛଘୁଞ୍ଚା ଦେଇ ଜୀବନ ବିକଳରେ ଘରକୋଣରେ ଲୁଚି ରହେ, ଜୀବନ ମରଣ ଦୁଇଟି ତା ପକ୍ଷରେ ସମାନ । ବଞ୍ଚିଥିବା ଯାଏ ଭୀରୁ କାପୁରୁଷ ବୋଲି ଲୋକ ମୁଖରେ ଅପମାନ ସହେ, ମଲେ ତ ନରକ ଆଶ୍ରା କରିବାର କଥା ।

 

ଅର୍ଜୁନଭାଇ ବାଧା ଦେଇ ପଚାରିଲେ, ମଉସା, ଯୁଦ୍ଧଭୂଇଁରେ ଆପଣମାନେ ଯେଉଁମାନଙ୍କର ତଣ୍ଟି କାଟିବାକୁ ଯିବେ କିମ୍ୱା ଯେଉଁମାନେ ଆପଣମାନଙ୍କର ରକ୍ତ ପିଇବେ, ସେମାନଙ୍କର ପରସ୍ପର ଭିତରେ ତ କିଛି ବୈରତା ନଥାଏ ! ଯାହା ସଙ୍ଗେ ଜୀବନରେ କେବେ ଦେଖା ହୋଇନାହିଁ, ସେହି ଅପରିଚିତର ପ୍ରାଣ ନେଇ ଆପଣମାନେ ବାହାଦୁରୀ ନିଅନ୍ତି, ରାଜଦ୍ୱାରରେ ସମ୍ମାନିତ ହୁଅନ୍ତି । ଅଥଚ ଦୁଷ୍ଟ ସଇତାନ୍‌ ସମାଜକଣ୍ଟକ ପ୍ରତିବେଶୀର ଜୀବନ ନେଲେ ନରହତ୍ୟା ଅପରାଧରେ ଫାଶୀଖୁଣ୍ଟରେ ଝୁଲିବାକୁ ହୁଏ । ଏପରି ଯୁଦ୍ଧ, ଯହିଁରେ ମଣିଷର ରକ୍ତ ମାଂସ ନେଇ ଖେଳ, ତହିଁରେ ଯୋଗ ନଦେଇ ଅପସରି ରହିଲେ ତ ଭଲ ।

 

ବାପା କହିଲେ, ଦେଖ ଅର୍ଜୁନ, ରାୟବଂଶର ପିଲା ତୁ । ତୋ ମୁହଁରୁ ଏପରି କଥା ଶୁଣିବାକୁ ମୋତେ ଭଲ ଲାଗୁନାହିଁ । ତୋରି ଅଜା, ପଣଅଜା ବୀରତ୍ୱର ନିଦର୍ଶନ ଦେଖାଇବାକୁ, ଦେଶକୁ ଶତ୍ରୁ କବଳରୁ ଉଦ୍ଧାର କରିବାକୁ, ବିଜୟ ପାଇଁ, ମାନ ପାଇଁ, ରଣଭୂଇଁରେ ଅଗଣିତ ଲୋକଙ୍କର ମୁଣ୍ଡ ଗଡ଼ାଇ ନିଜେ ମଧ୍ୟ ରଣଚଣ୍ଡୀର ନୈବେଦ୍ୟ ପାଇଁ ନିଜର ମୁଣ୍ଡ ଊପହାର ଦେଇଛନ୍ତି । ତୁ ଆଜି ଏପରି କହୁଛୁ ଶୁଣି ମୋତେ ହସ ମାଡ଼ୁଛି । ମୋର ମନରେ ଦୁଃଖ ହେଉଛି । ହୁଏତ ଏଥିପାଇଁ ତୋର ବୈରାଗ୍ୟ ଦାୟୀ । ନୋହିଲେ, ତୁ ଦେଶଦ୍ରୋହୀ, ରାଜଦ୍ରୋହୀ ।

 

ବାପା ଉତ୍ତେଜିତ ହୋଇପଡ଼ିଲେ । ଅର୍ଜୁନଭାଇ ତୁନି ହେଲେ ।

 

ବାପା ଡାକିଲେ, ଜୟନ୍ତି !

 

ମୁଁ ଉତ୍ତର ଦେଲି ନାହିଁ ।

 

ବୋଉ କହିଲା, ଅର୍ଜୁନ ଅଛି ବୋଲି ସେ ଆଡ଼ ହୋଇଛି ।

 

ବାପା ହସି ହସି କହିଲେ, ଅର୍ଜୁନକୁ ଆଡ଼ ହେବ କାହିଁକି ସେ । ଅର୍ଜୁନ ପରପିଲା ନୁହେଁ-। ଅର୍ଜୁନ ତାର ଭାଇ । ଛି ଛି, ଏଗୁଡ଼ା ତାକୁ ଶିଖାଉଛ କାହିଁକି ? ତାର ମନର ଦୃଢ଼ତା ଭାଙ୍ଗିଯିବ ଯେ । ଡାକିଲେ, ଜୟନ୍ତି, ଶୁଣିଲୁ ମା ।

 

ବାପାଙ୍କର ସ୍ନେହମିଶା ଡାକ ଶୁଣି ସବୁ ଲାଜ ଭୟ ଦୂରକୁ ପକାଇ ତାଙ୍କ ନିକଟକୁ ଯିବାକୁ ଇଛା ହେଉଥିଲେ ମଧ୍ୟ ଗୋଡ଼ ଚଳିଲା ନାହିଁ । ଆଗରୁ କହିଛି ତ, ଭୟର ରୂପାନ୍ତର ଲାଜ ଧୀରେ ଧୀରେ ଅଭ୍ୟାସଗତ ହୋଇ ପ୍ରକୃତିଗତ, ରକ୍ତଗତ ହୋଇଯାଏ । ମୁଁ ଯାଇପାରିଲି ନାହିଁ । ଆହୁରି ସଂକୁଚିତ ହୋଇ ରହିଲି ।

 

ବୋଉ କହିଲା, ବଢ଼ିଲା ଝିଅ, ବାପ ଭାଇଙ୍କ ଆଗକୁ ଆସିବାକୁ ଲାଜ ହେବାର କଥା ।

 

ବାପା ରାଗିଯାଇ କହିଲେ, ବଢ଼ିଲା ଝିଅ ବୋଲି ଯଦି ଦୁର୍ଗାବତୀ ଘର କୋଣରେ ଲୁଚି ରହିଥାନ୍ତେ କେତେଦିନରୁ ଏ ଜାତିର ନାମ ଲୁଚି ଯାଆନ୍ତାଣି ।

 

ବାପା ପୁଣି ଡାକ ଛାଡ଼ିଲେ, ଜୟନ୍ତି ଶୁଣିଯା ।

 

ପିତାଙ୍କର ଆଦେଶ ଅମାନ୍ୟ କରିବାକୁ ସାହସ ହେଲା ନାହିଁ । ସେ ଯେପରି ଏକବାଗିଆ ଲୋକ, ହୁଏତ ଚିଡ଼ିବେ । ମୁଁ ଧୀରେ ଧୀରେ ଘରୁ ବାହାରି ବାପାଙ୍କ ଆଗକୁ ଆସିଲି । ମୁଣ୍ଡର ଓଢ଼ଣା ଟିକିଏ ତଳକୁ ଟାଣି ଦେଇଥାଏ । ବାପାଙ୍କର ଆଦେଶରେ ପଦାକୁ ଆସି ମଧ୍ୟ ମୋର ମନେ ହେଉଥାଏ ସତେ କି ମୁଁ କିଛି ଅନ୍ୟାୟ କାମ କରୁଛି ।

 

ବାପା କହିଲେ, ଦେଖ ଅର୍ଜୁନ, ଜୟନ୍ତୀର ଅବସ୍ଥା । ସେ ଯଦି ଝିଅ ନହୋଇ ଆଜି ପୁଅ ହୋଇଥାନ୍ତା, ସେ କି ବାପ ଭାଇଙ୍କ ଆଗରେ ଏପରି ନିର୍ଜୀବ ପଥର ମୂର୍ତ୍ତିପରି ଠିଆ ହୋଇ ରହିଥାନ୍ତା ? ଏହିତ ଆମର ନାରୀ ଜାତିର ଅବସ୍ଥା । ଏକେତ ଜନ୍ମରୁ ମୃତ୍ୟୁଯାଏ ଘର କୋଣରେ ଆବଦ୍ଧ ରହି ନିଜର ଦୈହିକ ଶକ୍ତି ହରାଇବସନ୍ତି, ବାହାରର କୌଣସି ଘଟଣା ନଦେଖି ସେମାନଙ୍କର ଚଳନ ଜ୍ଞାନ ସଂକୀର୍ଣ୍ଣ ହୋଇପଡ଼େ । ଚିନ୍ତାଶକ୍ତି ଦୁର୍ବଳ ହୋଇପଡ଼େ । ନିଜକୁ ରକ୍ଷା କରିବାକୁ ସେମାନେ ଅକ୍ଷମ ହୋଇପଡ଼ନ୍ତି ।

 

ଅର୍ଜୁନଭାଇ କିଛି ନକହି ତଳକୁ ମୁହଁ ପୋତିଲେ ।

 

ବାପା ମୋର ହାତ ଧରି ପାଖରେ ବସାଇଲେ । ମୋ ମୁଣ୍ତର ଓଢ଼ଣାଟିକୁ ହାତରେ ଘୁଞ୍ଚାଇ ଦେଇ ମୋ ମୁଣ୍ତରେ ମୁଣ୍ତ ଲଗାଇ ଗେଲ କରି କହିଲେ, ଜୟନ୍ତି, ଯାହାର ନିଜ ଚରିତ୍ର ଉପରେ ଦୃଢ଼ ବିଶ୍ୱାସ ଥାଏ, ଯେ ନିଜର ପ୍ରକୃତି ପ୍ରବୃତ୍ତିକୁ ନିଜର ଆୟତ୍ତାଧୀନ ରଖିପାରେ, ସେ କାହିଁକି ଲାଜରେ ଭୟରେ ଆଡ଼ ହୋଇ ଘର କୋଣରେ ଲୁଚିରହିବ ? ଏପରି ଲୁଚିରହିଲେ ମନର ଦୁର୍ବଳତା ପ୍ରକାଶ ପାଏ । ବାପ ଭାଇ କି ସମାଜର ଅନ୍ୟାନ୍ୟ ଲୋକଙ୍କ ସଙ୍ଗେ ମିଳି ମିଶି ଭାବର ଆଦାନ ପ୍ରଦାନ କଲେ ସିନା ଜୀବନରେ ଅଭିଜ୍ଞତା ଆସେ ।

 

ବୋଉ ଗମ୍ଭୀର ହୋଇ ରହିଲା ।

 

ଆଜି ମୁଁ ଭାବୁଛି ପିତା ଯଦି ଉତ୍ତେଜନାର ରିହରେ ମୋତେ ସେହି ସ୍ୱାଧୀନତା ବାଣୀ ଶୁଣାଇଁ ନଥାନ୍ତେ ତେବେ ମୋର ଜୀବନର ଗତି କର୍ମ୍ମର ପରିଣତି ଅନ୍ୟପ୍ରକାର ହୋଇଥାନ୍ତା । କଣ ଯେ ହୋଇଥାନ୍ତା, ମୁଁ ଅନୁମାନ କରିପାରୁନାହିଁ । ଯଦି ଭାଗ୍ୟ ବା ଭଗବାନଙ୍କର ବିଧାନ ବୋଲି ପ୍ରତ୍ୟେକ କଥାକୁ ଧରିନିଆଯାଏ, ତେବେ ମଣିଷ ଜୀବନର ଚରମ ପରିଣତି ନେଇ ଭାବିବାର କିଛି ନାହିଁ । ଯଦି ଭାଗ୍ୟ କଥାଟାକୁ ବାଦ ଦେଇ କାରଣ ଖୋଜିବାକୁ ଚେଷ୍ଟା କରାଯାଏ, ତେବେ ମଣିଷର ଚିନ୍ତାଧାରା ଅନନ୍ତ ଅସମାପ୍ତି ଭିତରେ ନିଜକୁ ହଜାଇ ଦେବ । ଦାୟୀ କିଏ ସ୍ଥିର କରିହେବ ନାହିଁ ।

 

ସେହି ଦିନଠୁଁ ପିଲାବେଳ ପରି ସ୍ୱାଧୀନ ହୋଇପଡ଼ିଲି । ନିର୍ଭୟରେ ସମାଜ ଭିତରେ ଆତଯାତ ହେବାକୁ ଲାଗିଲି । କେବେ କେବେ ବାପାଙ୍କ ସଙ୍ଗେ ମନ୍ଦିରକୁ ନୋହିଲେ ନଦୀକୂଳ ବା ପାହାଡ଼ ଉପରକୁ ବୁଲିବାକୁ ଯାଏ । ସେ ମୋତେ କେତେ କେତେ ଉପଦେଶ କଥା ଶୁଣାନ୍ତି । ଦେଶର ଇତିହାସ, ତାଙ୍କ ପିଲାଦିନର କଥା କହନ୍ତି । ମୁଁ ସ୍ଥିର ମନରେ ସବୁ ଶୁଣେ, ବୁଝେ, ମନେରଖେ । ଦିନେ ଦିନେ ଅର୍ଜୁନଭାଇ ମଧ୍ୟ ଆମ ସଙ୍ଗରେ ଯାନ୍ତି । ସେଦିନ ଗୋଟିଏ ଗୋଟିଏ ସାମାନ୍ୟ କଥାରେ ସେ ଦୁଇଜଣଙ୍କ ଭିତରେ ବାଦାନୁବାଦ ଚାଲେ, ମୋତେ ଶୁଣିବାକୁ ଖୁସି ଲାଗେ-

 

ଯେଉଁଦିନ ମୁଁ ଅର୍ଜୁନଭାଇ ସଙ୍ଗେ ବୁଲିବାକୁ ବାହାରେ, ଯେତେ କାମ ଥିଲେ ମଧ୍ୟ ସବୁ ପଛରେ ପକାଇ ବୋଉ ଆମ ସଙ୍ଗରେ ଯାଏ । ମୁଁ ତା ମନର କଥା ବେଶ୍‌ ବୁଝିପାରେ । ମା’ର ମନରେ କେବେହେଲେ ଶାନ୍ତି ଆସେ ନାହିଁ ଯେତେ ଯାହା କଲେ ସୁଦ୍ଧା । ପିଲାଝିଲାଙ୍କର ଚାଲିଚଳନ ପ୍ରତି ସେମାନଙ୍କର ସବୁବେଳେ ଆଖି । ସବୁବେଳେ ସେମାନେ ତାଙ୍କର ଅନିଷ୍ଟ ଆଶଙ୍କା କରନ୍ତି ।

 

ମୋର ଏପରି ଚାଲିଚଳନ ଦେଖି ଗାଁ’ଲୋକେ କେହି କେବେ ଆଗରେ କିଛି କୁହନ୍ତି ନାହିଁ, ହୁଏତ ବାପାଙ୍କ ଡରରେ । ଗାଁ ମାଇପଙ୍କ ଭିତରୁ କେହି ଜଗି ଜଗି ବୋଉକୁ ଶୁଣାଇଁ ନିଜ ଭିତରେ କଥାଭାଷା ହୁଅନ୍ତି, ସେଇ ଝିଅଟା ଜାଲି କେମିତି ଥିଲା, ତା ଛାଇ କେହି ମାଡ଼ି ନଥିଲେ, ଆଜି କିପରି ବଦଳି ଗଲା ଲୋ ।

 

ମୁଁ ଶୁଣି ନଶୁଣିଲା ପରି ଚାଲିଯାଏଁ ବାଁରେଇ ହୋଇ । ବୋଉ ମୁହଁ ଶୁଖାଏ ।

 

ଦିନେ ରଜାଘରୁ ଡାକରା ଆସିଲା । ବାପା ଗଡ଼କୁ ଗଲେ । ପରଦିନ ଗଡ଼ରୁ ଫେରି ବାପା ବୋଉ ଆଗରେ କହିଲେ, ଏଥର ଘର ସମ୍ଭାଳ । ରଜାଙ୍କଠାରୁ ଯୁଦ୍ଧର ନିମନ୍ତ୍ରଣ ଆସିଛି । ବୀର ପରି ଯାଇ ଦେଶର ସମ୍ମାନ ପାଇଁ ଯୁଦ୍ଧ ଭୂଇଁରେ ଛାତି ଦେଖାଇବାକୁ ହେବ । ଶତ୍ରୁଙ୍କୁ ରାଜ୍ୟ-ସୀମା ମଡ଼ାଇଦେବାକୁ ହେବ ନାହିଁ ।

 

ବାପାଙ୍କ କଥା ଶୁଣି ବୋଉ ଆବାକାବା ହୋଇ ତାଙ୍କ ମୁହଁକୁ ଚାହିଁରହିଲା । ମୁଁ ପଚାରିଲି, ବାପା, ଯୁଦ୍ଧ କାହିଁକି ହେବ, କାହା ସଙ୍ଗେ ହେବ ?

 

ବାପା କହିଲେ, ରାଜା ପ୍ରତାପ ନରସିଂହ ଦେବ ଦିନେ ପୁରୀ ରାଜସଭାରେ ଆମ ରାଜାଙ୍କୁ ଅପମାନ ଦେଲେ । ସେହି ରାଗରେ ଆମ ରାଜା ବୁଢ଼ା ରାଜାଙ୍କୁ ବେଶ ଚାରିପଦ ଶୁଣାଇଁ ଦେଇ କହିଆସିଥିଲେ, ଆଜିଠାରୁ ମୁଁ ଆପଣଙ୍କର ବଶ୍ୟତା ସ୍ୱୀକାର କରିପାରିବି ନାହିଁ । ସେହି ଦିନରୁ ଆମ ରାଜା ଠାକୁରରାଜାଙ୍କୁ କର ଦେଉନାହାନ୍ତି । ସେ ଏତେଦିନ ପରେ ଯୁଦ୍ଧଚିଟାଉ ପଠାଇଛନ୍ତି । ଖୁବ୍‌ସମ୍ଭବ ସେମାନେ ଦିନେ ଦୁଇଦିନ ଭିତରେ ସୈନ୍ୟ ସାମନ୍ତ ଘେନି ଏ ଦେଶରେ ପଶିବେ । ଆଗରୁ ଆମର ସତର୍କ ରହିବା କଥା ତ ।

 

ମୁଁ ପଚାରିଲି, ବାପା, ଠାକୁରରାଜାଙ୍କ ସଙ୍ଗେ ବିବାଦ କରି କ’ଣ ଆପଣମାନେ ବିଜୟୀ ହୋଇପାରିବେ ? ସସାଗରା ଧରାର ଅଧିପତି ସେ ।

 

ଯୁଦ୍ଧର ନିମନ୍ତ୍ରଣ ଆସିଛି ମା, ଆମେମାନେ ତ ଆଉ ଡରିହରି ଶରଣ ପଶିବା ନାହିଁ ? ଆମର ରାଜ୍ୟ ଛୋଟ ହୋଇପାରେ, ଆମର ରାଜା ନରସିଂହ ଦେବଙ୍କର ସାମନ୍ତ ରାଜା ସତ, ଆମର ଶକ୍ତି, ସମ୍ମାନ ଓ ଜୀବନ ଛୋଟ ନୁହେଁ । ଆମେ ପଛେ ଯୁଦ୍ଧ ଭୂଇଁରେ ଟଳିପଡ଼ିବୁ, ମୁଣ୍ଡ ନୁଆଁଇବୁ ନାହିଁ ।

 

ମୁଁ ଆଉ କିଛି ପଚାରିବା ପୂର୍ବରୁ ବାପା ପଦାକୁ ଚାଲିଗଲା । ବୋଉ ମୁହଁକୁ ଚାହିଁଲି - ତାର ଆଖିରୁ ଦୁଇଧାର ଲୁହ ଝରିପଡ଼ୁଛି ।

 

ଦୁଇଦିନ ପରେ ଗଡ଼ରୁ ପୁଣି କଅଣ ଖବର ଆସିଲା । ଦଳ ଦଳ ଲୋକ ଆସି ଆମ ଘର ଆଗରେ ଜମା ହେଲେ । ଦେଖିବାକୁ ସେ ଗୋଟାଏ ଅପୂର୍ବ ଦୃଶ୍ୟ । ଷାଠିଏ ବର୍ଷର ବୁଢ଼ାଙ୍କଠାରୁ ଆରମ୍ଭ କରି ସତର ବର୍ଷର ଟୋକାଙ୍କ ଯାଏ ସମସ୍ତେ ଯେ ଯାହାର ଅସ୍ତ୍ରଶସ୍ତ୍ର ଧରି ଆସି ଜମା ହୋଇଛନ୍ତି । କାହାରି ମୁହଁରେ ଦୁଃଖ, ବିମର୍ଷତା ବା ନୈରାଶ୍ୟର ଚିହ୍ନ ନାହିଁ । ଉତ୍ସାହ, ଆଗ୍ରହ, ଆନନ୍ଦରେ ସମସ୍ତଙ୍କର ପ୍ରାଣ ପୂର୍ଣ୍ଣ । ବାପାଙ୍କର ଆଦେଶ ପ୍ରତୀକ୍ଷାରେ ସମସ୍ତେ ଉଦ୍‌ଗ୍ରୀବ ହୋଇ ଚାହିଁରହିଛନ୍ତି ।

 

ବାପା ସେମାନଙ୍କୁ କହିଲେ, ତେମେମାନେ ପାଇକ ପୁଅ, ଯୁଦ୍ଧ ତମର ବେଉସା, ମଣିଷର ଜୀବନ ମରଣ ସଙ୍ଗେ ତମର ଖେଳା !

 

ସମସ୍ତେ କହିଲେ, ହଁ, ମହାନାୟକ ।

 

ବାପା କହିଲେ, ତମମାନଙ୍କ ଭିତରୁ ଯେଉଁମାନେ ମରଣକୁ ଭୟ କର ସେମାନେ ଶୀଘ୍ର ଏ ସ୍ଥାନ ଛାଡ଼ି ଚାଲିଯାଅ, ଯୁଦ୍ଧବେଳେ ଯୁଦ୍ଧକ୍ଷେତ୍ରରେ ଯେପରି ପଛଘୁଞ୍ଚା ଦେଇ ମାନ ମହତ୍ୱ ଦି’କଡ଼ା ନକର !

 

ସମସ୍ତେ କହିଲେ, ମରଣକୁ ଆମେ ଡରୁନାହିଁ ।

 

ବାପା କହିଲେ, ତେବେ, ତମେମାନେ ଘରକୁ ଯାଅ । କାଲି ସକାଳୁ ସମସ୍ତଙ୍କୁ ଗଡ଼କୁ ଯିବାକୁ ପଡ଼ିବ । କୋଡ଼ିଏ ବର୍ଷରୁ କମ୍‌ ଯେଉଁମାନଙ୍କର ବୟସ ଓ ପଚାଶ ବର୍ଷରୁ ଅଧିକ ଯେଉଁମାନଙ୍କୁ ସେମାନଙ୍କର ଯୁଦ୍ଧକୁ ଯିବା ଦରକାର ନାହିଁ ।

 

ଲୋକେ କୁହାଟ ମାରି, ବାହାସ୍ଫୋଟ ଦେଇ ଘରକୁ ଫେଚିଲେ ।

 

ପରଦିନ ବଡ଼ିସକାଳୁ, ସ୍ତ୍ରୀ ପୁରୁଷ, ବାଳକ ବାଳିକା ସମସ୍ତେ ଆସି ଆମ ଦାଣ୍ଡରେ ରୁଣ୍ଡ ହେଲେ । ପାଇକଙ୍କର କୁହାଟରେ ଗାଁ ଦାଣ୍ଡ ମୁଖରିତ ହେଲା । ବାପା ଯୁଦ୍ଧର ପୋଷାକ ପିନ୍ଧି ଅଗଣାରେ ଆସି ଠିଆ ହୋଇଥାନ୍ତି । ବୋଉ, କୋଶବଦ୍ଧ ତରବାରି ଆଣି ତାଙ୍କର କାନ୍ଧରେ ଝୁଲାଇଦେଲା । ଅତି ଯତ୍ନରେ ଗୁନ୍ଥିଥିବା ଫୁଲର ମାଳଟି ଆଣି ମୁଁ ତାଙ୍କ ବେକରେ ଲମ୍ବାଇଦେଲି । ସେ ଆନନ୍ଦରେ ମୋତେ ଆଲିଙ୍ଗନ କରି କହିଲେ, ମା, ପାଇକ ପୁଅର ସ୍ତ୍ରୀ କନ୍ୟା ଦେଶର ମଙ୍ଗଳ ପାଇଁ ଠିକ୍‌ ଏହିପରି ବିଦାୟ ଦିଅନ୍ତି ।

 

ମୁଁ ସାମାନ୍ୟ ହସିଲି, ବୋଉର ମୁହଁଟି ଶୁଖିଯାଇଥାଏ ।

 

ବାପା ଧୀରେ ଧୀରେ ପଦାକୁ ଆସିଲେ । ମୁଁ ଓ ବୋଉ ତାଙ୍କ ପଛେ ପଛେ ଆସିଲୁଁ । ବାପାଙ୍କୁ ଦେଖି ପାଇକମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ମୁଣ୍ଡ ଉପରକୁ ଟେକିଲେ । ପୁଣି ବୀରବାଜା ବାଜିଉଠିଲା । ଶଙ୍ଖ, ମହୁରୀ, ସିଂଘାର ସ୍ୱର ସଙ୍ଗେ ପାଇକମାନଙ୍କର କୁହାଟ ଓ କୁଳକାମିନୀଙ୍କର ହୁଳହୁଳି ଧ୍ୱନି ମିଶିଗଲା ।

 

ପାଇକମାନଙ୍କୁ ଚାହିଁ ବାପା କହିଲେ, ଆଉ ଡେରି କରିବା ନାହିଁ, ଚାଲ ଏଥର ଗଡ଼କୁ । ଏତିକି କହି ସେ ଆଗେ ଆଗେ ଚାଲିଲେ । ଜଣ ଜଣ ହୋଇ ପାଇକ ତାଙ୍କ ପଛେ ପଛେ ଚାଲିଲେ-। ରାସ୍ତା ମୋଡ଼ର ସେପାଖ ଅଦୃଶ୍ୟ ହେବାଯାଏ ଆମେମାନେ ତାଙ୍କୁ ଚାହିଁ ରହିଥାଉଁ । ଗାଁ’ଲୋକେ ଗଡ଼କୁ ଚାଲିଯିବା ପରେ ଗାଁଟା ଶୂନ୍‌ଶାନ୍‌ ହୋଇଗଲା । ସତେକି ଗାଁରେ ଆଉ ଜୀବନ ନାହିଁ ।

 

ମୋର ସ୍ୱାଧୀନତା ଆହୁରି ବଢ଼ିଗଲା ! ବୋଉ କି ଅର୍ଜୁନ ଭାଇଙ୍କ ସଙ୍ଗେ ପୂର୍ବପରି ବୁଲିବାକୁ ବାହାରେ । କେହି ନ ବାହାରିଲେ ମୁଁ ଏକୁଟିଆ ନଈକୂଳକୁ ଯାଏ । କୂଳରେ ବସି ନଈ ସେପାରିର ଧୂଆଁଳିଆ ପାହାଡ଼ ଦେଖେ । ଜଙ୍ଗଲରୁ ବଣଫୁଲ ତୋଳି ମାଳ ଗୁନ୍ଥେ । ନୋହିଲେ, ଏକୁଟିଆ ପଥର ଚଟାଣ ଉପରେ ବସି ଆକାଶକୁ ଚାହିଁ ଗୀତ ବୋଲେ । ବାପ, ଏହିପରି ଆନନ୍ଦରେ ମୋର ସମୟ କଟିଯାଏ । ଯୁଆଡ଼େ ବୁଲିଗଲେ ସୁଦ୍ଧା ସଞ୍ଜଆଗରୁ ମୁଁ ନିତି ଘରକୁ ଫେରେ ।

 

କେବେ କେବେ ଅର୍ଜୁନଭାଇ ଆସନ୍ତି । ଅର୍ଜୁନଭାଇ ଏକପ୍ରକାର ବାବାଜୀ ହୋଇଗଲେଣି । ପିନ୍ଧିୁଥାନ୍ତି ଖଣ୍ଡେ ଗେରୁଆ ଲୁଗା । ମୁଣ୍ଡବାଳ କହରା, ଫରଫର । ଖାଲି ଦେହରେ ମୁଠିଏ ପାଉଁଶ ବୋଳିବା ବାକି ଅଛି । ସେ ଯାହାହେଉ, ତାଙ୍କର ବଳିଷ୍ଠ ଦେହ, ସୁନ୍ଦର ମୁଖକାନ୍ତି, ଉଜ୍ଜ୍ୱଳ ଆଖି ଦେଖିଲେ ମନରେ ଆନନ୍ଦ ଜାଗିଉଠେ ।

 

ଅର୍ଜ୍ଜୁନଭାଇ ସଙ୍ଗେ ବୁଲିଗଲେ ଏଣିକି ସେ ଆଉ ଗଳ୍ପ କହନ୍ତି ନାହିଁ କି କାବ୍ୟ ପୁରାଣରୁ ବାଛି ବାଛି ଭଲ ଉପାଖ୍ୟାନ ଶୁଣାନ୍ତି ନାହିଁ । ଖାଲି ନିରସ ଦର୍ଶନ ଚର୍ଚ୍ଚାରେ ବେଳ କଟାନ୍ତି । ମେଘ କାହିଁକି ସୃଷ୍ଟି ହେଲା, କୋଇଲିକି ଭଗବାନ କଳା କଲେ କାହିଁକି, ମଣିଷ ଭଗବାନଙ୍କୁ କାହିଁକି ପୂଜା କରିବ ଇତ୍ୟାଦି । ମୁଁ ନୀରବରେ ସବୁ ଶୁଣିଯାଉଥାଏ। କିଛି ବୁଝିପାରେ ନାହିଁ । ତାଙ୍କର ହାତ ଧରି ଚାଲିବା ହିଁ ମୋର ଏକମାତ୍ର ଆନନ୍ଦ ବୋଲି ମନେକରେ ।

 

ଏତିକି କହି ଜୟନ୍ତୀ ନୀରବ ହେଲେ । ରାତି ଅଧ ହେଲା ! ଅଂଶୁପା ହ୍ରଦର ଆରପାଖରୁ ଆସୁଥିବା କେତୋଟି କ୍ଷୀଣ ଆଲୋକ ରେଖା ମଧ୍ୟ ନିଭିଗଲା । ତ୍ରୟୋଦଶୀର ଉଜ୍ଜ୍ୱଳ ଜହ୍ନ ସରଣ୍ଡା ପାହାଡ଼ର ପଛପଟେ ଲୁଚିଯିବାକୁ ବସିଛି । ଅନ୍ଧକାର ଅଂଶୁପା ହ୍ରଦର ସେ ପାଖରୁ ଧୀରେ ଧୀରେ ମାଡ଼ିଆସୁଛି । ପ୍ରକୃତି ନିସ୍ତବ୍‌ଧ । କେବଳ ଗିରି ଝରଣାର କଳ କଳ ଜୀବନର କ୍ଷୀଣ ସୂଚନା ଦେଉଛି ।

 

ଜୟନ୍ତୀ ଜୟନ୍ତର ହାତ ଧରି କହିଲେ, ବାପ, ରାତି ବେଶି ହେଲାଣି, ଚାଲ ଏଥର ଘରକୁ ଫେରିବା । ମୋର କରୁଣ ଜୀବନର ଇତିହାସ ବର୍ତ୍ତମାନ ସୁଦ୍ଧା ଆରମ୍ଭ କରିପାରି ନାହିଁ । ହଠାତ୍‌ ଏପରି ଭାବରେ ଆରମ୍ଭ କରିବା ମୋର ଇଚ୍ଛା ନଥିଲା । ଜୀବନର ପ୍ରତ୍ୟେକ ଅବସ୍ଥା ଓ ତା’ର ଚିନ୍ତାର ପ୍ରଭାବ ଅନ୍ୟ ଅବସ୍ଥା, ଚିନ୍ତା ଓ କର୍ମ୍ମ ଉପରେ ପ୍ରତିଫଳିତ ହୁଏ । ପିଲାଦିନରୁ ଶିକ୍ଷା, ସଭ୍ୟତା ଓ ମନର କ୍ରମବିକାଶ ଜୀବନ-ବସନ୍ତ ଯୌବନର ଗତିକୁ ନିୟନ୍ତ୍ରିତ କରେ । ସେଥିପାଇଁ ବାଲ୍ୟ ଜୀବନର ପବିତ୍ର ସରଳ ଇତିହାସ ଯେତିକି ମନେପଡ଼ିଲା ସେତିକି ତୋତେ କହିଲି । ସମୟ ମିଳିଲେ କାଲି ପୁଣି ଜୀବନର ଦ୍ୱିତୀୟ ଅଧ୍ୟାୟ ଯୌବନର ଅଭିଜ୍ଞତା ସମ୍ବନ୍ଧରେ କହିବି । ଆ ବାପ, ଡେରି ହେଲାଣି ।

 

ଜୟନ୍ତ ଦ୍ୱିଧା ନକରି ଉଠିଲା । ମାତାଙ୍କର ହାତଧରି ଧୀରେ ଧୀରେ ପଥର ଚଟାଣ ଉପରୁ ତଳକୁ ଓହ୍ଲାଇ କୁଟୀର ପଥରେ ଚାଲିଲା ।

 

ପରଦିନ ସନ୍ଧ୍ୟାବେଳେ ପୁଣି ସେହି ପଥର ଚଟାଣ ଉପରେ ବସି ଜୟନ୍ତୀ ଆରମ୍ଭ କଲେ, ବାପ, ଯୁଦ୍ଧ ଆରମ୍ଭ ହେବାର ଖବର ଆମେ ପାଇଲୁ । ଭୟରେ ଦକ ଦକ ହୋଇ ଗାଁ’ଯାକର ଅବଶିଷ୍ଟ ଲୋକଙ୍କର ବେଳ କଲବଲରେ କଟୁଥାଏ । ସ୍ତ୍ରୀ ଲୋକମାନଙ୍କର ଦଶା କହିଲେ ନସରେ । ସ୍ୱାମୀ, ପିତା, ପୁତ୍ର ସମସ୍ତେ ତ ଯୁଦ୍ଧରେ ଲାଗିଛନ୍ତି; ମନରେ ଶାନ୍ତି ଆସିବ କିପରି ? ଦିନଟିଏ କଟିଲେ ଯୁଗଟିଏ କଟିଲା ପରି ଲାଗେ । କାହାରି ଖବର କେହି ପାଇପାରନ୍ତି ନାହିଁ । ଯେଉଁ ଦିନ ଗୁପ୍ତଚର ଆସି ଗାଁରେ ପହଞ୍ଚେ, ସେଦିନ ଲୋକଙ୍କର ଚାଞ୍ଚଲ୍ୟ, ଲୋକଙ୍କର ଉଦ୍‌ବିଗ୍ନତା କହିଲେ ନସରେ । ଆବାଳବୃଦ୍ଧବନିତା ସମସ୍ତେ ଆସି ତାର ଚାରି ପାଖରେ ରୁଣ୍ଡ ହୁଅନ୍ତି । ବେଳ ଅବେଳ ନମାନି କୁଳଭୁଆସୁଣୀମାନେ ସୁଦ୍ଧା ଚର ନିକଟକୁ ଆସି ଆତ୍ମୀୟମାନଙ୍କ ଭଲ ମନ୍ଦ ଖବର ପଚାରି ଯାଆନ୍ତି ।

 

ଦେଶର ଲୋକ ଗଡ଼ରେ ଜମା ହୋଇ ଅବରୁଦ୍ଧ ଦୁର୍ଗକୁ ରକ୍ଷା କରୁଛନ୍ତି । କିଏ କେଉଁଠି ଅଛି ତାର ଠିକଣା ନାହିଁ । ଚରମାନେ ଖବର ପାଇବେ କେଉଁଠୁ ? ତଥାପି ସେ ସତମିଛ ଗପି ଲୋକଙ୍କ ମନରେ ଆଶା ଓ ଉତ୍ତେଜନା ଆଣନ୍ତି ।

 

ଦୁଇ ଚାରଦିନ କଟିଯାଏ । କୌଣସି ଚରକୁ କେହି ଦେଖନ୍ତି ନାହିଁ । ଲୋକଙ୍କ ମନରୁ ସନ୍ଦେହର ମାତ୍ରା ଧୀରେ ଧୀରେ କମିଆସେ ।

 

ମୋର ତରୁଣୀସୁଲଭ ବୁଲାମନ ଘରେ ରହେ ନାହିଁ । ଦିନେ ବୋଉକୁ କହିଲି, ଘରେ ରହି ରହି ଆଉ ଭଲ ଲାଗୁନାହିଁ, ଆ ବୁଲିଯିବା । ସେ ପ୍ରଥମେ ପୂର୍ବପରି ବାରଣ କଲା, ମୁଁ ତାକୁ ବାରକଥା କହି ଭୁଲାଇ ଦେଲାରୁ ସେ ମୋ ସଙ୍ଗରେ ବୁଲିଯିବାକୁ ମଙ୍ଗିଲା ।

 

ପୁଣି ବୁଲିଯିବା ଆରମ୍ଭ କଲୁ । ବୋଉ ବରାବର ମୋ ସଙ୍ଗରେ ଯାଏ ନଈକୂଳକୁ, ପାହାଡ଼ ଉପରକୁ କିମ୍ବା ଜୟଗୋପାଳଙ୍କ ମନ୍ଦିରକୁ । ପାହାଡ଼ ଉପରକୁ ଗଲେ ମୁଁ ବୋଉର ହାତ ଧରିଥାଏଁ । ସେ ଆଣ୍ଠୁରେ ହାତଭରା ଦେଇ ଉପରକୁ ଉଠେ । କ୍ଲାନ୍ତ ହୋଇ ମୋର ଅତି ପରିଚିତ ପଥର ଚଟାଣ ଉପରେ ଘଡ଼ିଏକାଳ ବସିଯାଏ । ପାହାଡ଼ ଉପରେ ଥିଲାବେଳେ ଯଦି ଝଡ଼ ବର୍ଷା ହୁଏ, ଆମେ ସେହି ପଥର ଚଟାଣ ତଳେ ଗୋଟିଏ ଛୋଟ ଗୁହାରେ ଲୁଚି ଆତ୍ମରକ୍ଷା କରୁ । ସବୁ ଦିନେ ଯା ଆସ କରି ଗୁହା ଭିତରଟିକୁ ମୁଁ ପରିଷ୍କାର ରଖିଥାଏ ।

 

ପାହାଡ଼ ତଳେ, ରାସ୍ତା ଉପରେ ଗୋଟିଏ ଛୋଟ କୁଡ଼ିଆ, ପାଗଳବାବାଙ୍କର । ପାଗଳବାବା ଜାତିରେ ବ୍ରାହ୍ମଣ, ଭିକ ମାଗି ବେଳ କାଟନ୍ତି । ଅତି ବୁଢ଼ା ହେଲେ କଣ ହେଲା ଯିବା ଆସିବାର ଶକ୍ତି ତାଙ୍କର ଅଦ୍ଭୁତ । ଯେତେବେଳେ ସେ ତାଙ୍କର ଜୟମଙ୍ଗଳ ଠେଙ୍ଗାଟି ଧରି କାନ୍ଧରେ ଥଳିଟି ଝୁଲାଇ ଗଛଓହଳ ଭିତରେ ଗଳି ଗଳି ନିର୍ବଘ୍ନରେ ଚାଲିଯିବାକୁ ବସନ୍ତି, ତାଙ୍କର ଲମ୍ବ ଲମ୍ବ ପାକଲା ନିଶ ଦାଢ଼ି ଓ ମୁଣ୍ଡବାଳ ଗଛପତ୍ରରେ ଲାଖିଯାଇ ତାଙ୍କୁ ଘଡ଼ିଏ ଅଟକାଇଦିଏ । ସେ ବିରକ୍ତ ହୋଇ ଗୁଣୁଗୁଣୁ କରି କେତେ କଣ କହନ୍ତି । ସେ କୁଆଡ଼େ ଯାଆନ୍ତି, କାହିଁକି ଯାଆନ୍ତି କାହାକୁ କିଛି କହନ୍ତି ନାହିଁ । କେହି କିଛି ପଚାରିଲେ ସେ ହସନ୍ତି, ସେଇଥି ପାଇଁ ତ ସେ ପାଗଳ ।

 

ତାଙ୍କ କୁଡ଼ିଆର ତାଟି ସବୁବେଳେ ଆଉଜା ହୋଇଥାଏ । ଯାହାର ଇଚ୍ଛା ସେ ପଶି ଦେଖେ । ଉପକରଣ ଭିତରେ କେଇଟି ମାଠିଆ, ଖଣ୍ଡେ ବାଘଛାଲ ଓ ଗୋଟିଏ ମାଟିର ଦୀପ ।

 

ଝଡ଼ବର୍ଷାରୁ ରକ୍ଷା ପାଇବାକୁ ଆମେ ସେହି ପାଗଳବାବାଙ୍କ କୁଡ଼ିଆରେ ଆଶ୍ରା ନେଉ । ସେ ତ ସବୁବେଳେ ଅନୁପସ୍ଥିତ, ଆମକୁ ଦେଖୁଛି କିଏ ? ବର୍ଷା କମିଗଲେ ପୁଣି ଗ୍ରାମକୁ ଫେରିଆସୁ । ପାହାଡ଼ ଉପରକୁ ବୁଲିବାକୁ ଆସିଲେ ବୋଉ ଥକିଯାଏ ବୋଲି ସେ ଏଣିକି ବୁଲି ଆସିବାକୁ ମଙ୍ଗେ ନାହିଁ ।

 

ଦିନକର ଘଟଣା, ଛାଇନେଉଟ ବେଳ, ପାହାଡ଼ କଡ଼କୁ ବୁଲିଯିବି ଏହିକଥା ମନରେ ପାଞ୍ଚି ମୁଁ ଘର ଭିତରୁ ପଦାକୁ ଆସିଲି । ବୋଉ ଦାଣ୍ଡ ଚଉରା ପାଖରେ ତୁନି ହୋଇ ବସି କଅଣ ଭାବୁଥାଏ । ମୋତେ ଦେଖି ଆଖିରୁ ଲୁହ ପୋଛିଲା । ମୁଁ ବ୍ୟସ୍ତ ହୋଇ କହିଲି, ବୋଉ, ଏକୁଟିଆ ଏପରି ମନମାରି ବସିଛୁ କାହିଁକି ? ଆ,ନଈକୂଳ ଆଡ଼େ ବୁଲିଯିବା ।

 

ବୋଉ ଦୀର୍ଘଶ୍ୱାସ ଛାଡ଼ି କହିଲା, ଆଜି ବୁଲିଯିବାକୁ ମନ ଡାକୁନାହିଁ ମା, ତୁ ଯଦି ଯାଉଛୁ ଯା, ସଞ୍ଜ ଆଗରୁ ଫେରିଆସିବୁ । ଆଜି ଚର ଗଡ଼ରୁ ଖବର ଆଣିଛି ।

 

ମୁଁ ଉଦ୍‌ବିଗ୍ନ ହୋଇ ପଚାରିଲି ଚର କଅଣ କହୁଥିଲା କି ?

 

କହୁଥିଲା, ଗଜପତିଙ୍କ ସିପେଇମାନେ ଆମ ଲୋକଙ୍କୁ ରାତିରେ ଆକ୍ରମଣ କରି ଛେଳି ମେଣ୍ଢା ପରି ହାଣି ପକାଇଛନ୍ତି । କେତେ ଲୋକ ଯେ ମରୁଛନ୍ତି ତା’ର କଳନା ନାହିଁ । ତେବେ, କିଏ କିଏ ମରିଛନ୍ତି ସେ କହିପାରିଲା ନାହିଁ । ଏ ଖବର ଶୁଣିଲାବେଳୁଁ ମୋର ଆଉ ଗୋଡ଼ହାତ ଚଳୁନାହିଁ-। ସତକଥା ବୁଝିବାକୁ ହାତ ଓଠ ଧରି ଚରକୁ ପୁଣି ଗଡ଼କୁ ପଠାଯାଇଛି, ସେ ନ ଫେରିବା ଯାଏ ମନରେ ଶାନ୍ତି ଆସିବ ନାହିଁ ମା ।

 

ମୁଁ କହିଲି, ଚରର କଥାରେ କେଉଁ ସତ । ସେ ପରା କହୁଥିଲା ଗଜପତିଙ୍କ ସିପାହୀମାନେ ଗାଁ ଗାଁରେ ପଶି ଲୁଟି କରୁଛନ୍ତି, କାହିଁ ଅନ୍ୟ କାହା ମୁହଁରୁ ତ ଏକଥା ଶୁଣା ଯାଉନାହିଁ । ତାପରେ, ଗଜପତିଙ୍କ ସୈନ୍ୟ କେବେ ରାତିରେ କାହାରିକୁ ଆକ୍ରମଣ କରି ଯୁଦ୍ଧରେ ନିୟମ ଭାଙ୍ଗିବେ ନାହିଁ । ଏଡ଼େ ଅଧର୍ମ୍ମ ସେମାନେ କରିବେ ନାହିଁ ।

 

ବୋଉର ମୁହଁ ଉଜ୍ଜ୍ୱଳ ଦେଖାଗଲା । ମୋର ଆଶ୍ୱାସୀ ବାଣୀ ତା’ର ଅନ୍ତରରୁ ସବୁ ସନ୍ଦେହ ନିର୍ବାସିତ କରିଦେଲା । ସେ କହିଲା, ହୋଇପାରେ ମିଛ, ତେବେ ଜୀବନ ଉପରେ ପଡ଼ିଲେ ଲୋକ ସବୁ କରିପାରେ ।

 

ଆ, ବୁଲିଯିବା ।

 

ମୁଁ ଯିବିନାହିଁ, ତୁ ଯା । ମେଘଟା ଆକାଶ ଘୋଟି ଆସିଲାଣି, ଟିକିଏ ସହଳ ସହଳ ଫେରିଆସିବୁ ମା, ନୋହିଲେ ସେଦିନ ପରି ଜୁଡ଼ୁ ବୁଡ଼ୁ ହୋଇ ଫେରିବୁ । ବେଶି ଦୂରକୁ ଯିବୁ ନାହିଁ ।

 

ବୋଉଠାରୁ ଅନୁମତି ପାଇ ମୁଁ ମନ ଖୁସିରେ ନଈକୂଳକୁ ଚାଲିଲି । ଆକାଶରେ ମେଘ ଆଉ ମୋତେ ଡରେଇ ପାରିଲା ନାହିଁ । ସୁଲୁସୁଲିଆ ଥଣ୍ଡା ପବନଟା ମଧ୍ୟ ମୋର ଚଞ୍ଚଳ ଗତିକୁ ମନ୍ଥର କରିପାରିଲା ନାହିଁ । ନଈକୂଳ ଖଣ୍ଡେଦୂର ଅଛି, ଦେଖିଲି ମୋର ଅତି ପରିଚିତ ପଥର ଚଟାଣ ଉପରେ ସନ୍ନ୍ୟାସବେଶୀ ଜଣେ କିଏ ବସି ନଈଆଡ଼କୁ ଚାହିଁରହିଛନ୍ତି ।

 

ଆହୁରି ନିକଟକୁ ଯାଇଁ ଗୋଟିଏ ବୁଦା ଆଢ଼ୁଆଳରେ ଲୁଚି ଦେଖିଲି, ପଥର ଚଟାଣ ଉପରେ ଅର୍ଜୁନଭାଇ ତୁନି ହୋଇ ବସିଛନ୍ତି । ସୁଦୂର ପଶ୍ଚିମ ଦିଗ୍‌ବଳୟରେ ଅସ୍ତୋନ୍ମୁଖୀ ସୂର୍ଯ୍ୟର ବଉଦ ସଂଯୁକ୍ତ ଅର୍ଦ୍ଧ ଲୁକ୍‌କାୟିତ ଲୋହିତ ଛବି ଉପରେ ତାଙ୍କର ଆଖି ଦିଓଟି ସ୍ଥିର । ନିକଟରେ ଦୁଇ ଚାରିଖଣ୍ଡ ପୋଥି ସଜଡ଼ା ହୋଇ ରଖା ହୋଇଛି । ମୁଁ ବୁଦା ପଛରୁ ବାହାରି ଦୁଇ ହାତରେ ପଛଆଡ଼ୁ ତାଙ୍କର ଆଖି ବୁଜି ତାଙ୍କୁ ସହସା ଚମକାଇ ଦେବାକୁ ମନ କରିଛି–ଦେଖିଲି, ସେ ହାତ ଦିଓଟି ଉପରକୁ ଟେକି ଗୋଟିଏ ଅଧମଉଳା ଫୁଲ ମାଳକୁ ଅତି ଯତ୍ନରେ ସଜାଡ଼ିବାର ଚେଷ୍ଟା କରୁଛନ୍ତି ।

 

ମୋ ମନ କଥା ମନରେ ରହିଲା । ସେ କଅଣ କରିବେ କେବଳ ସେଇଆ ଦେଖିବାକୁ ମୁଁ ପୂର୍ବପରି ଚାହିଁରହିଲି । ମୁଁ ଜାଣେ ସେ ଯେଉଁ ଫୁଲମାଳଟି ହାତରେ ଧରିଛନ୍ତି, ସେ ଖଣ୍ଡି ପୂର୍ବଦିନ ସନ୍ଧ୍ୟାରେ ସେହି ଚଟାଣ ଉପରେ ବସି ମୁଁ ଗୁନ୍ଥୁଥିଲି । ତର ତର ହୋଇ ଘରକୁ ଫେରିଲାବେଳେ ଭୁଲରେ ଫୁଲମାଳଟି ସେହି ପଥର ଚଟାଣ ଉପରେ ଛାଡ଼ିଯାଇଥିଲି ।

 

ଅର୍ଜୁନଭାଇ ସେ ଖଣ୍ଡିକ ନେଇ ଛାତି ଉପରେ ରଖିଲେ । କିଛିକ୍ଷଣ ପରେ ତାକୁ ହାତରେ ଧରି ଚୁମ୍ବନ କଲେ । ଭୀତ-ଜଡ଼ିତ ଚକ୍ଷୁରେ ଚାରିଆଡ଼କୁ ଚାହୁଁଥାନ୍ତି । ଏହାର ଅର୍ଥ ମୁଁ ବୁଝିପାରିଲି ନାହିଁ । ତୁଚ୍ଛା ଗୋଟାଏ ଅଧ-ମଉଳା ଫୁଲମାଳକୁ ଛାତିରେ ଚାପିଧରି ଚୁମ୍ବନ କରି ଅର୍ଜୁନଭାଇ ପରି ଜଣେ ନିର୍ବିକାର ସନ୍ନ୍ୟାସୀର ମନରେ କି ଆନନ୍ଦ ଆସିପାରେ ? ଏ ବିଷୟ ମୁଁ ଅନୁମାନ କରିପାରିଲି ନାହିଁ । ଚିନ୍ତାରେ ବିଭୋଳ ହୋଇ ଧୀରେ ଧୀରେ ବୁଦା ଉଢ଼ୁଆଳରୁ ବାହାରି ଅର୍ଜୁନଭାଇ ନିକଟକୁ ଚାଲିଆସିଲି । ତାର ମୁହଁକୁ ବାରମ୍ବାର ଫେରି ଚାହଁବାକୁ ମନ ହେଉଥାଏ । ଯେତେଥର ଚାହେଁ, ଦେଖେ ମୋର ସେହି ଅଧ-ମଉଳା ଫୁଲମାଳଟି ତାଙ୍କର ଅଧର-ସଂଲଗ୍ନ ହୋଇଛି । ଆଖିରୁ ଲୁହଧାର ଗଡ଼ିପଡ଼ୁଛି ।

 

ଅର୍ଜୁନଭାଇ ସନ୍ନ୍ୟାସୀ, ତଥାପି ସେ ଯୁବକ ! ମୋ ପ୍ରତି ଯେ ସେ ଆକୃଷ୍ଟ ଏ କଥା ପୂର୍ବରୁ ମୁଁ ବା ସେ ସ୍ୱତନ୍ତ୍ର ଭାବରେ ଅନୁମାନ କରୁଥିଲେ ମଧ୍ୟ ବିଶ୍ୱାସ କରିବାକୁ ମନ ଡାକେ ନାହିଁ-। ଆକର୍ଷଣ ବା ପ୍ରଲୋଭନ ଆସୁ, ସେ ନିଜର କର୍ମପନ୍ଥା ଓ କର୍ତ୍ତବ୍ୟ ଜ୍ଞାନ ମନେପକାଇ ନିଜକୁ ସମ୍ଭାଳିନିଅନ୍ତି । କେତେଥର ସେ ମୋତେ ଆଲିଙ୍ଗନ କରିଛନ୍ତି, କପାଳରେ ମୁହଁ ଲଗାଇଛନ୍ତି-। ମୁଁ ଲତାଟି ପରି ତାଙ୍କର କାନ୍ଧ ଉପରେ ଝାଉଁଳିପଡ଼ିଲେ ସେ ପୁଣି କଣ ଭାବି ମୋତେ ଦୁଇ ହାତରେ ଦୂରକୁ ଠେଲିଦେଇ ଚାଲିଯାଇଛନ୍ତି । ଯୁବକ-ଯୁବତୀସୁଲଭ ଆକର୍ଷଣ ତ ଆସିବା ଅତି ସ୍ୱାଭାବିକ, ସେ କିନ୍ତୁ ତାଙ୍କର ଆଦର୍ଶ ବ୍ରହ୍ମଚାରୀ ଜୀବନର କର୍ମ୍ମପନ୍ଥା ମନେପକାଇ ସତର୍କ ହୋଇ ସେହି ଆକର୍ଷଣ ମଝିରୁ ନିଜକୁ ଦୂରକୁ, ବହୁଦୂରକୁ ଟାଣିପାରିଛନ୍ତି ମନର ଜୋର୍‌ରେ-। ତେବେ, ଆଜି ତାଙ୍କ ମନରେ ଏପରି ଦୁର୍ବଳତା ସ୍ଥାନ ପାଇଲା କିପରି ?

 

ଏହି ବିଷୟ ଭାବି ମୁଁ ଚାଲି ଚାଲି ଆସି ପାହାଡ଼ ଉପରେ ଉପସ୍ଥିତ ହେଲି । ପାହାଡ଼ର ମୁଣ୍ଡଉପରେ ଠିଆ ହୋଇ ମୁଁ ଚାରିଆଡ଼କୁ ଚାହିଁଲି । ମନରେ ଭୟ ଜାତ ହେଲା । ସଞ୍ଜ ବୁଡ଼ିଆସୁଛି-। ପଶ୍ଚିମ ଦିଗ୍‌ବଳୟ କୋଳରେ ସୂର୍ଯ୍ୟଦେବ କେତେବେଳୁଁ ଲୁଚିଗଲେଣି । ମହାନଦୀର ପରପାରରୁ ଅନ୍ଧକାର ମାଡ଼ି ମାଡ଼ି ଆସୁଛି । ଦେଖୁ ଦେଖୁ ନଦୀର କ୍ଷୀଣ ଧାରକୁ ନିଜ ଗର୍ଭ ଭିତରେ ଲୁଚାଇ ଦେବ । ଏଣେ ଆକାଶର ଅବସ୍ଥା ଅତି ଭୟଙ୍କର । ବିଜୟୋଲ୍ଲାସୀ ସେନା ଫଉଜପରି ବଉଦମାଳା ଆକାଶସାରା ଛାଇହୋଇ ସଦର୍ପରେ ପରସ୍ପରକୁ ଅତିକ୍ରମ କରି ଚାଲିଯିବାକୁ ଆଗଭର । ଠିକ୍‌ ସେତିକିବେଳେ ପ୍ରବଳ ଝଡ଼ ତାର ନବରୂପ ଘେନି ମାଡ଼ିଆସିଲା । ମୋର ଦୁର୍ବଳ ଚମକକୁ ଦ୍ୱିଗୁଣ ବଢ଼ାଇଲା । ମୁଁ ଆତ୍ମରକ୍ଷା କରିବାକୁ ପଥର ଚଟାଣ ତଳେ ଆଶ୍ରୟ ନେଲି । ଝଡ଼ ଯଦି ବନ୍ଦ ହୋଇଯାଏ । ଘରକୁ ଫେରିଯିବାକୁ କଷ୍ଟ ହେବ ନାହିଁ ।

 

ଝଡ଼ କମିଲା ନାହିଁ । ବେଳୁବେଳ ବଢ଼ିବାକୁ ଲାଗିଲା । ତହିଁରେ ପୁଣି ଘୋର ବର୍ଷା । ଚାରିଆଡ଼ୁ ଅନ୍ଧାର ଘୋଟିଆସିଲାଣି । ଯଦି ରାତିଯାକ ଏହିପରି ବର୍ଷା, ଝଡ଼ ତୋଫାନ ହୁଏ ଘରକୁ ଫେରିବି କିପରି, ବାଟ ଘାଟ ତ ବାରିହେବ ନାହିଁ ?

 

ଏହିପରି କେତେ ସମୟ କଟିଗଲା । ଝଡ଼ ବର୍ଷା ଟିକିଏ କମିଲାପରି ବୋଧ ହେଲା । ଘରକୁ ଫେରିବାକୁ ମନ ଅଥୟ ହେଉଥାଏ । ଆଉ ସମ୍ଭାଳି ପାରିଲି ନାହିଁ । ଛାତି ଦମ୍ଭ କରି ଗୁହା ଭିତରୁ ପଦାକୁ ବାହାରିପଡ଼ିଲି । କିନ୍ତୁ ପ୍ରକୃତରେ ଝଡ଼ କମି ନଥାଏ । ଚାରିଆଡ଼ର ଭୟଙ୍କର ଦୃଶ୍ୟ ଦେଖି ମୋର ପ୍ରାଣ ଭୟରେ କାନ୍ଦିଉଠିଲା । ତଥାପି ଅନ୍ଧାରେ ଅଣ୍ଡାଳି ଅଣ୍ଡାଳି ପାହାଡ଼ ଛପରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କଲି । କ୍ଷଣକରେ ବର୍ଷାପାଣିରେ ଜୁଡ଼ୁବୁଡ଼ୁ ହେଲି । ଗୋଡ଼ ଚିପି ଧୀରେ ଧୀରେ ଡାଳପତ୍ର ଧରି ଓହ୍ଲାଇଲାବେଳେ କେତେଥର ଗୋଡ଼ ଖସିଯାଇ ପଥର କି ଗଛ ଦେହରେ ଅଟକିଯାଏ । କେତେବେଳେ ପଥର ଖଣ୍ଡେ ଝୁଣ୍ଟି ଖସି ଆସୁ ଆସୁ ଗଛ ଦେହରେ ଲୁଗା ଲାଗିଗଲେ ଅଟକିଯାଏ । ଲୁଗାପଟାର ଅବସ୍ଥା କହିଲେ ନସରେ । ସେଥିପ୍ରତି ମୋର ଭ୍ରୂକ୍ଷେପ ନଥାଏ ।

 

ଖଣ୍ଡେଦୂର ଆସି ମୁଁ ଅତି କ୍ଲାନ୍ତ ହୋଇପଡ଼ିଲି । ସତେ କି ମୋ ଦେହରୁ ସମସ୍ତ ଶକ୍ତି ନିଃଶେଷ ହୋଇଛି । ମୁଁ ଟିକିଏ ଆଶ୍ରା ଲୋଡ଼ି ଖଣ୍ଡେ ଅକର୍ମ୍ମଶିଳାକୁ ଭରା ଦେଇ ଠିଆ ହେଲି । ପାହାଡ଼ ଉପରୁ ପାଣି ଧାର ପ୍ରବଳ ବେଗରେ ମୋର କଡ଼ ଦେଇ କୁଳୁ କୁଳୁ ହୋଇ ଗଡ଼ିଯାଉଥାଏ-। ଠିକ୍‌ ସେହିପରି ମୋ ମୁଣ୍ଡ ଉପରୁ ବର୍ଷାପାଣି ଗଡ଼ିପଡ଼ିଥାଏ ପିଠିବାଟେ ତଳକୁ । ମୋ ମନର ସବୁ ଦମ୍ଭ, ସବୁ ସାହସ କୁଆଡ଼େ ଉଭେଇଗଲା ।

ଅନ୍ଧାର ଭେଦକରି ଗୋଟିଏ କ୍ଷୀଣ ଆଲୋକ ରେଖା ମୋର ଆଖିରେ ପଡ଼ିଲା । ଅନ୍ତର ଭିତରେ ସତେକି ନିଷ୍ପ୍ରଭ ଆଶାଲୋକ ମିଞ୍ଜି ମିଞ୍ଜି ହୋଇ ଜଳିଉଠିଲା । ଏଇ ତ ପାଗଳବାବାଙ୍କ କୁଡ଼ିଆ ଭିତରର ଆଲୁଅ ! ପାଗଳବାବା ତେବେ ଅଛନ୍ତି, ମୋର ଆଉ ଭୟ କଣ ? କୌଣସିମତେ ସେଠାରେ ଉପସ୍ଥିତ ହୋଇପାରିଲେ ରକ୍ଷା । ସେହି ଆଲୋକକୁ ଲକ୍ଷ୍ୟକରି ଥରି ଥରି ଡାଳପତ୍ର ଧରି ମୁଁ ଆଗକୁ ଚାଲିଲି ।

କିପରି ଯେ ମୁଁ ପାହାଡ଼ ଉପରରୁ ଓହ୍ଲାଇ ପାଗଳବାବାଙ୍କ କୁଡ଼ିଆ ଆଗରେ ଉପସ୍ଥିତ ହେଲି, ମୋର ମନେପଡ଼ୁନାହିଁ । ଅତି ଆନନ୍ଦରେ ମୁଁ ପାଗଳବାବାଙ୍କ କୁଡ଼ିଆ ଭିତରକୁ ପଶିଗଲି । ସହସା ମୋର ଆଖିରେ ଯେଉଁ ଦୃଶ୍ୟ ପଡ଼ିଲା ମୁଁ ସ୍ତମ୍ଭୀତ ହେଲି । ଘରର ଗୋଟିଏ କୋଣରେ ରୁଖା ଉପରେ ମାଟିର ଦୀପ ମିଞ୍ଜିମିଞ୍ଜି ହୋଇ ଜଳୁଛି । ଘର ମଝିରେ ଶୁଖିଲା କାଠ ଏକାଠି ଜମାଇ ସେଥିରେ ଅଗ୍ନି ସଂଯୋଗ କରାଯାଇଛି । ନିଆଁ ହୁ ହୁ ହୋଇ ଜଳି ଘରକୁ ଆଲୋକିତ କରୁଛି । ଜ୍ୱଳନ୍ତ ନିଆଁକୁ ବେଷ୍ଟନ କରି ଚାରିଜଣ ସୈନିକ ବସି ମଧୁରାଳାପ କରୁଛନ୍ତି । ଦେହର ଓଦାପୋଷାକ ଖୋଲି ନିଆଁକୁ ଦେଖାଇ ଶୁଖାଇବାକୁ ଚେଷ୍ଟା କରୁଛନ୍ତି । ପାଗଳବାବାଙ୍କର ଦେଖାନାହିଁ ।

ମୋ ମନରେ ଭୟ ହେଲା । ଚରର ସେଦିନର କଥା ମୋର ମନେପଡ଼ିଲା, ଗଜପତିଙ୍କ ସିପାହୀମାନେ ଗାଁ ଗାଁରେ ପଶି ଯାହା ପାଉଛନ୍ତି ଲୁଟିନେଉଛନ୍ତି । ସୁବିଧା ପାଇଲେ ଓ ଏକୁଟିଆ ଦେଖିଲେ ପରର ସ୍ତ୍ରୀ ପିଲାଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉନାହାନ୍ତି ।

ଭୟରେ ମୁଁ ପଥର ପାଲଟିଯାଇଥିଲି । ପଳାଇଯାଇ ଆତ୍ମରକ୍ଷା କରିବାକୁ ମୋ ଗୋଡ଼ର ସବୁ ଶକ୍ତି କିଏ କୁହୁକ ବଳରେ ହରଣ କରିନେଲାଣି ।

ସିପାହୀମାନେ ମୋର ଉପସ୍ଥିତ ଅନୁଭବ କରି ମୋରି ଆଡ଼କୁ ଚାହିଁଲେ । ସେମାନଙ୍କର ଜିଜ୍ଞାସୁ ଚାହାଣୀ ଭିତରେ ମୁଁ ବିସ୍ମୟର ଓ ଭୟର ସୂଚନା ପାଇଲି । କିନ୍ତୁ, ମୋର ଦୁରବସ୍ଥା ଉପଲବ୍‌ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଚାହାଣୀରୁ ଭୟବିହ୍ୱଳତାର ଆଭାସ ଲୁଚିଗଲା । ସଙ୍ଗେ ସଙ୍ଗେ ତା ପରିବର୍ତ୍ତେ ପୈଶାଚିକ ଆନନ୍ଦର ଦାରୁଣଦୀପ୍ତି ଜଳିଉଠିଲା । ମୁଁ ଉପସ୍ଥିତ ବିପଦର ଆଶୁ ଅଭିନୟ ଦେଖିବାକୁ ସ୍ଥିର ଅଚଞ୍ଚଳ ରହିଲି ।

ମୋର ଅବସ୍ଥା ଦେଖି ସିପାହୀମାନେ ଜ୍ୱଳନ୍ତ ନିଆଁ ପାଖରୁ ଉଠିଆସିଲେ । ସେମାନଙ୍କର ବଳିଷ୍ଠ ଅଙ୍ଗ, ଅକରୁଣ ଦୃଷ୍ଟି ଦେଖିଲେ ମହାଦାମ୍ଭିକ ପୁରୁଷର ଛାତି ମଧ୍ୟ ଥରିଉଠିବ । ମୁଁ ତ ଜଣେ ଦୁର୍ବଳା ବାଳିକା, ଏକାକିନୀ ଓ ନିଃସହାୟା ।

ସେମାନଙ୍କ ମଧ୍ୟରୁ ଜଣେ ମୋର ଅତି ନିକଟକୁ ଘୁଞ୍ଚିଆସି ନରମ ସ୍ୱରରେ ପଚାରିଲେ, ଏ ଦୁର୍ଗମ ରାତିରେ ତେମେ କଅଣ ବାଟବଣା ହୋଇ ଏଠାକୁ ଆସିଛ ?

ମୁଁ ସାହସ କରି କହିଲି, ମୁଁ ନିଆଶ୍ରା ।

ଆଉ ବେଶୀ କିଛି କହିପାରିଲି ନାହିଁ । ମୋର ପାଟିରୁ କଥା ଛଡ଼ାଇନେଇ ଜଣେ କହିଲା, ନିଆଶ୍ରା କାହିଁକି ? ତମପରି ସୁନ୍ଦରୀ ସ୍ତ୍ରୀ ଯଦି ଦୁନିଆଁରେ ନିଆଶ୍ରା ହୁଏ, ତେବେ !

କଥାଟା ଅଧା ରହିଗଲା ତା ତୁଣ୍ଡରେ । ତାର ଏପରି କଥା ଶୁଣି ମୋତେ ବିରକ୍ତ ଲାଗିଲା । ମୋର ରୂପ ନେଇ ସେ ତାର ମତ ପ୍ରକାଶ କରିବାକୁ କିଏ ? କିନ୍ତୁ ଭୟରେ ମୁହଁ ଖୋଲି ତାକୁ ମୁଁ କିଛି କହିପାରିଲି ନାହିଁ ।

ଆଉ ଜଣେ ପଚାରିଲା, ତମର ଘର ?

ମୁଁ କହିଲି, ଏଇ ନିକଟରେ, ଗୋଟାଏ ଗାଁରେ ।

ଅସମୟରେ ଏଠାରେ କାହିଁକି ଅଛ ?

ମୁଁ ବୁଲିବାକୁ ଆସିଥିଲି, ହଠାତ୍‌ ଝଡ଼ବର୍ଷା ହେଲା । ଘରକୁ ଫେରିପାରିଲି ନାହିଁ ।

ତମର କଅଣ ଘରେ ବାପ ଭାଇ ନାହାନ୍ତି ? ସେମାନେ ଅବଶ୍ୟ ଆସି ତୁମକୁ ଏଠାରୁ ନେଇଯିବେ । ଭୟ କାହିଁକି ? ଓଦା ସରସର ହୋଇ ଶୀତରେ ତ ଥରୁଛ, ନିଆଁ ପାଖକୁ ଘୁଞ୍ଚିଆସ ।

ଲୋକଟିର କଥା ଶୁଣି ଓ ତାର ଆତ୍ମୀୟତା ଦେଖି ମନରେ ସାହସ ହେଲା । ମୁଁ ଉତ୍ତର ଦେଲି, ମୋର ବାପା ଯୁଦ୍ଧକୁ ଯାଇଛନ୍ତି, ମୋର କେହି ଭାଇ ନାହିଁ । ଘରେ ବୋଉ ଏକୁଟିଆ ଅଛି । ଯଦି ତମ ଭିତରୁ କେହି ମୋତେ ଘରେ ଛାଡ଼ିବାକୁ ସଙ୍ଗରେ ଯାଆନ୍ତ ତ ଅତି ଉପକାର କରନ୍ତ । ଏକା ବୋଉ ମୋର ଘରେ ଦକ ଦକ ହେଉଥିବ ।

ସେ ଭିତରୁ ଜଣେ ମୋ କଥା ଶୁଣି ଠୋ ଠୋ ହସି କହିଲା ପରର ବେଠି କରିବାକୁ ବାପା ଆମକୁ ଶିଖାଇନାହାନ୍ତି ।

ବୋଧହୁଏ ଧନ ଲୋଭରେ ଏପରି କହୁଛି ଭାବି ମୁଁ କହିଲି, ତମର ପରିଶ୍ରମ ପାଇଁ ବୋଉ ନିଶ୍ଚୟ ତୁମକୁ ଧନରତ୍ନ ପୁରସ୍କାର ଦେବ ।

ସେ ପୂର୍ବପରି କହିଲା, ଧନରତ୍ନ ! ସେ ସବୁ କଅଣ ତମଠାରୁ ବେଶୀ ମୂଲ୍ୟବାନ । ତମପରି ମୂଲ୍ୟବାନ ରତ୍ନକୁ ଯେ ହାତରେ ପାଇଛି ତାର ଆଉ କେଉଁ ଧନରତ୍ନ ଲୋଡ଼ା ?

ସେ ମୋର ନିକଟକୁ ଘୁଞ୍ଚିଆସିଲା । ସେତେବେଳେ ବାହାରର ଝଡ଼ବର୍ଷା ମୋ ଆଖିରେ ବିପଦର କାରଣ ପରିବର୍ତ୍ତେ ବରଂ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଧ ହେଲା । ମୁଁ ବୁଲିପଡ଼ି କୁଡ଼ିଆ ଭିତରୁ ବାହାରି ଆସିବାକୁ ଚେଷ୍ଟା କଲି ।

କିଏ ଜଣେ ପଛଆଡ଼ୁ ମୋ’ର ହାତଟାକୁ ଚିପିଧରି ଋକ୍ଷ ସ୍ୱରରେ କହିଲା, ଏକୁଟିଆ ଯାଅନା କହୁଛି, ଅନ୍ଧାରିଆ ଦୁର୍ଗମ ରାତି, ବାଘ ସାପର ଭୟ ବି ଅଛି ।

ମୁଁ ବୁଲିପଡ଼ି ରାଗିଯାଇ କହିଲି, ପାଷାଣ୍ଡ, ମୋର ଦେହ ଛୁଇଁବାର ଅଧିକାର ଦେଲା କିଏ ? ଛାଡ଼ ମୋ ହାତ । ହାତଟିକୁ ଟାଣି ନେବାକୁ ଚେଷ୍ଟା କଲି, ପାରିଲି ନାହିଁ । ଆଉ ଜଣେ ସିପାହୀ ବୁଲିଆସି ମୋର ଅନ୍ୟ ହାତଟିକୁ ତାର ବଜ୍ର-ମୁଠା ଭିତରେ ବନ୍ଦୀ କଲା ।

ମୋ କଥା ଶୁଣି ସିପାହୀ କହିଲା, ମୋର ମନ ଓ ତୋର ଜଳିଲା ରୂପ ଛଳେଇଲା ଡବ ଡବ ଯୌବନ ମୋତେ ସେ ଅଧିକାର ଦେଇଛି ।

ମୋର ଦେହ ହାତ ଥରି ଉଠିଲା । ବାଧା ଦେଇ ଏମାନଙ୍କ ଆଗରୁ ତରିତ୍ରାଣ ପାଇବା ମୋ ପରି ନିଃସହାୟ ଦୁର୍ବଳ ନାରୀ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ମୋ’ର ଦୁଇ ଆଖିରୁ ଲୁହଧାର ଝରିପଡ଼ିଲା । ମୁଁ ଅତି କରୁଣ ସ୍ୱରରେ କହିଲି, ତେମେମାନେ ମୋର ପିତୃସ୍ଥାନୀୟ ! ତମର ମଧ୍ୟ ମା, ଭଉଣୀ, ଝିଅ ଅଛନ୍ତି । ସେହିମାନଙ୍କୁ ମନେପକାଇ ମୋତେ ଛାଡ଼ିଦିଅ । ମୁଁ ତମମାନଙ୍କ ଅନ୍ୟ କୌଣସି ସାହାଯ୍ୟ ଲୋଡ଼ୁନାହିଁ ।

 

ମୋ କଥାରେ କେହି କାନଦେଲେ ନାହିଁ । ମୋର ସେତେବେଳର ଅବସ୍ଥା ଦେଖିଥିଲେ ପାହାଡ଼ର ପଥର ସୁଦ୍ଧା ତରଳିଯାଇଥାନ୍ତା, କିନ୍ତୁ ଏହି ନୃଶଂସ ସୈନିକମାନଙ୍କର ମନର ପରିବର୍ତ୍ତନ ହେଲା ନାହିଁ । ସେମାନଙ୍କ ମଧ୍ୟରୁ ଜଣେ ହସି ହସି ନିମ୍ନ ସ୍ୱରରେ ଯେଉଁ ଘୃଣିତ ପ୍ରସ୍ତାବ କଲା, ସେ କଥା ଶୁଣି ମୋର ହୃଦୟର ସ୍ପନ୍ଦନ ବନ୍ଦ ହୋଇଆସିଲା ।

 

ସବୁ ବିନୟ ପ୍ରାର୍ଥନା ବିଫଳ ହେଲା । ଜଣେ ସୈନିକ ଭଲ ମନ୍ଦ ବିଚାର ନକରି ବିବେକର ଡାକ ନଶୁଣି କେବଳ ଉତ୍ତେଜନା ଓ ଅନ୍ତରର ପ୍ରବଳ ଭୋଗ ଲାଳସାର ବଶବର୍ତ୍ତୀ ହୋଇ ପାଗଳ ପରି ଛୁଟିଆସିଲା । ମୋର ଦୁର୍ବଳ କଟିକୁ ଦୁଇ ହାତରେ ବେଷ୍ଟନ କଲା । ମୋତେ ଛାତି ଉପରକୁ ଆଉଜାଇନେଲା । ମୋର ଚିବୁକରେ ତାର ତୃଷିତ ଅଧର ଲଗାଇବାକୁ ଯାଉଁଣୁ ତାର ଚଞ୍ଚଳ ଦୃଷ୍ଟି କାହାର ଛାୟାମୂର୍ତ୍ତି ଉପରେ ପଡ଼ିଲା । ସେ ଅବାକ୍‌ ହୋଇ ଠିଆ ହୋଇ ରହିଲା । ତାର ହାତ ଦୁଇଟା ଶିଥିଳ ହୋଇ ମୋର କଟି ଦେଶରୁ ତଳକୁ ଖସିପଡ଼ିଲା ।

 

କିଏ ଜଣେ ଅନ୍ୟ କାହାକୁ କହିବାର ଶୁଣାଗଲା, ଆସ ବାବା ଭିତରକୁ, ପଦାରେ ପଦାରେ ଠିଆହେଲ କାହିଁକି, ବର୍ଷା ଯେ ହେଉଛି ।

 

ନୈରାଶ୍ୟ ଭିତରେ ଟିକିଏ ଆଶାର ସନ୍ଧାନ ପାଇଲି । ଜାଣେ ନାହିଁ, କି ଅବୋଧ୍ୟ ଭାଷାରେ ମୁଁ ଆକୁଳ ହୋଇ ଚିତ୍‌କାର କରିଉଠିଲି, ମୋତେ ରକ୍ଷା କର ।

 

ସିପାହୀ ଦୁଇଜଣ ମୋର ହାତ ଛାଡ଼ି ପଛକୁ ଘୁଞ୍ଚିଗଲେ । କ୍ଷଣକ ଭିତରେ ଦୁଇଜଣ ଲୋକ କୁଡ଼ିଆ ଭିତରକୁ ପଶିଆସିଲେ । ପ୍ରଥମ ଲୋକଟି ନିଜେ ପାଗଳ ବାବା । ଅନ୍ୟ ଜଣକ ଜଣେ ତେଜସ୍ୱୀ ଯୁବକ । ସେମାନଙ୍କୁ ଦେଖି ମୋ ପିଣ୍ଡରେ ପ୍ରାଣ ପଶିଲା ।

 

ବୀରବେଶୀ ସୈନିକଗୁଡ଼ିଙ୍କର ଅବସ୍ଥା କହିଲେ ନସରେ । ଆଗନ୍ତୁକ ଯୁବକଟିଏ ଆଖି ତରାଟି ସେମାନଙ୍କର ମୁହଁକୁ ଚାହିଁଲେ । ସେମାନେ କାନ୍ଥକୁ ଆଉଜି ଯୋଡ଼ହସ୍ତ କରି, ମଥା ପୋତି ଠିଆ ହେଲେ । ଏହା ଭିତରେ ଯେ କି ଗୂଢ଼ ରହସ୍ୟ ଛପିରହିଛି ସେ କଥା ମୁଁ ବୁଝନ୍ତି କିପରି ?

 

ଯୁବକ ରୁକ୍ଷ ସ୍ୱରରେ କହିଲେ, ତମେମାନେ ଗଜପତିଙ୍କର ସୈନିକ ପରି ଦିଶୁଛ ତ ! କାହାର ଆଦେଶରେ ଯୁଦ୍ଧ ଭୂଇଁ ଛାଡ଼ି ଆସିଛ ଶୁଣେ ? ସିପାହୀମାନେ ଉତ୍ତର ଦେବା ପରିବର୍ତ୍ତେ ଭୟରେ ଅସ୍ଥିର ହୋଇ କାନ୍ଥ ପାଖକୁ ଘୁଞ୍ଚିଗଲେ ।

 

ଯୁବକ ପୁଣି କହିଲେ, ବୁଝିଲି, ତୁମରି ମାନଙ୍କର ଅସତ୍‌ ବ୍ୟବହାର ପାଇଁ ଗଜପତିଙ୍କର ନିର୍ମ୍ମଳ ନାମରେ କଳଙ୍କ ଲାଗିଛି । ଘରେ ଘରେ ଗଜପତିଙ୍କର ଦୁର୍ନାମ ରଟଣା ହେଉଛି । ତାହାରି ସତ୍ୟାସତ୍ୟ ବିଡ଼ିବା ପାଇଁ ମୁଁ ଛପି ଛପି ତମରି ଅନୁସରଣ କରିଥିଲି । ଦୁଇ ଆଖିରେ ଯାହା ଦେଖିଲି ସେଥିରେ ମୋର ସବୁ ସନ୍ଦେହ ଦୂର ହୋଇଗଲା । ନିଜର ଘୃଣିତ କର୍ମ୍ମ ପାଇଁ ଅବଶ୍ୟ ତୁମ୍ଭଙ୍କୁ ଯଥାଯୋଗ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ । ତା ପୂର୍ବରୁ ମୋତେ କହ, ଏହି ବାଳିକାଟି କିଏ ।

 

ସେମାନେ ଉତ୍ତର ଦେବା ପୂର୍ବରୁ ନିଜେ ପାଗଳବାବା ମୋ ମୁହଁକୁ ଚାହିଁ ଯୁବକକୁ ଉତ୍ତର ଦେଲେ, ସର୍ଦ୍ଦାରଙ୍କର ଝିଅ ଜୟନ୍ତୀ । ଯୁବକଟି ଏକ ଆଖିରେ ମୋ’ର ଅର୍ଦ୍ଧ-ନଗ୍ନ ଦେହ ଓ ମୁହଁକୁ ଅନାଇଁ ରହିଥିଲେ । ମୋତେ ଲକ୍ଷ୍ୟ କରି କହିଲେ, ତୁମେ ଏକାକିନୀ ଏଠାକୁ କିପରି ଆସିଲ ? ମୁଁ ପୂର୍ବପରି ତଳକୁ ଚାହିଁ ଧୀରେ ଧୀରେ ସବୁ ଘଟଣା ବର୍ଣ୍ଣନା କଲି । ମୋର କଥା ଶେଷ ହେଲା । ଯୁବକ କହିଲେ, ଭୟର କାରଣ ନାହିଁ । ମୁଁ ନିଜେ ତୁମକୁ ତୁମର ମାଆଙ୍କ ପାଖରେ ଛାଡ଼ିଆସିବି । ସିପାହୀମାନଙ୍କୁ ଚାହିଁ କହିଲେ, ଏହି ବାଳିକାଟି ଯାହା କହିଗଲେ ସେଥିରେ ପ୍ରତିବାଦ କରି କହିବାର କିଛି ଅଛି ?

 

ଯୁବକଙ୍କର ଗୋଡ଼ତଳେ ମୁଣ୍ଡ ଲଗାଇ ସେମାନେ କରୁଣ ସ୍ୱରରେ କହିଲେ, ଆମ୍ଭେମାନେ ଦୋଷୀ, ଆମକୁ କ୍ଷମା କରନ୍ତୁ ।

 

ପାଗଳବାବା ଆମ ଦୁହିଁଙ୍କର ମୁହଁକୁ ଚାହିଁ ହସି ହସି ମନକୁ ମନ ତାଙ୍କର ପ୍ରଳାପ ଆରମ୍ଭ କଲେ, ଦୋଷୀ ସମସ୍ତେ ଯେତେବେଳେ ଆକାଙ୍‌କ୍ଷା ଏକମୁଖୀ ହୁଏ, ପ୍ରତ୍ୟୁତ୍ତର ନପାଏ । ଦୋଷୀ କେହି ନୁହନ୍ତି ଯେତେବେଳେ ଆକାଙ୍‌କ୍ଷା ଦୁଇଆଡ଼ୁ ଆସେ, ପ୍ରତିବନ୍ଧକ ନପାଇ ମିଶି ଏକାକାର ହୁଏ । ଯେ ବିଜିତ ସେ ଦୋଷୀ, ଯେ ବିଜୟୀ ସେ ନିର୍ଦ୍ଦୋଷ !

 

ତାଙ୍କର ପ୍ରଳାପରେ କାନ ନଦେଇ ଯୁବକ କହିଲେ, ଆସ ଦେବୀ, ତୁମକୁ ମୁଁ ତୁମର ମାଆଙ୍କ ନିକଟରେ ଛାଡ଼ି ଆସେଁ । ସୈନିକମାନଙ୍କୁ ଚାହିଁ କହିଲେ, ମୋର ଫେରିବା ଯାଏ ତୁମେମାନେ ଏଠାରେ ଅପେକ୍ଷା କରି ରହିବ ।

 

ବାହାରକୁ ଆସି ଦେଖିଲୁ, ଝଡ଼ବର୍ଷାର ବିରାମ ନାହିଁ । ମୁଁ ତାଙ୍କର ହାତ ଧରି ପଛେ ପଛେ ଚାଲିଥାଏଁ । ନଈକୂଳ ପାର ହୋଇ ଆମ ଘରର ଅତି ନିକଟକୁ ଆସିଲୁ । ମନରେ ସାହସ ଆସିଲା । ତାଙ୍କର ହାତଟିକୁ ଦୁଇ ହାତରେ ଚାପିଧରି କହିଲି, ଏଇ, ଆଗରେ ଆମର ଘର ।

 

ମୋ ମୁହଁରୁ ସବୁ କଥା ଶୁଣି ବୋଉର ପିଣ୍ଡରେ ପ୍ରାଣ ପଶିଲା । ସେ ଆଖିର ଲୁହ ପୋଛି କହିଲା, ମା, ଆଜି ରାତିରେ ଯଦି ତୋତେ ମୁଁ ଦେଖି ନଥାନ୍ତି ପାଗଳ ହୋଇ କୁଆଡ଼େ ପଳାଇଥାନ୍ତି । ଯା ମା, ଲୁଗାପଟା ବଦଳିପକା । ମୁଁ କହିଲି, ବୋଉ, ଯେ ମୋତେ ବିପଦ ମଝିରୁ ଉଦ୍ଧାର କରିଛନ୍ତି, ସେ ମଧ୍ୟ ପାଣିରେ ଜୁଡ଼ୁବୁଡ଼ୁ ହୋଇ ଦାଣ୍ଡଘରେ ଅନ୍ଧାରରେ ଠିଆ ହୋଇଛନ୍ତି । ତୁ ଯା, ଆଗ ତାଙ୍କର ଯତ୍ନ ନେ ।

 

ମୋ କଥା ଶୁଣି ବୋଉ ଆନନ୍ଦରେ ଆଲୁଅଟି ଧରି ଦାଣ୍ଡଘରକୁ ଗଲା । ମୁଁ ଅନ୍ଧାରରେ ଅପେକ୍ଷା କରି ରହିଲି । କିଛି ସମୟ ପରେ ସେ ଯୁବକଙ୍କୁ ସଙ୍ଗରେ ଘେନି ପୁଣି ଫେରିଆସି କହିଲା, ସେ ତ ରହିବାକୁ ମଙ୍ଗୁନାହାନ୍ତି ଲୋ ।

 

ମୁଁ ତାଙ୍କ ଆଡ଼କୁ ଚାହିଁ ଦୁଃଖିତ ହୋଇ କହିଲି, ରହିବେ ନାହିଁ ? ଏହି ଅନ୍ଧାର ରାତି ଝଡ଼ବର୍ଷାରେ ଏକାକୀ ଫେରିଯିବାକୁ ଆପଣଙ୍କୁ ତ ଅନୁମତି ଦିଆଯାଇ ପାରିବ ନାହିଁ । ମୁଁ ହସ ହସ ହେଲି ।

 

ସେ ସାମାନ୍ୟ ହସି ମୋ ମୁହଁକୁ ଚାହିଁ କହିଲେ, କଅଣ କରିବି, କର୍ତ୍ତବ୍ୟ ।

 

ମୁଁ ମଧ୍ୟ ହସ ହସ ମୁହଁରେ କହିଲି, ଆମକୁ କଅଣ ଆମର କର୍ତ୍ତବ୍ୟ ରକ୍ଷା କରି ଆସେ ନାହିଁ ? ଅତିଥିଙ୍କୁ ଅସମୟରେ ଘରୁ ଛାଡ଼ିଦେବାରେ କଣ କର୍ତ୍ତବ୍ୟ ହାନି ହୁଏ ନାହିଁ ?

 

ସେ କହିଲେ, ହଉ ଆପଣମାନଙ୍କର ଯାହା ଇଚ୍ଛା ।

 

ତାଙ୍କର ପରିଚର୍ଯ୍ୟା କଲୁ । ତାଙ୍କ ନିକଟକୁ କାର୍ଯ୍ୟ ବାହାନାରେ ବାରମ୍ବାର ଯିବାକୁ ଓ ତାଙ୍କ ସଙ୍ଗେ ପଦେ ଅଧେ କଥାଭାଷା ହେବାକୁ ମୋତେ ଖୁସି ଲାଗୁଥାଏ । ସେ ମଧ୍ୟ ଆଗ୍ରହ ସହକାରେ ମୋର ପ୍ରତ୍ୟେକ କଥାର ଉତ୍ତର ଦେଉଥାନ୍ତି ।

 

ରାତିରେ ମୋର ନିଦ ହେଲା ନାହିଁ । ବୋଉ ମୋତେ ଶୋଇବାକୁ କହି ତାର ଶୋଇବା ଘରକୁ ଚାଲିଗଲା । ମୁଁ ବିଛଣାର ପଡ଼ି ଖାଲି ଛଟପଟ ହେବାକୁ ଲାଗିଲି । ଛାଇନିଦ ମାଡ଼ିଆସେ, କିନ୍ତୁ ସଙ୍ଗେ ସଙ୍ଗେ ସଞ୍ଜବୁଡ଼ର ଘଟଣାଗୁଡ଼ିକ ମୋର ନିଦ୍ରିତ ଆଖି ଭିତରେ ପୁଣି ଅଭିନୀତ ହୁଏ । ମୁଁ ବାରମ୍ବାର ଚମକି ଚାହେଁ, କେହି ନାହିଁ, ଖାଲି ଦୀପଟି ପିଲିସଜ ଉପରେ ମିଞ୍ଜିମିଞ୍ଜି ହୋଇ ଜଳୁଛି-

 

ମୁଁ ଅସ୍ଥିର ହୋଇପଡ଼ିଲି । ଶୋଇବାକୁ ଇଚ୍ଛା ହେଲା ନାହିଁ । ଦୀପଟିକୁ ଧରି ପଦାକୁ ଆସିଲି । ତୋଫାନ କମିଗଲାଣି । ବର୍ଷାର ବେଗ ମଧ୍ୟ କମିଆସିଲାଣି, କିନ୍ତୁ ଅନ୍ଧାରଟା ପୂର୍ବପରି ଚାରିଆଡ଼ ଘୋଟିରହିଛି । ମୋର ଶୋଇବା ଘରକୁ ଲାଗି ଗୋଟିଏ କୋଠରୀରେ ବିଜୟ ମଲ୍ଲଙ୍କର ଶୋଇବାର ବ୍ୟବସ୍ଥା କରା ହୋଇଥିଲା । ପଦାକୁ ଆସି ତାଙ୍କୁ ଦେଖିବାକୁ ମୋର ଇଚ୍ଛା ହେଲା । ଆହା, କେଡ଼େ ଉପକାରୀ ସୁପୁରୁଷ । କାଳେ ଅସୁବିଧା ହେବ !

 

ମୁଁ ତାଙ୍କ କବାଟ ପାଖକୁ ଗଲି । କବାଟ ମୁକୁଳା ଥିଲା କିନ୍ତୁ ଭିତରକୁ ଯିବାକୁ ମୋର ସାହସ ହେଲା ନାହିଁ, କାଳେ କିଏ ଦେଖିବ । ଭୟାକୁଳ ଏବଂ ସନ୍ଦିଗ୍‌ଧ ଚକ୍ଷୁରେ ଚାରିଆଡ଼କୁ ଚାହିଁଲି । କେହି ନାହିଁ । ହୃଦୟର ସ୍ପନ୍ଦନର ବେଗ ବଢ଼ିବାକୁ ଲାଗିଲା । ଦେହ ହାତ ଥରିଉଠିଲା । ତଥାପି ବାପ, ପ୍ରଲୋଭନ ସମ୍ଭାଳି ପାରିଲି ନାହିଁ । ଆଲୁଅ ଧରି ଭିତରକୁ ଗଲି । ସେ ନିଶ୍ଚିତ ହୋଇ ଶୋଇଛନ୍ତି । ତାଙ୍କର ସୁନ୍ଦର ମୁହଁଟିରେ ମୋର ଆଖି ଲାଗିରହିଲା । ମୋର ପ୍ରାଣଟା ତାଙ୍କରି ଆଡ଼କୁ ଟାଣିହୋଇ ଆସିଲା । ବାପ, ଯୁବକ ଯୁବତୀର ପ୍ରାଣରେ ଯେତେବେଳେ ମୋହ ଆସି ଆସନ ପାତେ, ସେମାନେ ବାହ୍ୟଜ୍ଞାନ- ଶୂନ୍ୟ ହୋଇପଡ଼ନ୍ତି । ବିଶ୍ୱଟା ତାଙ୍କୁ ଶୂନ୍ୟ ଦେଖାଯାଏ । ନିଜକୁ ମଧ୍ୟ ନିଜେ ପାଶୋରି ପକାଇ ନିଜର ସତ୍ତା ଅନ୍ୟର ହୃଦୟରେ ଉପଲବ୍‌ଧିକରନ୍ତି ।

 

ହୃଦୟର ଅଦମ୍ୟ ପିପାସାକୁ ଦମନ କରି ଫେରି ଆସିପାରିଲି ନାହିଁ । ଇଚ୍ଛା ହେଲା, ତାଙ୍କର କପାଳରେ ମୁହଁ ଲଗାଇବି । ଭୟ ହେଲା, ସେ ଅପରିଚିତ, ଯଦି ନିଦ ଭାଙ୍ଗିଯାଏ ମୋତେ କଣ ମନେକରିବେ ? ତାଙ୍କର ନିଦ୍ରାରେ ବ୍ୟାଘାତ ଆଣିବାକୁ ମୋର ବା କି ଅଧିକାର ଅଛି ? ନାଁ, ଫେରିଯିବି । କିନ୍ତୁ ଫେରିପାରିଲି ନାହିଁ । କେଜାଣି କିପରି ଧୀରେ ଧୀରେ ଡାହାଣ ହାତଟି ନେଇ ତାଙ୍କର କପାଳ ଉପରେ ରଖିଲି ।

 

ସେ ଚମକି ଚାହିଁଲେ । ଉଠି ବସି ମୋର ହାତଟିକୁ ଧରି ଟିକିଏ ବିସ୍ମିତ ହୋଇ ପଚାରିଲେ, କଅଣ ଚାହୁଁଛ ଜୟନ୍ତୀ ?

 

ମୋର ଅନ୍ତରାତ୍ମା ଥରିଉଠିଲା । ସେ ଯେ ଚେଇଁରହିଛନ୍ତି, ଶୋଇନାହାନ୍ତି । କଅଣ ମନେକରୁଥିବେ ? ମୋର ଦେହ ଝାଳରେ ବୁଡ଼ିଗଲା । ମୁଁ ରହି ରହି କହିଲି, ମୋର ଭୟ ହେଲା, ହୁଏତ ମୋ ପାଇଁ ବର୍ଷା ପାଣିରେ ତିନ୍ତି ଆପଣଙ୍କର ଦେହ ଅସୁସ୍ଥ ଥିବ । ଆପଣ ଶୋଇଛନ୍ତି ଜାଣି ଦେହର ଉତ୍ତାପ ପରୀକ୍ଷା କରିବାକୁ ଆସିଥିଲି ।

 

ବିଜୟ ମୋର ଦୁଇ ଆଖିକି ଚାହିଁ ହସିଲେ । ବାପ, ସେ ହସ ଭିତରେ କଅଣ ଲୁଚି ରହିଥିଲା କେଜାଣି, ଲାଜରେ ମୁଁ ଏକାଥରେ ମଲାଙ୍କ ପରି ହୋଇ ରହିଲି । ମୁହଁକୁ ଚାହିଁବାକୁ ମୋର ଆଉ ସାହସ ହେଲା ନାହିଁ । ତଳକୁ ଚାହିଁଲି । ଦୀପ ଧରିଥିବା ହାତଟି ଏପରି ଭାବରେ ଥରିବାକୁ ଲାଗିଲା ଯେ କାଳେ ପଡ଼ିଯିବ ବୋଲି ମୁଁ ତାକୁ ଖଟ ଖୁରା ଉପରେ ରଖିଦେଲି । ଭାବିଲି, ଛି , ମୁଁ କେଡ଼େ ଅନ୍ୟାୟ କରିଛି ।

 

ବିଜୟ ମଲ୍ଲ ପୂର୍ବପରି ମୋର ହାତ ପାପୁଲି ଧରି ମୋର ମୁହଁକୁ ସହାସ୍ୟ ବଦନରେ ଚାହିଁ କହିଲେ, ଜୟନ୍ତି, ବରଂ ତୁମେ ଅସୁସ୍ଥ ଅଛ । ତମର ହାତଟି ଗରମ ଲାଗୁଛି ଯେ । ତମ ବୋଉ କାହାନ୍ତି ?

 

ସେ ଶୋଇବାକୁ ଗଲାଣି ।

 

ଝଡ଼ ବର୍ଷା କଣ କମିନାହିଁ ? ମୋତେ ବର୍ତ୍ତମାନ ଫେରିଯିବାକୁ ହେବ ।

 

ଝଡ଼ ବର୍ଷା ତ କମିନାହିଁ ।

 

ମୁଁ ଆଉ ରହିପାରିବି ନାହିଁ ଜୟନ୍ତି, ମୋତେ କର୍ତ୍ତବ୍ୟ ଡାକ ଦେଲାଣି ।

 

ଆଉ କଅଣ କେବେ ଦେଖାହେବ ନାହିଁ ?

 

ହୁଏତ ହୋଇ ନପାରେ ।

 

ତେବେ କଅଣ ଏହି ଗୋଟିଏ ରାତିର ଘଟଣା, ଏକମାତ୍ର ସ୍ମୃତି, ଜୀବନର ସମ୍ବଳ ହେବ ମୋର ?

 

ମୁଁ କଅଣ କହିଲି ନିଜେ ମୁଁ ମଧ୍ୟ ବୁଝିପାରିଲି ନାହିଁ । ମୋର ଆଖି କୋଣରୁ ଲୁହଧାର ଝରିପଡ଼ିଲା । ସେ ଲକ୍ଷ୍ୟ କରି ପାରିଛନ୍ତି । ତାଙ୍କର ମୁହଁରେ ହର୍ଷ ଓ ବିସ୍ମୟର ଭାବ ଫୁଟିଉଠିଲା ।

 

ସେ ମୋର ଦୁଇହାତକୁ ତାଙ୍କର ଦୁଇହାତରେ ଧରି କହିଲେ, ଜୟନ୍ତି ! ଆଉ କଣ କହିବାକୁ ବସିଥିଲେ ସତେକି କଥାଗୁଡ଼ାକ ଢୋକିନେଲେ । ମୁଁ ଉତ୍ତର ନଦେଇ ମୌନ ରହିଲି ।

 

ସେ ପୁଣି କହିଲେ, ଜୟନ୍ତି, ମୋତେ କଅଣ ଆହୁରି ଥରେ ଅତିଥିରୂପେ ପାଇବାକୁ ତୁମେ ଇଚ୍ଛା କର ? ମୋର ଏତେ ଯତ୍ନ ନେଇ ସୁଦ୍ଧା କଣ ତୁମେ ମନେକରିଛ ତମର କୃତଜ୍ଞତା ତମେ ସୁଝାଇ ପାରିନାହଁ ? କିନ୍ତୁ, ଏତେ କୃତଜ୍ଞ ହେଉଛ କାହିଁକି ତୁମେ ? ମୁଁ କେବଳ ମୋର କର୍ତ୍ତବ୍ୟ କରିଛି ।

 

କେଜାଣି କିପରି କହିପକାଇଲି, ଥରେ ନୁହେଁ, ତୁମକୁ ଅତିଥିରୂପେ ବହୁବାର ପାଇବାକୁ ବାସନା କରିଥିଲି । ମୁଁ ଯେ ଆମରଣ ତମର ଋଣ ସୁଝାଇ ପାରିବି ନାହିଁ । ତୁମେ ମୋର ଜୀବନ ଓ ମାନ ମହତ୍ୱ ରକ୍ଷା କରିଛ ।

 

ସେ ଚିନ୍ତାମଗ୍ନ ହେଲେ । ମୋର ଅଶ୍ରୁସିକ୍ତ ମୁଖକୁ ଚାହିଁ ସେ କହିଲେ, ତୁମେ ଭାବନା କରନା ଜୟନ୍ତି, ତମର କୃତଜ୍ଞତା ସୁଝାଇବାକୁ ମୁଁ ତୁମକୁ ସୁବିଧା ଦେବାକୁ ଅବଶ୍ୟ ଚେଷ୍ଟା କରିବି । ତୁମର ଦେହ ଅସୁସ୍ଥ, ତୁମେ ବିଶ୍ରାମ ନେବ ଯାଅ । ମୁଁ ଦୁଃଖିତ ହେଲି କି ସୁଖୀ ହେଲି କହିପାରିବି ନାହିଁ । ତାଙ୍କର କଥା ମାନି ନିଜର କୋଠରୀକୁ ଫେରିଆସିଲି । ବିଛଣା ଉପରେ ପଡ଼ି ପୁଣି ନାନାପ୍ରକାର ଚିନ୍ତା କରୁ କରୁ କେତେବେଳେ ନିଦ ହୋଇଗଲା ଜାଣିପାରିଲି ନାହିଁ ।

 

ଉଠି ଦେଖିଲି, ଦିନ ପହରେ ହେଲାଣି । ଆକାଶରୁ ମେଘମାଳା ଉଭେଇଗଲାଣି । ଝଡ଼ବର୍ଷା ଆଉ ନାହିଁ । ବୋଉ ମୋର ମୁଣ୍ଡ ପାଖରେ ବସିଛି । ନୀରବରେ ମୁଁ ଉଠିବସି ମନେ ମନେ ଯାହାଙ୍କୁ ଖୋଜୁଥିଲି ତାଙ୍କୁ ନଦେଖି ବ୍ୟସ୍ତ ହୋଇ ବୋଉକୁ ପଚାରିଲି, ବିଜୟ ମଲ୍ଲ କାହାନ୍ତି ବୋଉ ?

 

ବୋଉ କହିଲା, ସେ ରାତି ନପାହୁଣୁ ଚାଲିଗଲେଣି ମା ।

 

ମୋତେ ନକହି ଚାଲିଗଲେ ?

 

ମୁଁ ତତେ ଉଠାଇବାକୁ ବସିଥିଲି । ସେ ମନାକରି କହିଲେ, ଉଠାଅ ନାହିଁ ।

 

ଆଉ କେବେ ଆସିବେ କହିଯାଇଛନ୍ତି ?

 

ସେ କଥା ତ ମୁଁ ତାଙ୍କୁ ପଚାରିନାହିଁ ।

 

ମୋର ମନରେ ଦୁଃଖ ହେଲା, ସେ ଠକିଦେଇ ଚାଲିଗଲେ ! ଆଖିରେ ଲୁହ ଢଳଢଳ ହୋଇ ଆସିଲା । ବୋଉ କଅଣ ସନ୍ଦେହ କରି କହିଲା, ଅତିଥି ସେ, ଆସିଥିଲେ ଚାଲିଗଲେ; ସେଥିପାଇଁ ଦୁଃଖ କାହିଁକି ?

 

ମୁଁ କହିଲି, କିଛି ନାହିଁ ମା, ସେ ଆମର କଣ କି ତାଙ୍କ ପାଇଁ ମନରେ ଦୁଃଖ ହେବ ?

 

ମୋ କଥାରେ ବୋଉର ମନରୁ ସନ୍ଦେହ ଦୂର ହେବା ପରିବର୍ତ୍ତେ ଯେପରି ଘନୀଭୂତ ହେଲା ।

 

ଦୁଇ ତିନି ଦିନ ପରେ ମୋର ଦେହ ସମ୍ପୂର୍ଣ୍ଣ ଭଲ ହୋଇଗଲା ।

 

ଏ ଭିତରେ ଅର୍ଜୁନଭାଇ ଥରେ ମୋତେ ଦେଖିବାକୁ ଆସିଥିଲେ । ସେ ଆଜିକାଲି ସମ୍ପୂର୍ଣ୍ଣ ସନ୍ନ୍ୟାସୀ ହୋଇଗଲେଣି । ଖାଲି ଭେକ ନେବାଟା ବାକି ଅଛି । ଜଣେ ସଦ୍‌ଗୁରୁର ସନ୍ଧାନରେ ଅଛନ୍ତି ।

 

ମୋ ମୁହଁରୁ ସେ ରାତିର ଘଟଣାଗୁଡ଼ିକ ଶୁଣି ଟିକିଏ ଚିନ୍ତିତ ହୋଇ କହିଲେ, କିଏ, ବିଜୟ ମଲ୍ଲ ! ସେ ତ ଗଜପତି ମହରାଜା ପ୍ରତାପ ନରସିଂହ ଦେବଙ୍କର ସେନାପତି । ବଡ଼ ଭାଗ୍ୟବାନ ସେ ଜୟନ୍ତି, ରାଜାଙ୍କର ସବୁ ସ୍ନେହର ଅଧିକାରୀ ସେ ।

 

ମୁଁ କହିଲି, ସେ ଥରେ ଦର୍ଶନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 

ଅର୍ଜୁନଭାଇ ପରିହାସ କରି କହିଲେ, କଳିଙ୍ଗାଧିପତିଙ୍କ ସେନାପତି ସେ, ଗଙ୍ଗାରୁ ଗୋଦାବରୀ ଯାଏ ପାଞ୍ଚଶ କୋଶ ରାଜ୍ୟର ଶାନ୍ତିଶୃଙ୍ଖଳା ରକ୍ଷାର ଦାୟିତ୍ୱ ତାଙ୍କର ଉପରେ । ଆମ ରାଜାଙ୍କୁ ଦୁର୍ବୁଦ୍ଧି ଘୋଟିଲା ବୋଲି ବିଜୟ ମଲ୍ଲଙ୍କର ପାଦ ପଡ଼ିଲା ଏ ଭୂଇଁରେ, ପୁଣି ତୁମର କୁଡ଼ିଆରେ । ସେ ଆକାଶର ଚାନ୍ଦ ଲୋ ଜୟନ୍ତି, ତୁ ତ ବାମନ ।

 

ଅର୍ଜୁନଭାଇ ନୀରବ ହେଲେ । ମୁଁ ଉତ୍ତର ଦେଲି ନାହିଁ ।

 

ପରଦିନ ଚର ଆସି ଖବର ଦେଲା, ଗଜପତିଙ୍କର ସୈନିକମାନେ ଦେଶ ସିପାହୀମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲେଣି । ଅଧିକାଂଶ ତ ଜୀବନ ହରାଇଲେଣି, ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଆତ୍ମରକ୍ଷା କରିବାକୁ ମନସ୍ଥ କଲେଣି । ଏହା ଦେଖି ରାଜା ନିଜେ ଆତ୍ମସମର୍ପଣ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ସରଦାର ରାଜାଙ୍କୁ ବୁଝାଇ କହିଲେ, ବିଜିତ ଦେଶର ବିଜିତ ରାଜାର ଜୀବନ ଅପେକ୍ଷା ମରଣ ବାଞ୍ଛନୀୟ । ସରଦାରଙ୍କର କଥା ଶୁଣି ରାଜା ଆତ୍ମସମର୍ପଣ ନକରି ପୁଣି ଯୁଦ୍ଧ ଚଳାଇଛନ୍ତି ।

 

ଚରର କଥା ଶୁଣି ପିତା ଯେ ଜୀବିତ ଅଛନ୍ତି, ଏହା ଆମେ ବୁଝିପାରିଲୁ । ବୋଉର ଆନନ୍ଦ ଦେଖି ମୁଁ ମଧ୍ୟ ଆନନ୍ଦିତ ହେଲି । ବିଜୟ ଯେ ଫେରି ଆସିବେ ନାହିଁ, ଏକଥା ଭଲକରି ବୁଝିପାରିଥିଲେ ମଧ୍ୟ ଅବୋଧ ମନଟା କେଜାଣି କାହିଁକି ପୁଣି ଆଶା ବାନ୍ଧି ବସେ । ନିରୁଦ୍ଦିଷ୍ଟ ଭାବରେ ଏକାକିନୀ ନଦୀକୂଳରେ କି ପାହାଡ଼ ଉପରେ ବୁଲିଲାବେଳେ ଅବୋଧ ଆଖିଦୁଇଟା କେଜାଣି କାହିଁକି କାହାର ଅନ୍ୱେଷଣ କରେ ସୁଦୂର ଦିଗ୍‌ବଳୟ କୋଳରେ ।

 

ବୋଉ ମନା କରେ, ତାର ମନା ନମାନି କେବଳ ଗୋଟିଏ ଆଶାର ସଂକେତରେ ପରିଚାଳିତ ହୋଇ ମୁଁ ପ୍ରତିଦିନ ବୁଲିବାକୁ ଯାଏ । ହତାଶ ହୋଇ ନିତି ଘରକୁ ଫେରେ । ବେଳେବେଳେ ଫେରୁ ଫେରୁ ରାତି ହୋଇଯାଏ । ମନରେ ଉଦେ ଆଶା, ପୁଣି ସେ ଦିନରେ ଶୁଭ ସନ୍ଧ୍ୟାଟି ଫେରିଆସିବ ପରା । ଏଡ଼େ ବୀର, ଏଡ଼େ ଉଦାର, ମହତ ସୁପୁରୁଷଙ୍କର ଆଉ ଥରେ ଦର୍ଶନ ମିଳିବ ପରା ।

 

ଦିନେ ସେ ଆସିଲେ, ବେଳ ବୁଡ଼ିଆସୁଛି, ହଠାତ୍‌ ଦେଖାହେଲା ପର୍ବତର ଠିକ୍‌ ତଳେ । ସ୍ୱର୍ଗର ଚାନ୍ଦ ପାଇଲା ପରି ତାଙ୍କୁ ମୁଁ ଅଶ୍ୱପୃଷ୍ଠରେ ଦେଖି ପାଟିକରି ଉଠିଲି । ମୋତେ ଦେଖି ସେ ଘୋଡ଼ାରୁ ଓହ୍ଲାଇ ପଶୁଟିକୁ ଗଛରେ ବାନ୍ଧିଲେ ।

 

ମୁଁ ପ୍ରଣାମ କରି କହିଲି, ଆପଣ ତାହେଲେ ଆପଣଙ୍କ ବାକ୍ୟ ଭୁଲିନାହାନ୍ତି ? ନିତି ନିତି ମୁଁ ବୁଲିଆସେ, ନିରାଶ ହୋଇ ଫେରେ । ସେ କହିଲେ, ଜୀବନଟା ତ ଆଶା ନିରାଶାର ଖେଳ । ସେଥିକି ଚିନ୍ତା କଣ ? ଦେହ ଭଲ ଅଛି ତ ? କହୁଁ କହୁଁ ସେ ପାଗଳବାବାଙ୍କର କୁଡ଼ିଆ ଆଡ଼େ ଚାଲିଲେ ।

 

ମୁଁ ତାଙ୍କୁ ଅନୁସରଣ କରି କହିଲି ହଁ, ଦେହ ଭଲ ଅଛି ।

 

ପାଗଳବାବାଙ୍କର କୁଡ଼ିଆ ପାଖକୁ ଯାଇ ଦେଖିଲି, ଘରଟି ସବୁଦିନ ପରି ମୁକୁଳା ପଡ଼ିଛି, କେହି ନାହିଁ । ଘର ମଝିରେ ପାଉଁଶ, ଅଙ୍ଗାର ଓ ଦରପୋଡ଼ା କାଠ ଗଦା ହୋଇଛି । ହାଣ୍ଡି ମାଠିଆ ଭାଙ୍ଗି ଛିନ୍‌ଛତର ହୋଇ ପଡ଼ିଚି ।

 

ବିଜୟ ମୋତେ ଚାହିଁ କହିଲେ, ସେଦିନ ଯଦି ଆମେ ଠିକ୍ ବେଳରେ ନଥାନ୍ତୁ ତ । ବାକ୍ୟ ଅଧା ରଖିଲେ ।

 

ଉଲ୍ଲସିତ ହୋଇ କହିଲି, ଜୟନ୍ତୀକୁ ଆଉ କେହି ଏ ଜଡ଼ ଜଗତରେ ଦେଖନ୍ତେ ନାହିଁ । ସେଥିପାଇଁ ଆପଣଙ୍କ ନିକଟରେ ମୁଁ ଚିରକୃତଜ୍ଞ ଓ ଋଣୀ ।

 

ବିଜୟ ମୋର ହାତ ଧରି କହିଲେ, ବାରମ୍ବାର ସେହି ପୁରୁଣା କଥା କହୁଛ କାହିଁକି ଜୟନ୍ତୀ, ସର୍ବଶକ୍ତିମାନ ପରମେଶ୍ୱରଙ୍କ ବ୍ୟତୀତ ମଣିଷ କାହାରି ପାଖରେ କୃତଜ୍ଞ ନୁହେଁ । ସବୁ ଆପଦ ବିବଦରୁ ଉଦ୍ଧାର କରନ୍ତି ସେଇ ଭଗବାନ । ସେ ନିଜେ ଆସି ବିପନ୍ନ ଆଗରେ ଉଭା ହୁଅନ୍ତି-

 

ମୁଁ ତାଙ୍କ ତୁଣ୍ଡରୁ କଥା ଛଡ଼ାଇନେଇ କହିଲି, ଏ କ୍ଷେତ୍ରରେ ତୁମେ ହିଁ ମୋର ଭଗବାନ ସ୍ୱରୂପ । ମୁଁ ତାଙ୍କ ମୁହଁକୁ ଚାହିଁ ହସିଦେଲି । ତାଙ୍କର ଦୁଇ ଆଖିରେ ଆଗ୍ରହ ଓ ପିପାସାର ମଧୁର ଆଭା ଉପଲବ୍‌ଧି କଲି ଯେପରି ।

Unknown

 

ବିଜୟ ମୋର ଦୁଇହାତ ଧରି କହିଲେ, ଉକ୍ତ ଭଗବାନଙ୍କର ଆରାଧନା କଲାପରି ତୁମେ ମୋର ଆରାଧନା କରି ଋଣ ସୁଝାଇବାକୁ ମନ କରିଛ ଜୟନ୍ତୀ ? ତୁମେ ସୁନ୍ଦରୀ, ବୁଦ୍ଧିମତୀ-! ଏଇ ବନଭୂମିରେ ଗୋଟାଏ ହାସ୍ୟମୟ ସୁନ୍ଦର ମନ- ମୁଗ୍‌ଧକର ସୁବାସିତ ଚଳନ୍ତି ସୁମନ ପରି ।

 

ତାଙ୍କର କଥା ଶୁଣି ଓ ପରଶ ପାଇ ମୋର ସାରା ଶରୀର କି ଏକ ଅକଥନୀୟ ପୁଲକରେ ଥରିଉଠିଲା । ରକତର ପ୍ରବାହ ସତେକି ଚଞ୍ଚଳ ହେଲା । କହିଲି ଥରିଲା କଣ୍ଠରେ, ମୁଁ ଯଦି କୁସୁମଟିଏ ତ ଆପଣ ଦେବତା, ପଦତଳେ ନିଜକୁ ଉତ୍ସର୍ଗ କରୁଛି ।

 

ନିଜ ଅଜାଣତରେ ବିଜୟ ମଲ୍ଲଙ୍କ ପାଦତଳେ ମୁଣ୍ଡ ଲଗାଇଲି ।

 

ସେ ମୋତେ ତଳୁ ଉଠାଇ ଠିଆକଲେ । କହିଲେ ତମପରି ଫୁଲର ସ୍ଥାନ ଦେବତାର ମସ୍ତକରେ ସିନା, ପାଦରେ ନୁହେଁ ।

 

ଆତ୍ମହରା ହୋଇ ମୁଁ କହିଲି, ତମର ଆରାଧନା କରିବାକୁ ମୁଁ ଇଚ୍ଛା କରେ କିନ୍ତୁ ଏତିକି ମାଗୁଣି ଆଜୀବନ ସେ ଅଧିକାରରୁ ଯେପରି ବଞ୍ଚିତ ନହୁଏ ।

 

କହୁ କହୁ କଣ କହିପକାଇଲି ମୁଁ ଜାଣିପାରଲି ନାହିଁ । ଭୟ ଓ ସଂକୋଚରେ ହାତଦୁଇଟି ଟାଣି ଆଣି ଅପରାଧିନୀ ପରି ତଳକୁ ଚାହିଁଲି ।

 

ବିଜୟ ଟିକିଏ ଚିନ୍ତା କଲେ । କ’ଣ ଭାବି କେଜାଣି ମୋର ମୁଣ୍ଡ ଉପରେ ଡାହାଣ ହାତଟି ରଖି ଥରିଲା କଣ୍ଠରେ କହିଲେ, ସତେ, ଦେବତା ନିକଟରେ ଭକ୍ତର ଅଦେୟ କିଛି ନାହିଁ ।

 

ମୋର ଇଚ୍ଛା ହେଉଥିଲା କହିପକାଇବି, କିଛି ନାହିଁ, କିଛି ନାହିଁ, କିନ୍ତୁ ଭୟରେ ଲାଜରେ ମୋର ପାଟି ଫିଟିଲା ନାହିଁ । ଦେହସାରା ଥରିଉଠିଲା ।

 

ସେ ମୋର କଟିକୁ ତାଙ୍କର ସୁଦୀର୍ଘ ବାହୁଦ୍ୱାରା ବେଷ୍ଟନ କରି ପଚାରିଲେ, ଜୟନ୍ତୀ, ସୁନ୍ଦରୀ କହ–

 

ତାଙ୍କର କଣ୍ଠସ୍ୱର ଥରିଉଠୁଥିଲା । ଏତିକି ମାତ୍ର ଜାଣେ ମୋ’ର ଉତ୍ତର ଦେବାର ଶକ୍ତି ନଥିଲା । ସତେ କି ନର୍ଜୀବ ପିଣ୍ଡଟା ମୋ’ର ଆଶ୍ରା ଲୋଡ଼ିଲା ପରି କାହାର ବକ୍ଷ ଉପରେ ଢଳିପଡ଼ିଲା । କେଜାଣି କାହିଁକି ଆପେ ଆପେ ମୋର ଆଖିପତା ବୁଜି ହୋଇପଡ଼ିଲା । କାହା ହୃଦୟର ଘନ ସ୍ପନ୍ଦନ ଶୁଣିଲି । ମୋ’ର ତୃଷିତ ଗଣ୍ଡରେ କାହାର ଚୁମ୍ବନର ଉଷ୍ଣତା ଅନୁଭବ କଲି ବାରମ୍ବାର । ମନ ହେଲା, ଆହା, ସେହି ବିରାଟ ସ୍ପନ୍ଦିତ ବକ୍ଷ ଉପରେ ଅନନ୍ତ କାଳ ପାଇଁ ଯଦି ଆଶ୍ରୟ ପାଇପାରନ୍ତି !

 

ବେଳ ବୁଡ଼ିଗଲାଣି, ତଥାପି ଦିନର ଆଲୁଅ ଲିଭି ନାହିଁ । ତାଙ୍କର ବାହୁବନ୍ଧନରୁ ମୁକ୍ତ ହୋଇ ମୁଁ ଲାଜରେ ଠିଆ ହୋଇଛି । ବିଜୟ କହିଲେ, ଜୟନ୍ତି, ମୋତେ ବିଦାୟ ଦିଅ ।

 

ମୁଁ କିଛି କହିବା ଆଗରୁ ପାଗଳବାବା ଓ ଅର୍ଜୁନଭାଇ ସେଠାରେ ଉପସ୍ଥିତ ହେଲେ । ସେମାନଙ୍କୁ ଦେଖି ସତେକି ଭୟରେ ମୁଁ ଅଜ୍ଞାନ ହୋଇ ପଡ଼ିବି । ମୁଁ ଅର୍ଜୁନଭାଇଙ୍କୁ ଚାହିଁଲି ଆକୁଳ ଚକ୍ଷୁରେ । ଦେଖିଲି, କେଜାଣି କାହିଁକି ତାଙ୍କର ଆଖି ଦୁଇଟି ଲୁହରେ ଢଳଢଳ ହେଉଛି । ସେ ଲୋତକର ଅର୍ଥ ମୁଁ ଅନୁମାନ କରିପାରିଲି ନାହିଁ ।

 

ପାଗଳବାବା ଅର୍ଜୁନଭାଇର ହାତ ଧରି କୁଡ଼ିଆରୁ ବାହାରିଗଲେ । ଖଣ୍ଡେଦୂର ଯାଇ ଅର୍ଜୁନଭାଇ ଅଶ୍ରୁଭରା ଚକ୍ଷୁରେ ଫେରି ଚାହିଁଥିଲେ ଥରେ । ତା’ପରେ ଗଛ ଉହାଡ଼ରେ ଜଙ୍ଗଲ ଭିତରେ ଲୁଚିଗଲେ ।

 

ବିଜୟ କହିଲେ, ମୋତେ ବିଦାୟ ଦିଅ ।

 

ମୁଁ କହିଲି, ବୋଉ ସଙ୍ଗେ ଥରେ ଦେଖାକରି ଯିବାକୁ ହେବ ।

 

ବୋଉ ଅତି ଆଗ୍ରହ ଓ ଆଦରରେ ତାଙ୍କର ଅଭ୍ୟର୍ଥନା କଲା । ବିଜୟ ସେଦିନ ଆମର ଆତିଥ୍ୟ ଗ୍ରହଣ କଲେ ।

 

ବୋଉ ଯେତେବେଳଯାଏ ବିଜୟ ମଲ୍ଲଙ୍କ ପାଖରେ ବସି ଗଳ୍ପ କରୁଥାଏ, ମୁଁ ଅନ୍ୟ ଘରେ ବସି ଅର୍ଜୁନଭାଇ-ପ୍ରଦତ୍ତ ଖଣ୍ଡିଏ ପୋଥି ପଢ଼ିବାକୁ ଚେଷ୍ଟା କରୁଥାଏ । ଯେତେ ପଢ଼ିଲେ ସୁଦ୍ଧା ମନ ସେଥିରେ ପଶେ ନାହିଁ । କାନ ଦୁଇଟି ତାଙ୍କର କଥାଭାଷା ଶୁଣିବାକୁ ସତର୍କ ଥାଏ, ଆଉ ମନଟା କେତେ ରଙ୍ଗୀନ ଚିତ୍ର ଦେଖୁଥାଏ, ଭବିଷ୍ୟତର ଅସୀମ ଚିନ୍ତା ରାଜ୍ୟରେ । ସେମାନଙ୍କ କଥାଭାଷାରେ ଯୋଗଦେବାକୁ ବୋଉ ମତେ ଡାକ ଛାଡ଼େ । ଯିବାକୁ ଇଚ୍ଛା ହେଉଥିଲେ ମଧ୍ୟ ଲାଜମାଡ଼େ । ଯାଉଛି, ଯାଉଛି, କହି ଯାଇପାରେ ନାହିଁ ।

 

ବୋଉ ତାର ଗଳ୍ପ ଶେଷ କରି ଶୋଇବାକୁ ଚାଲିଗଲା । ଚାକର ଚାକରାଣୀମାନେ ବାହାର ଖଞ୍ଜାକୁ ଗଲେ । ମୁଁ ସତର୍କତାର ସହିତ ଧୀରେ ଧୀରେ ତାଙ୍କ ପାଖକୁ ଗଲି । ସେ ଆଗ୍ରହରେ ମୋ ଆଗମନକୁ ଅନାଇଁ ରହିଥିଲେ । କେତେ ସୁଖ ଦୁଃଖ, କେତେ ଅତୀତ ଭବିଷ୍ୟତ ବିଷୟରେ କଥାଭାଷା ହେଲୁ ।

 

ରାତି ଶେଷ ହୋଇ ଆସିଲା, ଆଖି କଷା ପଡ଼ିନାହିଁ । ବିଦାୟ ନେଇ ମୋର ନିଜ କୋଠରୀକୁ ଫେରିଆସିବା ପୂର୍ବରୁ ପଚାରିଲି, ତୁମେ ଆଉ କେବେ ଆସିବ ? ମୋର’ ଆଖି ଛଳଛଳ ହେଲା । କହିଲି, ମୋତେ ଭୁଲିଯିବି ନାହିଁ ତ ମୋର ବନ ଦେବତା ?

 

ସେ ହସି କହିଲେ, ଭୁଲିଯିବି ମୋର ବନମଲ୍ଲୀକୁ ? ତେବେ ତ ନିଜକୁ ଭୁଲିବାକୁ ପଡ଼ିବ ଆଗ । ଅବସର ପଡ଼ିଲେ ଅବଶ୍ୟ ତୁମ ସଙ୍ଗେ ଦେଖା କରିବି ।

 

ମୁଁ ଖୁସି ହୋଇ ଶୋଇବାକୁ ଫେରିଲି ।

 

ଏତିକି କହି ଜୟନ୍ତୀ ଜୟନ୍ତର ମୁଣ୍ଡ ଉପରେ ହାତ ରଖି କହିଲେ, ବାପ, ଆଜି ଆଉ ଅଧିକ କିଛି ତୋ ପାଖରେ କହିପାରୁନାହିଁ । ଅତୀତରେ ସୁଖ ଦୁଃଖର କଥା କହୁଣୁ ଛାତି ଭିତର ଘାଣ୍ଟିଚକଟି ହେଉଚି । କେତେ ଲୋକଙ୍କ ଉପରେ ରାଗ କରିବାକୁ ମନ ହେଉଛି । ପୁଣି ମନେହେଉଛି, ସେହି ସୁଦୂର ଅତୀତର ଗୋଟିଏ ଭ୍ରମ ପାଇଁ ମୁଁ ତ ନିଜେ ଦାୟୀ, ରାଗିବି ବା କାହା ଉପରେ ?

 

ବାପ, ସବୁ ଘଟଣା ଅନନ୍ତ ସମୟ-ସମୁଦ୍ର ଭିତରେ ନିଜର ସତ୍ତା ହଜାଇ ବସେ, କିନ୍ତୁ ମନର ପରଦା ଉପରେ ମଣିଷର ଅନୁଭୁତିର ଚିହ୍ନ ରହିଯାଏ ଆଜୀବନ । ଅରଜିଲା ଦୁଃଖ ହତାଶର ପ୍ରବଳ ଝଞ୍ଜା ବହେ । ହୃଦୟରେ ସ୍ମୃତିର ତରଙ୍ଗ ପଡ଼ି ଉଠି ଧାଏଁ ଅନୁଭୂତିର ଚିହ୍ନକୁ ଧୋଇ ଲିଭାଇଦେବାକୁ, କିନ୍ତୁ କରେ କଣ ? ସେହି ଦାଗକୁ ଆହୁରି ଗଭୀର କରି ଖୋଳିଦେଇଯାଏ ।

 

ଆ ବାପ । ଜୟନ୍ତର ହାତଧରି ଜୟନ୍ତୀ ସବୁ ବ୍ୟଥା ହୃଦୟରେ ଲୁଚାଇ ଫେରିଆସିଲେ-। ତାଙ୍କର ଆଶ୍ରୟସ୍ଥଳୀ କୁଟୀରକୁ ।

 

ପରଦିନ ସଞ୍ଜବେଳେ ସେହି କୁଟୀର ଆଗରେ ବସି ଜୟନ୍ତ ପଚାରିଲା, ମା, ଆଉ କଣ ବିଜୟ ମଲ୍ଲଙ୍କ ସଙ୍ଗେ ତୋର ଦେଖା ହୋଇନାହିଁ ସେହି ଦିନରୁ ?

 

ଜୟନ୍ତୀ କହିଲେ, ସେ ତ ଅନେକ ଥର ଆସିଥିଲେ ତାପରେ, ଦେଖାହୁଏ ସେହି ପାଗଳବାବାଙ୍କ କୁଟୀରରେ । ଯେତେବେଳେ ଯୌବନର ଆକର୍ଷଣ, ସୌନ୍ଦର୍ଯ୍ୟର ମୋହ, ମିଳନର ଆକାଙ୍‌କ୍ଷା, ଯୁବକ-ଯୁବତୀଙ୍କର ମନକୁ ଘୋଟିଆସେ, ସେମାନେ ଅନ୍ଧ ହୁଅନ୍ତି, ପାଗଳ ହୁଅନ୍ତି । ପଶୁପରି ବିବେକ ନିର୍ଦ୍ଦିଷ୍ଟ ପଥଛାଡ଼ି, କର୍ତ୍ତବ୍ୟରେ ଅବହେଳା କରି ବିପଥରେ ଚାଲନ୍ତି, ଅଥଚ ବିପଥ ବୋଲି ଜାଣି ମଧ୍ୟ ଜାଣନ୍ତି ନାହିଁ, ବୁଝି ମଧ୍ୟ ବୁଝନ୍ତି ନାହିଁ । ବିଜୟ ମଲ୍ଲ ପ୍ରତ୍ୟହ ମୋ ସଙ୍ଗେ ଦେଖା କରିବାକୁ ଆସନ୍ତି । ମୁଁ ବି ଚାତକିନୀ ପରି ତାଙ୍କର ଆସିଲା ବାଟକୁ ଚାହିଁରହିଥାଏ । ଯେଉଁଦିନ ସେ ଅକସ୍ମାତ ଆସି ନପାରନ୍ତି, ମୁଁ ହତାଶ ହୋଇ ଫେରେ । ମନରେ ବାରପ୍ରକାର ଦୁଶ୍ଚିନ୍ତା ଆସେ ।

 

ଏହିପରି କେତେଦିନ ବେଶ୍‌ ଆନନ୍ଦରେ କଟିଲା ଗୋପନରେ । ମୁଁ ନିତାନ୍ତ ବାଧ୍ୟ କଲେ ସେ ଆମ ଘରକୁ ଆସନ୍ତି । ବୋଉ ସବୁଦିନ ପରି ତାଙ୍କୁ ଆଗ୍ରହରେ ରାତିଟି ଆମଘରେ ରହିବାକୁ ଅନୁରୋଧ କରେ । ସେ ତାର ଆଗ୍ରହ ରକ୍ଷା କରି ଆମ ଘରେ ଅଟକିଯାଆନ୍ତି । ଦିନେ କେବେ ପ୍ରତିବାଦ କରନ୍ତି ନାହିଁ, କାଳେ ମୋ ମନରେ ଦୁଃଖ ହେବ ।

 

ବାପ, ମଣିଷର ଜୀବନ, ମନ, ଚଳନ ଉପରେ ଦୁନିଆଁର ସହସ୍ର ପ୍ରାଣୀଙ୍କର ପ୍ରଭାବ ପଡ଼େ, ସେଇସବୁ ପ୍ରଭାବର ପ୍ରବାହରେ ଭାସି ଭାସି ଯାଏ, କେଉଁଠି ଯାଇ ଲାଗେ ସେ ଜାଣିପାରେ ନାହିଁ । ମୋର ଜୀବନଟି ଏହି ସ୍ୱାଭାବିକ ନିୟମରୁ ବାହାର ନୁହେ । ଛୋଟ ବଡ଼ ଓ ଭଲ ମନ୍ଦ ଘଟଣାର ସମଷ୍ଟିରେ ଯାହାର ଜୀବନ ଇତିହାସର ପ୍ରତ୍ୟେକ ପୃଷ୍ଠା ଚିତ୍ରିତ, ତାର ମନ, ଚରିତ୍ର ଓ ଜୀବନ ଉପରେ ଅନେକ ଲୋକଙ୍କର ପ୍ରଭାବ ପଡ଼ିଛି । ପ୍ରତ୍ୟେକ ଲୋକଙ୍କର କଥା ବା ପ୍ରତ୍ୟେକ ଘଟଣା ଯଦି ମୁଁ କହିବସେ, ଶୁଣିବାକୁ ତୋର ଧୈର୍ଯ୍ୟଚ୍ୟୁତି ହେବ । ସେଇଥିପାଇଁ ମୋର କର୍ମ୍ମର ଗତି ଉପରେ ଯେଉଁମାନଙ୍କର ପ୍ରଭାବ ପ୍ରବଳ, କେବଳ ସେହିମାନଙ୍କ ବିଷୟରେ ହିଁ ମୁଁ କହିଛି ଓ କହିବାକୁ ବସିଛି ।

ଦିନକର କଥା । ମୋର ଜଣେ ଅତି ଆପଣାର ପିଲାଦିନର ସଙ୍ଗିନୀ ଆମ ଘରକୁ ବୁଲିଆସିଥିଲା । ଦିପହର । ବୋଉ ଶୋଇପଡ଼ିଛି। ମୋତେ ନିରୋଳାରେ ସେ ଡରି ଡରି କହିଲା, ଜୟନ୍ତି, ମନରେ କିଛି ଭାବିବୁ ନାହିଁ ତ ? ଯାହା ଭାବ ପଛେ, ମୁଁ କହିବାକୁ ଆସିଛି, ନିଶ୍ଚୟ କହିବି ।

ମୁଁ ହସି ହସି କହିଲି, କଣ କହିବୁ କହୁନୁ, ଏତେ ଡର କାହାକୁ ବା ?

ସେ କହିଲା, ଶୁଣ, ଗାଁ ମାଇପେ ତୋ ନାମରେ ବାର କଥା ଉଠାଇଛନ୍ତି । ଘରେ ଘରେ ତୋରି କଥା ପଡ଼ିଛି, ସଭା ବସିଛି । ଛି, ଛି, ସେ ଯେଉଁ କଥାମାନ କହୁଛନ୍ତି ଲୋ, ଶୁଣିଲେ କାନରେ ହାତ ଦେବୁ ।

ପଚାରିଲି, କଅଣ ଶୁଣେ ?

ସେ କହିଲା, ତୁ କୁଆଡ଼େ କେଉଁ ଅଜଣା ଲୋକ ସଙ୍ଗରେ ଏକୁଟିଆ ବଣ ଜଙ୍ଗଲରେ ବୁଲୁଛୁ, ତା ସଙ୍ଗେ ଥଟ୍ଟା ନକଲ ହେଉଛୁ । ସେ କୁଆଡ଼େ ଆସି ତମ ଘରେ କୁଣିଆଁ ହୋଇ ରହୁଛି, ଏ କଣ ସତ ?

ମୁଁ କହିଲି, ଯଦି ଲୋକେ ଏତେ କଥା ଜାଣନ୍ତି, ତେବେ ସେ ଅପରିଚିତ ବୋଲି ସେମାନେ ଜାଣିଲେ କିପରି ?

ଅନୁମାନ । ସେ ଲୋକଟି ଅନ୍ୟ କାହାରି ପରିଚିତ ନୁହେଁ ।

ଯଦି ମୋର ପରିଚିତ ହୋଇଥାଏ ?

ହେଲେ କଣ ହେଲା, ଗୋଟାଏ ପୁରୁଷ ପିଲା ସଙ୍ଗେ ଏପରି ମିଳାମିଶା କରିବା କଣ ଭଲ ? ଆମେ ତ ଆଉ ପିଲା ହୋଇନୁ ।

ଲୋକେ ଯେଉଁ ଭୟ ଦେଖାଇ ଏ ସବୁ କହୁଛନ୍ତି, ଯଦି ସେ ଭୟ ମୋର ନଥାଏ ?

ସେ ତ ନିଆରା କଥା । ତେବେ, ଭୟ ନ ରହିବ କେମିତି ? ଆମେ ପରା ଅଭିଆଡ଼ୀ ?

ମୁଁ କହିବାକୁ ଯାଉଥିଲି, ଯଦି ମୁଁ ତାଙ୍କୁ ବିବାହ କରିଥାଏଁ ? କଥାକୁ ଢୋକିନେଇ କହିଲି, ଲୋକଙ୍କର ଅଲଣା କଥାରୁ କଣ ମିଳିବ ? ତାପରେ ଏଣୁ ତେଣୁ କହି ତାକୁ ଭୁଲାଇଦେଲି-। ସେ ବିଦାୟ ନେବା ପରେ ତାର କଥାକୁ ମୁଁ ଭଲକରି ଭାବିଲି, ମୁଁ କଣ ସତେ ଅନ୍ୟାୟ କରୁଛି ? ଯେତେ ଯାହା ଭାବିଲେ ସୁଦ୍ଧା ମୋର ଭାବନାଗୁଡ଼ାକ ନିଜ ନିଜ ଭିତରେ କଜିଆ ଆରମ୍ଭ କରିଦେଲେ । ମୁଁ ସିଦ୍ଧାନ୍ତରେ ପହଞ୍ଚିପାରିଲି ନାହିଁ । ମୋର ନିଦ ହୋଇଗଲା । ସ୍ୱପ୍ନ ଦେଖିଲି, ବିଜୟ ମଲ୍ଲ ମୋ ପାଖକୁ ଆସି ଦୁଇହାତ ବଢ଼ାଉଛନ୍ତି, ଆଉ ମୁଁ, ତାଙ୍କର ଛାତି ଉପରକୁ ଢଳିପଡ଼ିବାକୁ ଯାଉଛି ।

ବୋଉ ଦିନେ ଆମର ବୁଢ଼ୀ ଧାଈଟିକୁ କହୁଥିବାର ମୁଁ ଶୁଣିପାରିଲି, ଯଦି ଏଇ ବିଜୟ ମଲ୍ଲ ପରି ଜ୍ୱାଇଁ ମୋତେ ମିଳନ୍ତା ! ଯେପରି ସୁନ୍ଦର, ବଳିଷ୍ଠ ରୂପ, ବୁଦ୍ଧିସୁଦ୍ଧି ସେହିପରି । ପଦେ କଥା ତା ତୁଣ୍ଡରୁ ଶୁଣିଲେ ମୋର ପେଟ ପୂରିଉଠେ । ସତେ, ବିଧାତା ଜୟନ୍ତୀକୁ ଏପରି ଭାଗ୍ୟବତୀ କରିବେ !

ବୋଉର କଥା ଶୁଣି ମୁଁ ଗୌରବ ବୋଧ କଲି । ଯଦି ବୋଉ ଜାଣନ୍ତା ଯେ ସେ ଯାହା ମନରେ ପାଞ୍ଚୁଛି କାର୍ଯ୍ୟରେ ତାହା ପରିଣତ ହୋଇସାରିଲାଣି, ତେବେ ସେ ସୁଖୀ ହୁଅନ୍ତା ! କହିବାକୁ ସାହସ ହେଲା ନାହିଁ । ଲଜ୍ଜା ବୋଧ କଲି । ପୁଣି, କହିବି ନାହିଁ ବୋଲି ଯେ ମୋର ଦେବତା ପାଖରେ ମୁଁ ପ୍ରତିଜ୍ଞାବଦ୍ଧ ।

 

ଏବେ ଭାବୁଛି, ସେଦିନ ସବୁ ସତକଥା ବୋଉ ଆଗରେ ଖୋଲି କହିଥିଲେ ବୋଧହୁଏ ଜୀବନର ଗତି ଅନ୍ୟପ୍ରକାର ହୋଇଥାନ୍ତା, ଭବିଷ୍ୟତ ଜାଣିବାର ଶକ୍ତି ଯେବେ ଏ ମଣିଷର ଥାଆନ୍ତା, ତେବେ ଦୁନିଆଁର ଅବସ୍ଥା କଣ ହୁଅନ୍ତା ଜାଣି ହେଉନାହିଁ । ସେ ସୁଯୋଗ ମଣିଷର ନାହିଁ-। ଦୁନିଆକୁ ଜାଣିବାର ଓ ଚିହ୍ନିବାର ଅଭିଜ୍ଞତା ମଣିଷପିଲା ଜନମରୁ ଲାଭ କରେ ନାହିଁ । ଯେଉଁମାନଙ୍କର ସେ ଅଭିଜ୍ଞତା ଅଛି ସେମାନେ ଯଦି ମଣିଷପିଲାକୁ ଶିଖାଇ, ମଣାଇଁ, ଆକଟ କରି, ଭଲମନ୍ଦ ସୂଚାଇ, ବାଟ ନ ଦେଖାଇବେ, ଭବିଷ୍ୟତର ଭୁଲଭ୍ରାନ୍ତି ଓ ତାର ପରିଣତି ପାଇଁ ସତର୍କ ନ କରାଇବେ, ତେବେ ଫଳାଫଳ ଅତି ଦୁଃଖଦାୟକ ଏବଂ ମର୍ମନ୍ତୁଦ ହେବ–ଯେପରି ହୋଇଛି ମୋର-। ପିଲାଙ୍କ ପ୍ରତି ସ୍ନେହ ଓ ବିଶ୍ୱାସର ସୀମା ଅଛି, ସ୍ୱାଧୀନତା ଦେବାର ପରିଧି ଅଛି । ଯେତିକି ଲୋଡ଼ା ତହିଁରୁ ଅଧିକ ହେଲେ ପରିଣାମ ମଙ୍ଗଳପ୍ରଦ ହୁଏ ନାହିଁ । ମୋ ଜୀବନହିଁ ତାର ଉଦାହରଣ-

 

ଗଡ଼ରୁ ଖବର ଆସିଲା, ଗଜପତିଙ୍କ ଲୋକେ ଆମର ସିପାହୀମାନଙ୍କୁ ପରାସ୍ତ କରି ଦୁର୍ଗ ଅଧିକାର କରିଛନ୍ତି । ରାଜା ନିଜେ ଆତ୍ମସମର୍ପଣ କରି ସନ୍ଧି କରିଛନ୍ତି । ଦେଶ ଲୋକଙ୍କ ମନର ଅବସ୍ଥା କହିଲେ ନସରେ । ଯୁଦ୍ଧରେ ତ ଯେତେ ଲୋକ ମରିବାର ମଲେ, ଯେଉଁମାନେ ରହିଲେ, ସେମାନେ ପ୍ରାଣ ବିକଳରେ ଯିଏ ଯୁଆଡ଼େ ପଳାଇଲେ ।

 

ଏ କଥା ଶୁଣି ମୁଁ ଭାବିଲି, ରାଜା ତ ସନ୍ଧି କଲେ, ତାଙ୍କର ଏହି ଯୁଦ୍ଧରେ କଣ ହେଲା ? ତାଙ୍କର ସ୍ତ୍ରୀ ପିଲା ଆଉ ଅନାଥ ହୋଇ ହତାଶ ହୋଇ ମୁଠିଏ ଭାତ ପାଇଁ ଦାଣ୍ଡରେ ହାଟରେ ବୁଲିବେ ନାହିଁ ? ରାଜାର ହେଉଁ ଆର୍ଥିକ କ୍ଷତି ହେଲା ସେ କ୍ଷତି ପୂରଣ କରିବ କିଏ କି ? ଆମପରି ଗରିବ ପ୍ରଜାଏ ସିନା !

 

ଯୁଦ୍ଧ ଶେଷ ହେଲାରୁ ଅଳ୍ପ କେତେଜଣ ସିପାହୀ ଘରକୁ ଫେରିଆସିଲେ । ଗ୍ରାମର ସ୍ତ୍ରୀ ପିଲାଏ ସେମାନଙ୍କ ନିକଟକୁ ଯାଇ ସ୍ୱାମୀ ପୁତ୍ରଙ୍କର ଖବର ବୁଝିଆସିଲେ । ବୋଉ ସଙ୍ଗରେ ମୁଁ ମଧ୍ୟ ଯାଇ ବାପା କାହିଁକି ଫେରିଲେ ନାହିଁ, ସେ ଖବର ପଚାରିଲି । ଯାହାକୁ ପଚାରିଲୁ ସେ କହିଲା, ଶେଷ ଯୁଦ୍ଧରେ ଗଜପତିଙ୍କ ସେନାପତି ବିଜୟ ମଲ୍ଲଙ୍କ ହାତରେ ସେ ନିହତ ହୋଇଛନ୍ତି । ବାପା ଯୁଦ୍ଧରେ ମରିଛନ୍ତି, ଏ ଖବର ପାଇ ବୋଉ ମୋହ ହୋଇ ପଡ଼ିଯିବ ବୋଲି ଭାବିଥିଲି, କିନ୍ତୁ ଦେଖିଲି ଭିନ୍ନ କଥା । ସେ ପଥର ପରି ସବୁ କଥା ଶୁଣିଗଲା । ଆଖିରୁ ବୁନ୍ଦାଏ ହୋଇ ଲୁହ ଗଡ଼ିଲା ନାହିଁ । ବଡ଼ ଅଦ୍ଭୁତ କଥା । ବରଂ, ଗାଁ ମାଇପଙ୍କୁ ସେମାନଙ୍କର ଦୁଃଖ ପାଇଁ ସହାନୁଭୂତି ଦେଖାଇ ବୋଧ ଶୋଧ ଦେଇ କହିଲା–ଯେ ମରିଯାଏ, ସେ ଆଉ ଫେରେ ନାହିଁ, ବୃଥାରେ କାନ୍ଦି କାନ୍ଦି ମନସ୍ତାପ କରି ବେଳ କଟାଇବା ଭଲ ନୁହେଁ । ଯେଉଁମାନଙ୍କର ଧୈର୍ଯ୍ୟ ଅଛି, ସେମାନେ ତାଙ୍କର ପିଲାଝିଲାଙ୍କର ମୁହଁକୁ ଅନାଇଁ, ତାଙ୍କୁ ମଣିଷ କରିବାକୁ ବଞ୍ଚି ରହ । ଯେଉଁମାନେ ସ୍ୱାମୀର ମରଣ ସହି ଜୀବନ ଧରି ରହିବା ଅସମ୍ଭବ ମଣୁଛ, ସେମାନେ ଜ୍ୱଳନ୍ତ ନିଆଁରେ ଝାସ ଦେବାକୁ ପ୍ରସ୍ତୁତ ହୁଅ-

 

ମୋର ପେଟଭିତରୁ ଦୁଃଖର କୋହ ଉଠୁଥାଏ ତୁହାଇ ତୁହାଇ । ଇଚ୍ଛା ହେଉଥାଏ, ବୋଉର ବେକ ଧରି କାନ୍ଦି କାନ୍ଦି ସବୁ ଆଖିଲୁହ ଶେଷ କରି ଢାଳିଦେବି । ମନର ରୁଦ୍ଧ ବେଦନାର ଦାଉ ସହିପାରିବି ନାହିଁ । ବାପା ମରିଛନ୍ତି ଯୁଦ୍ଧ ଭୂଇଁରେ, ମାରିଛନ୍ତି ବିଜୟ ମଲ୍ଲ, ମୋର ଅତି ପ୍ରିୟ ବିଜୟ ମଲ୍ଲ ! ଯେତେବେଳେ ସେ ମୋ ସଙ୍ଗେ ଦେଖା କରିବାକୁ ଆସିବେ, କିପରି ମୁଁ ତାଙ୍କର ମୁହଁକୁ ଚାହିଁବି, ହସିବି, କାନ୍ଦିବି ? ମୋରି ପ୍ରିୟହିଁ ମୋରି ପିତୃହନ୍ତା, ଏହାଠାରୁ ବଳି ଦୁଃଖ କଣ ହୋଇପାରେ ?

 

ବାପ, ଏଥର ଆମର ଦୁଃଖ ଦୁର୍ଦ୍ଦଶା କଥା କହିବାର ସମୟ ଆସୁଛି । ଦୁଃଖ ସମୁଦ୍ରର ଜୁଆର ପରି ମାଡ଼ିଆସେ, ତାର ଗତିରୋଧ କରିବାର ଶକ୍ତି ମଣିଷ ହାତରେ ନାହିଁ । ମୋର ଶିଶୁ-ଜୀବନର ହସ ଖେଳ ଓ ତାରୁଣ୍ୟର ଉନ୍ମାଦନା ଯେ ଶୀଘ୍ର ଶେଷ ହୋଇଯିବ, ମୋତେ ଯେ ମହା ବିପଦର ଘୂର୍ଣ୍ଣିବାୟୁ ଭିତରଦେଇ ସଂସାର ପଥରେ ଚାଲିବାକୁ ହେବ, ସେ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ପିତାଙ୍କର ମୃତ୍ୟୁ ଖବର ଶୁଣିବାର ଦୁଇଦିନ ଯାଏ ବୋଉ ବିଛଣାରେ ପଡ଼ିରହିଲା । କାହାରିକୁ କିଛି କହିବା ତ ଦୂରର କଥା, କେହି ପାଖକୁ ଗଲେ ସେ ମୁହଁ ଟେକି ଚାହିଁଲା ନାହିଁ । ଅଖିଆ ଅପିଆ ଦୁଇଦିନ ଗୋଟାଏ ବିଛଣାରେ ପଡ଼ି ଖାଲି କାନ୍ଦି କାନ୍ଦି ବେଳ କଟାଇଲା । ତାର ଏପରି ଅବସ୍ଥା ଦେଖି ମୋର ମଧ୍ୟ ଦୁଃଖର ସୀମା ରହିଲା ନାହିଁ । ମୁଁ ଅସ୍ଥିର ହୋଇ କାନ୍ଦିବାକୁ ଲାଗିଲି । ବିଜୟ ମଲ୍ଲଙ୍କ ଉପରେ ରାଗି କେତେଥର ପ୍ରତିଜ୍ଞା କଲି, ଏଥର ଯଦି ଦେଖା ହୁଏ, ତାଙ୍କୁ ଆଉ କଥା କହିବି ନାହିଁ । ଯଦି କହେଁ, ଶେଷଥର ପାଇଁ କହି ତାଙ୍କଠାରୁ ସବୁ ସମ୍ପର୍କ ତୁଟାଇ ଆସିବି ।

 

ନିଜେ ଭାବି ନିଜେ ମୁଁ ଚମକିଉଠିଲି । ସମ୍ପର୍କ ତୁଟାଇବି କିପରି ? ଏ ଜୀବନରେ ତ କେବେହେଲେ ପାରିବି ନାହିଁ, ସେ ଯେ ମୋର ସ୍ୱାମୀ !

 

ତାଙ୍କର ଦୋଷ କଣ ? ଯୁଦ୍ଧ କ୍ଷେତ୍ରରେ କିଏ କାହାକୁ ଚିହ୍ନିଛି ? ମୋର ପିତା ବୋଲି ସେ ଜାଣନ୍ତେ କିପରି? ମନକୁ ଏହିପରି ବୁଝାଏ । ଇଚ୍ଛା ହୁଏ, ପୁଣି ଥରେ ପାହାଡ଼ ପାଖକୁ ବୁଲିଯିବି, କାଳେ ସେ ମୋ ସଙ୍ଗେ ଦେଖା କରିବାକୁ ଆସି ନଦେଖି ଫେରିଯିବେ । ମୋର ପ୍ରବଳ ଇଚ୍ଛାକୁ ମୁଁ ଦମନ କରେ । ଲୋକେ କଣ କହିବେ, ବୋଉ କଣ ଭାବିବ ?

 

ଦୁଇ ଦିନ ପରେ ବୋଉ ସକାଳୁ ଉଠି ମୋ ପାଖକୁ ଆସି ମୋତେ ବିଛଣାରୁ ଉଠାଇଲା-। ମୁଁ ନିଦରୁ ଉଠି ବୋଉକୁ ଦେଖି କାବା ହୋଇଗଲି । ତାର ହସ ହସ ପ୍ରଫୁଲ୍ଲ ମୁହଁକୁ ଚାହିଁ ମୋର ମନରେ ଯେଉଁ ଆନନ୍ଦ ଆସିଥିଲା, ମୁଁ ଆଜି ବାକ୍ୟରେ ପ୍ରକାଶ କରିପାରୁନାହିଁ । ମୋର ପ୍ରାଣର ବେଦନା ସତେ କି ଅଧେ ଊଣା ହୋଇଗଲା । ଭାବିଲି, ଦୁଇଦିନ କାଳ ଭାବି ବୋଧହୁଏ ବୋଉ ତାର ମନ ବଦଳାଇଛି ।

 

ବୋଉ ମୋର ମୁଣ୍ଡକୁ ଛାତି ଉପରକୁ ଆଉଜାଇ କହିଲା, ଧନ ମୋର, ଏଡ଼େଟିଏ ତ ହେଲୁଣି, କିଛି ଶିଖିଲୁ ନାହିଁ, ପର ଘରକୁ ଗଲେ ଚଳିବୁ କେମିତି ?

 

ମୁଁ କିଛି ଉତ୍ତର ଦେଲି ନାହିଁ । ବୋଉ ପୁଣି କହିଲା, ମା, ମୁଁ ଦୁଇଦିନ କାଳ ବିଛଣାରେ ପଡ଼ି ଖାଲି ତୋରି କଥା ଭାବୁଥିଲି । କିନ୍ତୁ, ଆଉ ଭାବିବାକୁ ମୋର ତର ନାହିଁ । ତୋର ବାପାଙ୍କର ମଲା ଖବର ଶୁଣି ମୁଁ ଯେ ଦୁଇଦିନ ବଞ୍ଚି ରହିଲିଣି, ସେଥିପାଇଁ ମୁଁ ଅନୁତାପ କରୁଛି । କିପରି ଦୁନିଆଁ ମୋର ପୋଡ଼ାମୁହଁ ଦେଖିବ ?

 

ସତେ କି ମୋ ମୁଣ୍ଡରେ ବଜ୍ର ପଡ଼ିଲା । ବୋଉର ଉଦ୍ଦେଶ୍ୟ ମୁଁ ବୁଝିପାରିଲି । କହିଲି, ମୋତେ କାହା ଜିମା ଦେଇଯିବୁ ବୋଉ ?

 

ସେ ସାଶ୍ରୁ ନୟନରେ ଉତ୍ତର ଦେଲା, ଭଗବାନ୍ ଅଛନ୍ତି ।

 

ବାପ, ମୋତେ ସଂସାରର ଜଟିଳ କଣ୍ଟକିତ ପଥରେ ଏକାକୀ ଛାଡ଼ି ମା ମୋର ହସି ହସି ଜ୍ୱଳନ୍ତ ନିଆଁରେ ଝାସ ଦେଲା । ଗ୍ରାମ ଲୋକେ, ଗଡ଼ଲୋକେ ସମସ୍ତେ ଧନ୍ୟ ଧନ୍ୟ ପ୍ରଶଂସା କଲେ । କହିଲେ, ସେ ଯେ ସତୀ ଶିରୋମଣି !

 

ମୁଁ ହେଲି ସଂସାରରେ ଏକାକିନୀ । ସାହା ଭରସା କେହି ନାହିଁ ।

 

ଅତି ଦୁଃଖରେ ମୋର ବେଳ କଟିବାକୁ ଲାଗିଲା । ଦୁନିଆଁଟା ମତେ ଶୂନ୍ୟ ଦିଶିଲା । ନୈରାଶ୍ୟ ଭିତରେ ବିଜୟ ମଲ୍ଲଙ୍କୁ ଭାବିବସେ । ଅନ୍ତରର ରୁଦ୍ଧ ଆବେଗ ବାହାରକୁ ଫୁଟିଉଠେ । ଏତେ ବଡ଼ ବିପଦରେ ସେ ଥରେ ଦେଖା କରିବାକୁ ଆସିଲେ ନାହିଁ । ପୁରୁଷ ଜାତି ଏଡ଼େ ନିଷ୍ଠୁର ! ପୁଣି ଭାବେ, ସେ ବୋଧହୁଏ ଦେଶକୁ ଫେରିଯିବେଣି । ମୋତେ ନେବାକୁ ଶୀଘ୍ର ଲୋକ ପଠାଇବେ । ହୁଏ ତ ନିଜେ ଆସିବେ, ନିଶ୍ଚୟ ଆସିବେ । ମୋ ମନରେ ଆଶା ଉଦୟ ହୁଏ । ପରକ୍ଷଣରେ ନୈରାଶ୍ୟ ଭିତରେ ମୁହଁ ଲୁଚାଏ ।

 

ଦିନେ ଅର୍ଜୁନଭାଇ ଆମ ଘରକୁ ଆସିଲେ । ସେ ହେଲେଣି କୌପୀନଧାରୀ ସନ୍ନ୍ୟାସୀ । ତାଙ୍କୁ ଦେଖି ମୁଁ କାନ୍ଦି ପକାଇଲି । ଆଖିରେ ଲୁହ ଦେଖି ସେ କହିଲେ, ଦେବି, ହସ କାନ୍ଦର ଦୁନିଆଁ ତ ଏ, ସୁଖ ଦୁଃଖ, ଆଲୁଅ ଅନ୍ଧାର ସବୁବେଳେ ହାତ ଧରାଧରି । ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଅବଶ୍ୟ ପୂର୍ଣ୍ଣ ହେବ । ସେଥିକି ଭାବନା କଣ ? ଧୈର୍ଯ୍ୟ ଧରି ସେହି ପରମେଶ୍ୱରଙ୍କର ଆଶ୍ରା ଧରି ପଡ଼ିଥାଅ । ସେ ନିଶ୍ଚୟ ତୁମକୁ ସଦ୍‌ବୁଦ୍ଧି ଦେଇ ବିପଦରୁ ଉଦ୍ଧାର କରିବେ ।

 

ଅର୍ଜୁନ ଭାଇଙ୍କର ସନ୍ତ୍ୱନା ବାଣୀ ଶୁଣି ମୋର ମନରେ ଦମ୍ଭ ଆସିଲା । କିନ୍ତୁ, ତାଙ୍କର କଥା ଶୁଣି ମୁଁ ବିସ୍ମିତ ହେଲି । ଆଜି ଏପରି ସମ୍ବୋଧନ କାହିଁକି ? ଦେବି ! ପଚାରିବି ମନେକରିଥିଲି; କିନ୍ତୁ ତାଙ୍କର ମୁହଁକୁ ଚାହିଁ କଥାକୁ ଢୋକିନେଇ କହିଲି, ଆଜିଯାଏ କୁଆଡ଼େ ଥିଲ ଅର୍ଜୁନ ଭାଇ, ମୁଁ ତମର ମନେପଡ଼େ ନାହିଁ ?
 

ସେ କହିଲେ, ଜୟନ୍ତି, ତମର ଅର୍ଜୁନଭାଇ ଅନେକ ଦିନରୁ ଦେହତ୍ୟାଗ କଲେଣି । ଏଟାକୁ ଆଉ ଅର୍ଜୁନଭାଇ ଡାକିବ ନାହିଁ । ଏଟା ତ ବାରବୁଲା ଫକୀରଟା, ଏହାର ମନେ କେହି କେବେ ପଡ଼ିଲେ ପଡ଼ନ୍ତି, ନୋହିଲେ ନାହିଁ ।

 

ତାଙ୍କର କଥା ଶୁଣି ମୁଁ ବିସ୍ମିତ ହୋଇ ତାଙ୍କରି ମୁହଁକୁ ଚାହିଁରହିଲି । ସେ ପୁଣି କହିଲେ, ତମର ସ୍ୱାମୀ କଣ ତମର ଖବର ନିଅନ୍ତି ନାହିଁ ? ଯୁଦ୍ଧ ସରିଲାରୁ ସେ ତ ଦେଶକୁ ଫେରିଗଲେ, ତୁମେ କାହିଁକି ଏଠାରେ ଏକୁଟିଆ ଅଛ ?

 

ଭୟରେ ମୁଁ ଚାରିଆଡ଼କୁ ଚାହିଁଲି । ଯେଉଁ ବିଷୟଟି ମୁଁ ଆଜିଯାଏ ଗୋପନ ରଖିଥିଲି, ତାହା କିଏ ଶୁଣିଲା କି ? ଲାଜ ମାଡ଼ୁଥିଲା, କି ଉତ୍ତର ତାଙ୍କୁ ଦେବି । ତଥାପି ସାହସ କରି କହିଲି, ଗୋଟିଏ ଅନୁରୋଧ ମୋର ଅଛି ।

 

କଅଣ ଶୁଣେ ?

 

ମୁଁ କହିଲି, ତୁମେ ଯାହା ଜାଣ ସେକଥା ଯେପରି ଆଉ କେହି ନଜାଣନ୍ତି ।

 

ସେ ପଚାରିଲେ, କାହିଁକି, ତୁମେ କଣ ବିଜୟ ମଲ୍ଲଙ୍କ ସଙ୍ଗେ ହୋଇଥିବା ତୁମର ଗାନ୍ଧର୍ବ ବିବାହକୁ ଅସ୍ୱୀକାର କରୁଛ ?

 

କହିଲି, ଏତେ ଛୋଟ ଓ ଏଡ଼େ ହୀନ ବୋଲି ମୋତେ ଭାବ ନାହିଁ । ଯେଉଁଦିନ ସେ ମୋତେ ଦୁଷ୍ଟ ସିପାହୀମାନଙ୍କ କବଳରୁ ଉଦ୍ଧାର କଲେ, ଅତି ଦୁର୍ଗମ ଅନ୍ଧାର ରାତିରେ ମୋର ହାତ ଧରି ଆମ ଘରକୁ ଆଣିଲେ, ସେହି ଦିନରୁ ସେ ମୋତେ ଆପଣାର କରିସାରିଥିଲେ । ତାଙ୍କୁ ଜୀବନର ଦୋସର ବୋଲି ମୁଁ ଗ୍ରହଣ କଲି । ତାପରେ ହେଲା ଆମର ଗୋପନ ବିବାହ । ଅସ୍ୱୀକାର କରିବି କାହିଁକି ?

 

ଅର୍ଜୁନଭାଇ ପଚାରିଲେ, ତେବେ ?

 

ମୁଁ କହିଲି, ପ୍ରକାଶ କରିବାକୁ ସେ ମୋତେ ବାରଣ କରିଛନ୍ତି । ମୁଁ ମଧ୍ୟ ପ୍ରତିଜ୍ଞା କରିଛି ।

 

ସେ ଗମ୍ଭୀର ହୋଇ ପଚାରିଲେ, କାହିଁକି ?

 

ମୁଁ କହିଲି, ସେ କହିଛନ୍ତି, କୌଣସି ବିଶେଷ କାରଣରୁ ଆମର ଏ ଗୋପନ ଗାନ୍ଧର୍ବ ବିବାହ ଓ ସମ୍ବନ୍ଧ କିଛିଦିନ ପାଇଁ ଗୋପନ ରଖିବାକୁ ହେବ । ସମୟ ଆସିଲେ ସେ ନିଜେ ସବୁ ପ୍ରକାଶ କରି ମୋତେ ଏଠାରୁ ଘେନିଯିବେ ।

 

ମୋ କଥା ଶୁଣି ବାବାଜୀ ଅର୍ଜୁନଭାଇ ହସିଲେ । କଣ ଭାବି ସେ କହିଲେ, ସବୁ ଛଳନା ନୁହେଁ ତ ଜୟନ୍ତୀ ?

 

ମୁଁ ଚମକିଉଠିଲି । ଛାତି ଥରିବାକୁ ଲାଗିଲା । ବିଜୟ ମଲ୍ଲ ଛଳନା କରିବେ ? ଅସମ୍ଭବ-! କହିଲି, କେବେ ନୁହେଁ, ଛଳନା କେବେ ନୁହେଁ । ବିଜୟ ମଲ୍ଲ ଛଳନା କରିପାରିବେ ନାହିଁ-

 

ବାବାଜୀ ମୋର ଅନ୍ତରର ବେଦନା ବୁଝିପାରିଲେ, ମୋର ପ୍ରାଣର କରୁଣ କ୍ରନ୍ଦନ ଶୁଣିପାରିଲେ । ମୋତେ ସାନ୍ତ୍ୱନା ଦେବାକୁ କହିଲେ, ନହୋଇ ପାରେ, କିନ୍ତୁ ଏକଥା କଣ ଗୋପନ କରି ରଖିପାରିବ ତାଙ୍କର ଫେରିବାଯାଏ ? ସେ କେବେ ଫେରିବେ ତାହାର ତ ଠିକଣା ନାହିଁ । ଆଛା, ଟିକିଏ ରହି ପୁଣି କହିଲେ, ଏଟାକୁ ବିଦାୟ ଦିଅ ମା, ଦରକାର ବେଳେ ଏଟା ଅବଶ୍ୟ ତମର ଭଲ ମନ୍ଦ ବୁଝିବାକୁ ଆସିବ ।

 

ଏତିକି କହି ସେ ବିଦାୟ ନେଲେ । ମୁଁ ଥକ୍‌କା ହୋଇ ଠିଆହୋଇ ରହିଲି । କେତେଥର ମୁଁ ଏକୁଟିଆ ବସି ଭାବିଛି । ସତରେ କଣ ବିଜୟ ମଲ୍ଲ ପ୍ରତାରକ, ସତରେ ସେ ଛଳନା କରି ମୋପରି ଗୋଟିଏ ନିରୀହା ବାଳିକାର ସର୍ବନାଶ କରିଛନ୍ତି ? ମୋ ପ୍ରଶ୍ନର ଉତ୍ତର ନିଜେ ଦେଇପାରେ ନାହିଁ । ମୁଁ ଯେତିକି ଭାବେ, ମନ ସେତିକି ଖରାପ ହୁଏ । କାହା ପାଖରେ ମନ ଖୋଲି ପ୍ରାଣର ବ୍ୟଥା ପ୍ରକାଶ କରିବି ? ଏପରି ଆପଣାର ମୋର କେହି ନାହିଁ । ମୋର ଦୁଃଖହିଁ ମୋର ଚିରସାଥୀ, ଅତି ଆପଣାର ! ଆଖିର ଲୁହ ମୋର ସାନ୍ତ୍ୱନା ।

 

ବିଜୟ ମଲ୍ଲଙ୍କ କଥା ମନେପକାଇ ଦିନେ ମୁଁ ଏକୁଟିଆ ବସିଛି, ଇଚ୍ଛା ହେଲା ଥରେ ମୋର ଚିରପରିଚିତ ପାହାଡ଼ ଉପରକୁ ଯିବି । ଯେଉଁ ଚଟାଣ ଉପରେ ବସି ମୁଁ ମୋର ଦେବତାଙ୍କର ପ୍ରେମାଳାପ ଶୁଣୁଥିଲି, ସେହି ନିର୍ଜୀବ ଚଟାଣକୁ ହେଲେ ମନର ଗୋପନ କଥା ଜଣାଇବି । ଯାହା ଛାତି ଉପରେ ଦୁଇଟି ପ୍ରାଣୀ ଆମେ ପ୍ରେମରେ ବିଭୋର ହୋଇ ନିଜକୁ ଅନ୍ୟ ଭିତରେ ହଜାଇ ଆତ୍ମବିସ୍ମୃତ ହୋଇ ଭାବୁଥିଲୁ ପ୍ରକୃତି ପ୍ରେମମୟ ଓ ପ୍ରେମ ଶାଶ୍ୱତ, ତାହାରି ରୁକ୍ଷ ବକ୍ଷ ଉପରେ ମୋର ନୀରବ ଉଷ୍ଣ ଅଶ୍ରୁ ଗଡ଼ାଇ ଆସିବି । କେହି ସିନା ଆମ ସମ୍ବନ୍ଧ ଜାଣନ୍ତି ନାହିଁ, ପାହାଡ଼ର ଅକର୍ମ୍ମଶିଳା, ଗଛ ବୃକ୍ଷ, ଜୀବ ଜନ୍ତୁ, ଉପରର ସୁନୀଳ ଆକାଶ, ନିମ୍ନର ସଜୀବ ମହାନଦୀ ତ ସବୁ ଦେଖିଛନ୍ତି, ସବୁ ଜାଣିଛନ୍ତି !

 

ଉଦ୍‌ବିଗ୍ନ ହୋଇ ବାହାରିପଡ଼ିଲି ସେଦିନ । କାହାରିକୁ କିଛି କହିଯିବାକୁ ଇଚ୍ଛା ହେଲା ନାହିଁ । ଆମର ବୁଢ଼ୀ ଚାକରାଣୀ ମୋ ଆଗକୁ ଆସି ଦୁଇଆଖି ଲୁହରେ ଢଳଢଳ କରି କହିଲା, ଅବେଳାଟାରେ କୁଆଡ଼େ ଯାଉଛ ଦେଈ, କଣ ହୋଇଛି ଯେ ଏତେ କାନ୍ଦୁଛ ? ଦୁର୍ଦ୍ଦିନର ସହାୟ ସେ ମୋର, ତଥାପି ତାର ଆକୁଳତାର ଉତ୍ତର ନ ଦେଇ ବୁଲିପଡ଼ି ମୁଁ ପଦାକୁ ଗଲି ।

 

ପାହାଡ଼ ଉପରକୁ ଉଠି ପରିଚିତ ସେହି ପଥର ଚଟାଣ ଉପରେ ବସି ନୀରବଅଶ୍ରୁ ତ୍ୟାଗ କଲି । ଛାଇ ନେଉଟିଲା । ମୋର ଦୁଃଖରେ ସଜୀବ ପ୍ରକୃତି ମଧ୍ୟ ସହାନୁଭୂତି ଦେଖାଇଲା ନାହିଁ । ଘରକୁ ଫେରିଯିବାକୁ ମନେ କରି ପଥର ଚଟାଣ ତଳକୁ ଗୁହା ଭିତରକୁ ଗଲି । ଅସ୍ତଗାମୀ ସୂର୍ଯ୍ୟର ଶେଷ ଲୋହିତ କିରଣରେ ଗୁହାଟି ବେଶ୍ ଆଲୋକିତ ହୋଇଥାଏ । ଫେରିଲାବେଳକୁ କାନ୍ଥ ଦେହରେ ଖଡ଼ିରେ ବଡ଼ ଅକ୍ଷରରେ ଲେଖା ହୋଇଥିବା କେତେ ଧାଡ଼ି ଅକ୍ଷର ଉପରେ ମୋର ନଜର ପଡ଼ିଲା । ମୁଁ କୁତୂହଳୀ ହୋଇ ପାଖକୁ ଗଲି । ଅକ୍ଷରଗୁଡ଼ିକ ପରିଷ୍କାର ପଢ଼ିହେଉଥାଏ ।

 

ଲେଖା ଥିଲା–ଅପେକ୍ଷା କରି ହତାଶ ହୋଇ ଫେରୁଛି, ରାତି ନପାହୁଣୁ ଦେଶକୁ ଫେରିଯିବି । କେତେ ଗୋପନ କଥା କହିବାର ଥିଲା, ବାକି ରହିଗଲା । ତୁମର ଘରକୁ ବି ଯାଇପାରୁନାହିଁ । କିଛିଦିନ ପାଇଁ ବିଦାୟ ଦିଅ । ମୋର ପ୍ରତୀକ୍ଷାରେ ରହିପାରିବ ତ ? –ବିଜୟ–

 

କିଏ ଲେଖିଛି ବୁଝିବାକୁ ଆଉ ବାକି ରହିଲା ନାହିଁ । ବିଜୟ, ମୋର ପ୍ରାଣର ବିଜୟ ପ୍ରତାରକ ନୁହନ୍ତି, ପ୍ରବଞ୍ଚକ ନୁହନ୍ତି । ସେ ମୋର, ସେ ଚିରଦିନ ମୋର । ଦେହରେ ମୋର ପ୍ରାଣ ଥିବା ଯାଏ ତାଙ୍କରି ପ୍ରତୀକ୍ଷାରେ ରହିଥିବି ।

 

ଦିନେ ସେହି ପଥର ଚଟାଣ ଉପରେ ବସି ମୁଁ ମୋର କରୁଣ ଜୀବନର ଇତିହାସ ମନେ ମନେ ଆଲୋଚନା କରୁଛି, ଅର୍ଜୁନଭାଇ ମୋତେ ଖୋଜି ଖୋଜି ଆସି ସେଠାରେ ଉପସ୍ଥିତ ହେଲେ-। ମୁଁ ତାଙ୍କୁ ପ୍ରଣାମ କରି ପଚାରିଲି, ବାବାଜୀ ମହାରାଜ, ବିଜୟ ମଲ୍ଲଙ୍କ ସମ୍ବନ୍ଧରେ ଆପଣ କିଛି ଖବର ପାଇଛନ୍ତି କି ? ସେ ବର୍ତ୍ତମାନ କେଉଁଠି ?

 

ସେ ହସି ହସି କହିଲେ, ଏହା ତ ଜାଣେ ନାହିଁ । ବର୍ତ୍ତମାନ ତାଙ୍କର ଖବର ରଖିବା ଆବଶ୍ୟକ ପଡ଼ିଲାଣି ପରା ! ଲୋକଙ୍କ ମୁହଁରୁ ଯେଉଁ କଥା ତୁମ ସମ୍ବନ୍ଧରେ ଶୁଣାଯାଉଛି, ଯଦି ସତ ହୋଇଥାଏ, ତେବେ ତମର ଗୁପ୍ତ ପ୍ରଣୟ ଖବର ପ୍ରକାଶ ନ କଲେ ଲାଜରେ ଆଉ ରକ୍ଷା ନାହିଁ ।

 

ସତେକି ଲାଜରେ ମୁଁ ମିଳାଇଯିବି । ମୋର ମୁହଁରୁ ପଦେ କଥା ସୁଦ୍ଧା ବାହାରିଲା ନାହିଁ-। ଅନ୍ୟ ଆଡ଼କୁ ମୁହଁ ଫେରାଇଲି ।

 

ବାବାଜୀ ଖୁସି ହୋଇ କହିଲେ, ଭାଗ୍ୟବତୀ ତୁମେ, କିନ୍ତୁ ଅନୁମତି ଦିଅ, ଲୋକଙ୍କ ଆଗରେ ସବୁ ସତ୍ୟ ପ୍ରକାଶ କରିବି; ନୋହିଲେ ସମାଜରେ ରହି ଲୋକଙ୍କ ମୁହଁରୁ ଅପବାଦ ଶୁଣି ଚଳିହେବ ନାହିଁ । ତୁମେ ନାରୀ !

 

ମୁଁ କହିଲି, ତାଙ୍କର ଆଦେଶ ଲଙ୍ଘନ କରିବି କିପରି ? ଗୋପନ ରଖିବାକୁ ମୁଁ ପ୍ରତିଜ୍ଞାବଦ୍ଧ ।

 

ବାବାଜୀ କହିଲେ, ଲୋକଙ୍କର କଥା ସହି ରହିପାରିବ ତ ?

 

ମୁଁ କହିଲି, ସହିବାକୁ ଚେଷ୍ଟା କରିବି । ଖାଲି କଥା ତ ନୁହେଁ, ସେମାନଙ୍କର ବ୍ୟବହାର ମୋ ପ୍ରତି ନିଷ୍ଠୁର ହୋଇପଡ଼ିବ । ହେଉ ।

 

ଭଲ, ତେବେ ତୁମେ ଯେ ବିବାହିତା ଏହା ଲୋକଙ୍କ ଆଗରେ ପ୍ରକାଶ କରିପାର । କାହାକୁ ବିବାହ କରିଛ କେବେ ବିବାହ କରିଛ ନ କହିଲେ ହେଲା ।

ମୁଁ କୌଣସି ଉତ୍ତର ଦେଲି ନାହିଁ । ବାବାଜୀ ବିଦାୟ ନେଲେ । ମୁଁ ଅନ୍ୟ ବାଟରେ ଘରକୁ ଫେରିଲି ।

ମୋର ପେଟ ଭିତରେ ଯେତେବେଳେ ତୋ’ର କୋମଳ ପାଦ ଦୁଇଟିର ମୃଦୁ ଆଘାତ ଲାଗେ, ମୁଁ ଭାବେ, ମୁଁ ଭାଗ୍ୟବତୀ । ଯେତେବେ ଗାଁ ଲୋକଙ୍କର ନିର୍ମମ କଥାଭାଷା ଶୁଣେ, ନିଷ୍ଠୁର ବ୍ୟବହାର ଦେଖେ, ପାହାଡ଼ ଉପରକୁ ଯାଇ ସେହି ଅକ୍ଷରଗୁଡ଼ିକୁ ଚାହିଁ ସବୁ ଦୁଃଖ ପାଶୋରେ । ସେ ନିଶ୍ଚୟ ଫେରିବେ–ଏହାହିଁ ମୋର ଦୃଢ଼ ଧାରଣା ।

ଦିନପରେ ଦିନ ବହିଗଲା । ଆଖିରୁ ପାଣି ମଲା, ସେ ଆସିଲେ ନାହିଁ । ମୋର ଖବର ଅନ୍ତର ବୁଝିବାକୁ ଲୋକଟିଏ ମଧ୍ୟ ପଠାଇଲେ ନାହିଁ । ତଥାପି, ମୋର ମନରେ ଆଶା ଥାଏ ସେ ଆସିବେ ।

ଦିନେ, ଶୁଭ୍ର ଶରତ୍‌ର ଦିଗଦିଗନ୍ତ ଉଜ୍ଜ୍ୱଳ କରି ବାଳାରୁଣ ପୂର୍ବ ଦିଗ୍‌ବଳୟର ତୋରଣ ଭିତରୁ ସୁନ୍ଦର ଲୋହିତ ମୁହଁଟିରେ ଉଜ୍ଜ୍ୱଳ ହସଟିଏ ଫୁଟାଇ ମୋରି ମୁକ୍ତ ବାତାୟନ ବାଟେ ହର୍ଷମୁଖରେ ଚାହିଁଲେ । ସେ ଦେଖିଲେ, ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଶିଶୁଟି ମୋର କୋଳରେ ଶରତ୍‌ର ଶେଫାଳୀ ପରି ଉଜ୍ଜ୍ୱଳ ଦିଶୁଛି । ତୋର କୋମଳ କପାଳରେ ପ୍ରଥମ ଚୁମ୍ବନ ଦେଲେ ସେହି ।

ମାତୃତ୍ୱର ଗର୍ବରେ ମୋର ଛାତି ଫୁଲିଉଠିଲା । ତୋରି ମୁହଁର ପ୍ରଥମ ଦର୍ଶନରେ ମୋର ସବୁ ଦୁଃଖ କଷ୍ଟ, ସବୁ ମାନ ଅପମାନ କ୍ଷଣକରେ କୁଆଡ଼େ ଚାଲିଗଲା । ଖାଲି ଏତିକି ଭାବିଲି, ଆହା, ଯଦି ସେ ପାଖରେ ଥାନ୍ତେ !

ଦଳ ଦଳ ହୋଇ ଗାଁ ମାଇପେ ପୁଅ ଦେଖିବାକୁ ଆସିଲେ । ମୋ ଘରେ ପାଦ ପକାଇ ଯେ ଛୁଆଁ ହେବାକୁ ପଡ଼େ ଏକଥା ସେମାନେ କ୍ଷଣକ ପାଇଁ ଭୁଲିଗଲେ । ଯିଏ ତୋତେ ଦେଖିଲା, ତୋର ରୂପକୁ ପ୍ରଶଂସା କଲା । କେହି ତୋତେ କିଛି ଉପହାର ଦେଲେ ନାହିଁ । କଲ୍ୟାଣଟିଏ ମଧ୍ୟ କେହି କଲେ ନାହିଁ । ମୋତେ ଶୁଣାଇ ନିଜ ନିଜ ଭିତରେ କୁହାକୁହି ହୋଇ ଫେରିଲେ, ଜାରଜ ପିଲା ଏମିତି ହୁଅନ୍ତି ଲୋ ମା !

ମୋର କଲିଜାରେ ସତେ କି କିଏ ଛୁରି ମାରିଦିଏ । ଆଖି ବୁଜି ଧୈର୍ଯ୍ୟ ଧରି ସହିଯାଏ-। ଯାହାର ପିତା କଳିଙ୍ଗର ସେନାପତି ମହାପ୍ରତାପୀ ସୂର୍ଯ୍ୟପରି ତେଜୋବାନ୍ ବିଜୟ ମଲ୍ଲ, ତାକୁ ସେମାନେ ମଣିଛନ୍ତି ଜାରଜ !

 

ବାବାଜୀ ଆସିଲେ । ତୋତେ କୋଳକୁ ନେଇ ସେ ଖୁସି ହେଲେ । କଲ୍ୟାଣ କଲେ । କହିଲେ, ଜୟନ୍ତି, ବିଜୟ ମଲ୍ଲ ପୁଅକୁ ଏଟା କଣ ଉପହାର ଦେବ ? ସେ ଜଗତ୍‌ରେ ମଣିଷ ହେଉ, ପିତା ମାତାଙ୍କର ନାମ ନେଇ ଲୋକମୁଖରେ ସେ ଜୟନ୍ତ ନାମରେ ପରିଚିତ ହେଉ ।

 

ବାବାଜୀ ତୋର ନାମ ଦେଇଥିଲେ ଜୟନ୍ତ । ତୋ ମୁହଁକୁ ଚାହିଁଲେ ତୋ’ ପିତାଙ୍କର ମୁହଁ ମନେପଡ଼େ । ସତେକି ସେ ଆଗରେ ଠିଆହୋଇ ହାତ ବଢ଼ାଇ ମାଗନ୍ତି, କହନ୍ତି ଦିଅମ ଜୟନ୍ତି, ପୁଅ ମୋ’ର ଅବିକଳ ମୋରି ମୁହଁ, ମୋର ପରି–

 

ବାପ, ତୋରି ମୁହଁ ଦେଖି ତୋର ହସଖେଳ ଦେଖି ଦୀର୍ଘ ଚାରୋଟି ବର୍ଷ କଟାଇ ଦେଲି-। କେତେ ଦୁଃଖ କେତେ କଷ୍ଟ ଆସିଲା, ସତେ କି ମୋର ହୃଦୟ ଭାଙ୍ଗିପକାଇବ, କିନ୍ତୁ ତୋତେ ଛାତିରେ ଧରି ତୋର ଚିବୁକ ଚୁମ୍ବନ କରି, ଦୁଇବୁନ୍ଦା ତତଲା ଲୁହ ଆଖିରୁ ଝରାଇ, ମୁଁ ଧୈର୍ଯ୍ୟ ଧରି ସବୁ ସହିଲି । ମୋର ମନ ଯେତେବେଳେ ଦୁର୍ବଳ ହୋଇଆସେ, ବାବାଜୀ ଅନହୂତି କେଉଁଠୁ ଆସି ମୋତେ ସାନ୍ତ୍ୱନା ଦେଇ, ମୋର ମନର ଶକ୍ତି ବଢ଼ାଇଦେଇ ଯାଆନ୍ତି ।

 

ଦିନେ ପଥର ଚଟାଣ ଉପରେ ତୁ ବସି ଖେଳୁଛୁ, ମୁଁ ତୋ ପାଖରେ ବସି ପତ୍ରର ଗୋଟିଏ ମାଳ ଗୁନ୍ଥୁଛି, ଆଖି ଫେରାଇ ପଛକୁ ଅନାଇଲି । ଦେଖିଲି ଗୋଟିଏ ଅଁଳାଗଛର ପଛଆଡ଼ୁ ବିବ୍ରତ ଏକଚକ୍ଷୁରେ ମୋ ଆଡ଼କୁ ଚାହିଁଛି। ମୁଁ ଦେଖି ନଦେଖିଲା ପରି ମୁହଁପୋତି ପତ୍ର ଗୁନ୍ଥିବାରେ ଲାଗିଗଲି ।

 

ଜୟନ୍ତ ପଚାରିଲା, ବିବ୍ରତ କିଏ ମା ?

 

ସେ ମୋର ପିଲାଦିନର ଜଣେ ସଙ୍ଗୀ । ଯୁଦ୍ଧରେ ପରାସ୍ତ ହୋଇ ଆତ୍ମରକ୍ଷା କରି ଯୁଦ୍ଧ ଭୂଇଁରୁ ପଳାଇଥିଲା । ସନ୍ଧି ହେଲା ପରେ ପୁଣି ଗ୍ରାମକୁ ଫେରିଆସିଲା । ଯେତେବେଳେ ଦେଶସାରା ମୋର ଅପବାଦ ନାଗରା ବାଜିଉଠିଲା, ଆବାଳ-ବୃଦ୍ଧ-ବନିତା ମୋତେ ଘୃଣା କରିବାକୁ ଲାଗିଲେ, ଏକା ସେହି ମୋର ହୋଇ ଲୋକଙ୍କ ବିରୁଦ୍ଧରେ କହିବାକୁ ସାହସ କଲା । ଲୋକେ ତାକୁ ମଧ୍ୟ ନାନାପ୍ରକାର କୁକଥା କହିଲେ, କିନ୍ତୁ ସେ କାହିଁରେ କାନ ଦେଲା ନାହିଁ ।

 

ସେ ମୋ ପାଖକୁ ଆସିବାକୁ ସାହସ କରେ ନାହିଁ । ଲୁଚି ଲୁଚି ମୋର କଥା ଶୁଣିବାକୁ, ମୋତେ ଦେଖିବାକୁ ଭଲପାଏ । ମୋର ନିଘା ପଡ଼ିବାର ଦେଖି ବିବ୍ରତ ଗଛ ଉହାଡ଼ରୁ ଆସି ମୋ ଆଗରେ ଠିଆ ହେଲା । ମୁଁ ଓଢ଼ଣା ଟାଣିଲି, ଓଢ଼ଣା ଭିତରୁ ଚାହିଁଲି, ସେ ମୋରି ମୁହଁକୁ ଚାହିଁରହିଛି-

 

ମୋର ଦୃଷ୍ଟି ପଡ଼ିବାରୁ ସେ କହିଲା, ଜୟନ୍ତି, ଗୋଟିଏ କଥା କହିବାକୁ ମୋତେ ଅନୁମତି ଦେବ ?

 

ମୁଁ ଉତ୍ତର ଦେଲି ନାହିଁ ।

 

ସେ ମୋ ପାଖକୁ ଘୁଞ୍ଚିଆସି କହିଲା, ଚାରିବର୍ଷରୁ ଊର୍ଦ୍ଧ୍ୱ ହେବ କହିବି କହିବି ହୋଇ କହିପାରୁନାହିଁ ।

 

ମୁଁ ପଚାରିଲି, କି କଥା କହିବ ବିବ୍ରତ ?

 

ସେ କହିଲା, ଦୁନିଆଁରେ ମୋର କେହିଁ ନାହିଁ । ମୁଁ ଏକାକୀ । ଟିକିଏ ତୁନି ହୋଇ ଦୀର୍ଘଶ୍ୱାସ ଛାଡ଼ି ପୁଣି କହିଲା, ଜୀବନଟା ମୋର ତମରି ସେବାରେ ଅର୍ଘ୍ୟ ଦେବି ଭାବିଛି ଯଦି ଅନୁମତି ଦିଅ । ଅନେକ ଦିନ ଅପେକ୍ଷା କଲିଣି ଜୟନ୍ତି !

 

ରାଗରେ ମୋର ରକ୍ତ ଗରମ ହୋଇଉଠିଲା । ମୁଁ ଚକ୍ଷୁ ତରାଟି ତାର ମୁହଁକୁ ଚାହିଁଲି । ତାର ଆଖିର ଲୁହ ଓ ତାର ମୁଖର କରୁଣ ଛାୟା ଦେଖି ମୁଁ ମୂକ ହୋଇ ରହିଲି । ତଳକୁ ମୁହଁ ପୋତିଲି ।

 

ସେ ବିନୀତ ହୋଇ ନିମ୍ନ ସ୍ୱରରେ କହିଲା, ରାଗିଲ କି ? ମୁଁ ସବୁବେଳେ ତମର କ୍ଷମାର ପାତ୍ର । ତମର ଟିକିଏ ଉପକାର କରିବାକୁ ମୁଁ ଅକ୍ଳେଶରେ ପ୍ରାଣ ଦେବାକୁ ପ୍ରସ୍ତୁତ । ସେ ମୋର ହାତ ଧରି କହିଲା, ରାଗନା ଜୟନ୍ତି ।

 

ମୁଁ କ୍ରୋଧରେ ହାତଟାକୁ ଟାଣି ଆଣିବାକୁ ଇଚ୍ଛା କଲି, ପାରିଲି ନାହିଁ । ଖାଲି ଏତିକି କହିଲି–ବିବ୍ରତ !

 

କଅଣ ଜୟନ୍ତି !

 

କହିଲି, ତୁମେ ଏବେ ଏଠାରୁ ଚାଲିଯାଅ । ମୋତେ ଚାରିଆଡ଼ ଅନ୍ଧାର ଦିଶୁଛି ।

 

ସେ କହିଲା, ମୋର ଭିକ୍ଷା–

 

ମୁଁ କହିଲି, ମୋତେ ଏକୁଟିଆ ବସି ତମର କଥା ଭାବିବାକୁ ଦିଅ ବିବ୍ରତ ।

 

ସେ ଛୋଟ ପିଲାଟି ପରି ଧୀରେ ଧୀରେ ମୋର ହାତ ଛାଡ଼ି ସେଠାରୁ ଚାଲିଗଲା । ମୁଁ ଆକାଶ ପାତାଳ କେତେ କଣ ଭାବିବାକୁ ଲାଗିଲି । ଠିକ୍ ସେତିକିବେଳେ ବାବାଜୀ ଆସି ସେଠାରେ ଉପସ୍ଥିତ ହେଲେ । ଲଜ୍ଜାରେ ଭୟରେ ମୁଁ ସଙ୍କୁଚିତ ହୋଇପଡ଼ିଲି । କିଛି କହିପାରିଲି ନାହିଁ ।

 

ବାବାଜୀ ତୋତେ କୋଳକୁ ନେଇ କହିଲେ, ଜୟନ୍ତି, ବିଜୟ ମଲ୍ଲ ତୁମର ପାଖେ ପାଖେ ଅଛନ୍ତି, ତଥାପି ତମର ମନରେ ଦୁର୍ବଳତା ପ୍ରବେଶ କଲା କାହିଁକି ? ଜୟନ୍ତ ଯେ ବିଜୟ ମଲ୍ଲଙ୍କର ପ୍ରତିଛବି ।

 

ଲାଜରେ ମୁଁ ମୁହଁ ପୋତିଲି । ବାବାଜୀ ସବୁ ଦେଖିଛନ୍ତି, ସବୁ ଶୁଣିଛନ୍ତି । ସେ କହିଲେ, ମନ ତୁମର ଦୁର୍ବଳ ହୋଇଆସୁଛି, ଏଣିକି ବିଜୟଙ୍କୁ ଛାଡ଼ି ତମର ଏକୁଟିଆ ରହିବା ଉଚିତ ନୁହେଁ । ଲଜ୍ଜାରେ ମୁଖ ଅବନତ କରୁଛ କାହିଁକି ? ସମାଜରେ ରହି, ସଂସାରୀ ହୋଇ ସମୟ କାଟିବାକୁ ସଙ୍କଳ୍ପ କରି, ରକ୍ତମାଂସର ଦେହଧରି ମଣିଷ ପ୍ରଲୋଭନକୁ ଜୟ କରିପାରେ କେତେ ଦିନ ? ମହା ମହା ଯୋଗୀ ମୁନି ତ ଝୁଣ୍ଟିପଡ଼ିଛନ୍ତି, ସାଧାରଣ ମଣିଷ କଥା ପଚାରେ କିଏ ? ତୁମେ ଯେ ଅଦ୍ୟାପି ନିଷ୍କଳଙ୍କ ଭାବରେ ସମୟ କାଟିଛ, ଏହା ତମ ପକ୍ଷରେ ଅବଶ୍ୟ ପ୍ରଶଂସାର କଥା । ପାପ ବର୍ତ୍ତମାନ ସୁଦ୍ଧା ତମର ପବିତ୍ର, ନିଷ୍କଳଙ୍କ ମନରେ ତାର ରାଜ୍ୟ ସ୍ଥାପନ କରିପାରିନାହିଁ । କିନ୍ତୁ, ତମର ମନକୁ ଦୁର୍ବଳ ଦେଖି ସେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ଏଥିରେ ସନ୍ଦେହ ନାହିଁ । ଏହା ତମେ ସହଜରେ ବୁଝିପାରୁଥିବ । ଆରମ୍ଭରୁ ତାର ଗତିରୋଧ କରିବା ବାଞ୍ଛନୀୟ । ନୋହିଲେ, ପରେ ଆଉ ବଳ ପାଇବ ନାହିଁ । ଉପାୟ କଣ ଜାଣ, ଜୟନ୍ତି ?

 

ମୁଁ ଜିଜ୍ଞାସୁ ନେତ୍ରରେ ବାବାଜୀଙ୍କୁ ଚାହିଁଲି ।

 

ବାବାଜୀ କହିଲେ, ଚାହୁଁ ଚାହୁଁ ପ୍ରାୟ ପାଞ୍ଚବର୍ଷ କଟିଗଲା । ବିଜୟ ମଲ୍ଲ ତମର କୌଣସି ଖବର ନେଲେ ନାହିଁ । ଗୋଟାଏ ସ୍ୱପ୍ନପରି ହୁଏତ ସେ ତୁମର ପ୍ରଣୟକୁ ଭୁଲିଯାଇଛନ୍ତି । ପୁରୁଷ ସେ, ସମାଜର ପକ୍ଷରେ ଭୁଲିଯିବା ସମ୍ଭବ ହୋଇପାରେ । ନାରୀ ତୁମେ, ପ୍ରଣୟ ତୁମର ଜୀବନ, ତୁମେ କାହିଁକି ତୁନି ରହିବ ? ସବୁ ମାନ ଅଭିମାନ ଦୂରକୁ ପକାଇ ତାଙ୍କର ପଦତଳେ ଆଶ୍ରୟ ନେବାକୁ ତମେ ଚେଷ୍ଟା କର, ଅବଶ୍ୟ ସୁଫଳ ଫଳିବ ।

 

ମୁଁ କହିଲି, କିପରି ଚେଷ୍ଟା କରିବି ? ବାବାଜୀ, ଆଜି ତମେ ମୋର ଆଖି ଫିଟାଇଛ । ଯେଉଁ ଅନ୍ଧାରଟା କରାଳ ମୂର୍ତ୍ତି ଧରି ମୋର ମନୋବୃତ୍ତିକୁ ଗ୍ରାସ କରିବାକୁ ଘୋଟିଆସୁଥିଲା, ସତ୍ୟର ଆଲୋକ ଦେଇ ତାକୁ ତମେ ଦୂରୀଭୂତ କରିଛ । ତମେ ମୋର ଗୁରୁ । ତାଙ୍କର ପାଦତଳେ ମୁଣ୍ଡ ଲଗାଇଲି । ତୀବ୍ର ଅନୁଶୋଚନାରେ ପ୍ରାଣ ଜଳିଉଠିଲା ।

 

ବାବାଜୀ କହିଲେ, ନାରୀର ଦେବତା, ନାରୀର ଗୁରୁ ତାର ସ୍ୱାମୀ । ତମେ ଯେ ଆଜି କ୍ଷଣିକ ମୋହପାଇଁ ଅନୁତାପ କରୁଛ, ତମର ଅନ୍ତରର ଆବିଳତା ଆଜି ପରିଷ୍କାର ହୋଇଛି ।

 

ମୁଁ ଉତ୍ତେଜିତ ହୋଇ କହିଲି, ଗୁରୁଦେବ ! ମୋତେ ଆଲୋକ ଦିଅ, ମୋତେ ପଥ ଦେଖାଅ, ମୁଁ ନିଜେ ଯାଇ ତାଙ୍କର ଗୋଡ଼ତଳେ ତାଙ୍କର ଶିଶୁ ସନ୍ତାନଟି ରଖି ଶରଣ ପଶିବି । ଆବଶ୍ୟକ ହେଲେ ତାଙ୍କର ପଦଧରି ମୋର ଏହି ଅସ୍ଥିର ଜୀବନ ଉତ୍ସର୍ଗ କରିବି । ବହୁତ ସହିଛି, ବହୁତ ଅପେକ୍ଷା କରିଚି । ତାଙ୍କୁ ଛାଡ଼ି କ୍ଷଣେମାତ୍ର ରହିବାକୁ ମୋର ଆଉ ଇଚ୍ଛା ନାହିଁ । ରହିପାରିବି ନାହିଁ । କହ, ସେ କେଉଁଠି ?

 

ମୋ’ ଆଖିରୁ ଲୁହ ଝରିଲା, କେତେଦିନର ରୁଦ୍ଧ ଅଶ୍ରୁ ସେ !

 

ବାବାଜୀ କହିଲେ, ବିଜୟ ମଲ୍ଲ ତ ପାଖରେ ନାହାନ୍ତି ଜୟନ୍ତି, ସେ ବହୁ ଦୂରରେ । ଭୀଷଣ ବଣ ଜଙ୍ଗଲ ମଧ୍ୟରେ ଯିବାକୁ ହେବ । ତମେ ଯାଇପାରିବ ତ ?

 

ମୁଁ ଅଧୀର ହୋଇ କହିଲି, ଅର୍ଜୁନଭାଇ ଯେତେବେଳେ ସଙ୍ଗରେ ଅଛନ୍ତି, ମୁଁ ନିଶ୍ଚୟ ଯାଇପାରିବି । ମୋ’ର ଡରଭୟ ନାହିଁ ।

 

କେତେଦିନ କେତେରାତି ଚାଲିବାକୁ ପଡ଼ିଲା । କେତେ ଆପଦ ବିପଦରୁ ବାବାଜୀ ଆମୁକୁ ଉଦ୍ଧାର କଲେ । କେଉଁଠି ପଥର ଗୁହା ଭିତରେ, କେଉଁଠି ଗଛମୂଳେ ଆଶ୍ରୟ ନେଇ ରାତି କଟାଇଲୁଁ । ବାଘ ଭାଲୁଙ୍କର ଭୟ ତ ସବୁବେଳେ ଥାଏ । ଟିକିଏ ପତର ଖଡ଼ ଖଡ଼ ହେଲେ ଭୟରେ ତୋତେ ଛାତିରେ ଜାକିଧରେଁ । ତୋର ପିତା ବିଜୟ ମଲ୍ଲଙ୍କର ଚରଣ ଦର୍ଶନ କରିବାର ବ୍ୟାକୁଳତା ମୋ’ର ପଥଶ୍ରାନ୍ତି ଦୂର କରେ ।

 

ଆମର ଆହାର ଥିଲା ଫଳ ମୂଳ । ତୋତେ କେବଳ ମୋର ବକ୍ଷରସ ଦେଇ ବଞ୍ଚାଇରଖିଲି । ଅରଣ୍ୟ ମଧ୍ୟରେ, ପାହାଡ଼ ପର୍ବତ କନ୍ଦରରେ, କେବେ କେବେ ଛୋଟ ଛୋଟ ପଲ୍ଲୀରେ ମଧ୍ୟ ଆଶ୍ରା ନେଇଥିଲୁ । ସେ ସବୁ ପଲ୍ଲୀରେ ବନଚାରୀ ଆଦିମ ଅଧିବାସୀ କନ୍ଧ ବା ଶବରମାନେ ରହନ୍ତି । ବାବାଜୀ ସେମାନଙ୍କର ଭାଷା ଜାଣନ୍ତି । ସେମାନେ ସ୍ନେହୀ, ବିଶ୍ୱାସୀ ଓ ପରୋପକାରୀ । ସେମାନଙ୍କର ମୁଖର ଭାଷା ସିନା ମୁଁ ବୁଝେ ନାହିଁ, ସେମାନଙ୍କର ହସ, ଠାର ଓ ବ୍ୟବହାରହିଁ ମନର ଭାଷା ବୁଝାଇଦିଏ । ଶବର-ଜନନୀମାନେ ତୋତେ କୋଳରେ ଧରନ୍ତି, ସ୍ତନ୍ୟ ପାନ କରାନ୍ତି । ସମସ୍ତଙ୍କର ସ୍ନେହ ଓ ଆଶୀର୍ବାଦ ନେଇ ଆମେ ଆଗେଇ ଚାଲୁ, ପୁଣି ଅରଣ୍ୟ ମଧ୍ୟରେ ପ୍ରବେଶ କରୁଁ ।

 

ବାଟରେ କେତେଦିନ ବିତିଗଲା । ଦିନେ ସନ୍ଧ୍ୟାବେଳେ ଆମେ ଆସି ପୁଣ୍ୟତୋୟା ମହାନଦୀ କୂଳରେ ପହଞ୍ଚିଲୁ । ବାବାଜୀ ନଦୀର ଆର ପାଖକୁ ଅଙ୍ଗୁଳି ନିର୍ଦ୍ଦେଶ କରି ମୋତେ ଦେଖାଇ କହିଲେ, ଜୟନ୍ତି, ନଦୀର ସେ ପାଖରେ ଯେଉଁ ନଭଶ୍ଚୁମ୍ୱୀ ଅଟ୍ଟାଳିକା ଦେଖୁଛ, ସେହି ହେଉଛି ଗଜପତି ମହାରାଜା ପ୍ରତାପ ନରସିଂହ ଦେବଙ୍କର ପ୍ରାସାଦ । ସୁଦୂର ପ୍ରସାରୀ କଳିଙ୍ଗ ରାଜ୍ୟର ରାଜଧାନୀ ବାରାଣସୀ କଟକର ଶୋଭା ନଦୀ ଏ ପାଖରୁ ମନୋରମ ଦେଖାଯାଉଛି ।

 

ବାପ, ସେତେବେଳେ କଟକର ଶୋଭା ଦେଖି ମୁଗ୍‌ଧ ହେବାକୁ ମୋର ଧୈର୍ଯ୍ୟ ନ ଥିଲା । ଗଜପତିଙ୍କ ରାଜଧାନୀ ବାରାଣସୀ, ଏତିକି ଶୁଣିବା ମାତ୍ରେ ଦୁଇଆଖି ସଜଳ ହେଲା । କ୍ଳାନ୍ତ ମନ, କ୍ଳାନ୍ତ ଦେହ ଆହୁରି ଅବଶ ହୋଇଆସିଲା । ବିଜୟ ମଲ୍ଲ, ମୋର ଦେବତା ବିଜୟ ମଲ୍ଲ ଜୀବନର ଧ୍ରୁବତାରା ସତେ କି ଆଗରେ ଆସି ଉଭା ହେଲେ । ଏହି ବାରାଣସୀ ତାଙ୍କର କର୍ମକ୍ଷେତ୍ର-। ବାରାଣସୀ ମୋର ମହାତୀର୍ଥ ଭୂମି ! ଏହିଠାରେ ତାଙ୍କର ଚରଣ ଦର୍ଶନ କରିବି ଏଇ ଆଶାରେ କେତେ କଷ୍ଟ ସହି ମୁଁ ଧାଇଁଆସିଛି । ଅବଶ୍ୟ ଦେଖା ହେବ । ତୋର ଟିକି ମୁହଁଟି ଦେଖି ନିଜକୁ ସେ ଚିହ୍ନିବେ । ଯେଉଁ ରତ୍ନ ମୁଦ୍ରିକା ସେ ମୋ ବାମ ଅଙ୍ଗୁଳିରେ ପିନ୍ଧାଇଦେଇଥିଲେ ସେହି ମୁଦ୍ରିକା ଦେଖିଲେ ଅତୀତ ଜୀବନ୍ତ ହୋଇ ତାଙ୍କ ଆଗରେ ଠିଆହେବ । ସେ ତୋତେ କୋଳକୁ ନେବେ ।

 

ବାବାଜୀ ଆସି କହିଲେ, ଦୂରରୁ ଯେଉଁ ନୌକାଟି ଆସୁଛି, ସେଇଥିରେ ବସି ନଦୀ ପାର୍ ହେବା ।

 

ପଚାରିଲି, ଆମେ ଆଶ୍ରୟ ନେବା କେଉଁଠି ? ଜୟନ୍ତ ମୋର କେତେ ଦୁଃଖ ସହିଲାଣି ।

 

ସେ କହିଲେ, ଆଶ୍ରୟ ନେବାକୁ ଭଗବାନଙ୍କର ବିରାଟ ବିଶ୍ୱରେ ସ୍ଥାନର ଅଭାବ ହେବ ନାହିଁ । ଅରଣ୍ୟ ମଝିରେ, ପର୍ବତ କନ୍ଦିରେ, କନ୍ଧ ଶବରଙ୍କର ପର୍ଣ୍ଣ କୁଟୀରରେ, ବଣ୍ୟଜନ୍ତୁଙ୍କର ଗହ୍ୱର ଭିତରେ ଯେଉଁ ଦୟାମୟ ଆଶ୍ରୟ ଦେଇଛନ୍ତି, ଆଶୀର୍ବାଦର ଘଣ୍ଟଘୋଡ଼ାଇ ଜୀବନ ରକ୍ଷା କରିଛନ୍ତି, ତାଙ୍କରି କରୁଣାରୁ ଅବଶ୍ୟ ଆଶ୍ରା ମିଳିବ । ଗଜପତିଙ୍କର ରାଜଧାନୀରେ ଆଶ୍ରା ମିଳିବ ନାହିଁ, ଏପରି ଆଶଙ୍କା କର ନାହିଁ । ଆସ ଜୟନ୍ତି, ନୌକା କୂଳରେ ଲାଗିଲାଣି । କେତେ ଆଡ଼ର କେତେ ପଝାରି ନଦୀ ପାର୍ ହେବାକୁ ଆଗେଇ ଯାଉଛନ୍ତି । ଆସ ।

 

ତୋତେ ଛାତିରେ ଜାକି ନୌକା ଆଡ଼କୁ ଗଲି ।

 

ଆମକୁ ନେଇ ଗୋଟିଏ ଛୋଟ ଧର୍ମଶାଳାରେ ପହଞ୍ଚିଲେ । ଘରଟି ବାରାଣସୀ ସହରର ବହିର୍ଦେଶରେ ନିର୍ଜନ ସ୍ଥାନରେ । ମହାନଦୀର ଶାଖାନଦୀ କାଠଯୋଡ଼ୀ ଉଗ୍ରବେଗରେ ତାର ସମ୍ମୁଖରେ ପ୍ରବାହିତ । ଧର୍ମଶାଳାର ଚାରିପାଖେ ଘଞ୍ଚ ଅରଣ୍ୟ । ନା, ଅରଣ୍ୟ ନୁହେ ତ, ଉପବନ, ନନ୍ଦନକାନନ, ଅତି ମନୋରମ । ନାନାଜାତିର ଫଳ ପୁଷ୍ପ ବୃକ୍ଷ ଲତା ସେହି କାନନର ରୂପ ବର୍ଦ୍ଧନ କରୁଛନ୍ତି ।

 

ଦିନ ପରେ ଦିନ ଗଡ଼ିଯିବାକୁ ଲାଗିଲା । ଯେଉଁ ଉଦ୍ଦେଶ୍ୟରେ ମୋର କୋଳର ଶିଶୁଟିକୁ ନେଇ ଘରଛାଡ଼ି ଦାଣ୍ଡର ଭିଖାରିଣୀ ହୋଇ ଶେଷକୁ ଧର୍ମଶାଳାରେ ଆଶ୍ରା ନେଲି, ସେ ଉଦ୍ଦେଶ୍ୟ ପୂରଣ ହେଲା ନାହିଁ ତ । ବାବାଜୀ କିଛି କହିଲେ ନାହିଁ । ମୁଁ ନିଜେ ସେ ବିଷୟରେ କେତେ ଭାବେ, ଛଟପଟ ହୋଇ ସମୟ କଟାଏ; କିନ୍ତୁ ବାବାଜୀଙ୍କୁ କିଛି କେବେ ପଚାରିବାକୁ ସାହସ କରେ ନାହିଁ । ନିଜର ଚିନ୍ତାରେ ମୁଁ ପୋଡ଼ିଜଳି ହୋଇ ମରୁଥାଏ । ମନ ବେଶି ଖରାପ ହେଲେ ତୋତେ ସଙ୍ଗରେ ନେଇ ନଈକୂଳକୁ ଯାଇ ବୁଲେ, ମନ ଭୁଲାଇବାକୁ ଚେଷ୍ଟା କରେ ।

 

ଦିନେ ଦିପହରେ ତୋତେ ସଙ୍ଗରେ ନେଇ କାଠଯୋଡ଼ୀ କୂଳରେ ବୁଲୁଛି, କେଉଁଠୁ ବାବାଜୀ ଆସି ପାଖରେ ପହଞ୍ଚିଲେ । ତାଙ୍କୁ ଦେଖି ମୋର ମନରେ କୋହ ଉଠିଲା । ମୁଁ ଧୈର୍ଯ୍ୟଚ୍ୟୁତ ହୋଇ ପଚାରିଲି, କେତେଦିନ ଆଉ ବ୍ୟର୍ଥ ଆଶାରେ ବଞ୍ଚି ରହିପାରିବି ? ଦୂରରେ ଥିଲି, ତାଙ୍କର ସ୍ମୃତିକୁ ମନରେ ଧରି ବେଳ କାଟୁଥିଲି । ପାଖକୁ ଆସି ମଧ୍ୟ ଦେଖା ହେଲା ନାହିଁ ।

 

ତାଙ୍କର ମୁହଁ ମଳିନ ହେଲା । ସେ ନିଶ୍ଚୟ ମୋର ପ୍ରାଣର ବେଦନା ବୁଝିପାରିଲେ । କହିଲେ, ସତି ! ସ୍ୱାମୀ ଯଦି ଅପରାଧୀ ହୁଏ, ସ୍ତ୍ରୀର କର୍ତ୍ତବ୍ୟ କଣ ଜାଣ ?

 

ମୁଁ ଉତ୍ତର ନଦେଉଣୁ ସେ କହିଲେ, ଧୈର୍ଯ୍ୟ ଧରି ସହିବ । ବିଜୟ ମଲ୍ଲ ତମ ନିକଟରେ ଅପରାଧ କରିଛନ୍ତି । ସେ ଅନ୍ୟ ବିବାହ କରିଛନ୍ତି । ସେ ପତ୍ନୀ ଓ ନବଜାତ କନ୍ୟାଟିକୁ ଧରି ସୁଖରେ ସଂସାର କରୁଛନ୍ତି । ସେ ତୁମକୁ ଭୁଲିଯାଇଛନ୍ତି ।

 

ଗଭୀର ଦୁଃଖରେ ମୋତେ ଚାରିଆଡ଼ ଶୂନ୍ୟ ଦେଖାଗଲା । ମୋର ମୁଖରୁ କଥା ବାହାରିଲା ନାହିଁ । ଯାହାଙ୍କୁ ଜୀବନର ସର୍ବସ୍ୱ ଅର୍ପଣ କଲି, ଯାହାଙ୍କ ପାଇଁ ସହସ୍ର ଯାତନା, ଲକ୍ଷ ଅପମାନ ସହି ଅପବାଦର ବୋଝ ଜାଣି ଜାଣି ମୁଣ୍ଡକୁ ଟାଣିନେଇ ଲୋକମୁଖରେ, ସଂସାର ଚକ୍ଷୁରେ କଳଙ୍କିନୀ ହେଲି, ସତକୁ ସତ ସେହି ବିଜୟ ମଲ୍ଲ ମୋ ନିକଟରେ ପ୍ରତାରଣା କରିଚନ୍ତି ! ଯାହାଙ୍କୁ ଦେବତା ମଣି ଯାହାଙ୍କର ସ୍ମୃତିକୁ ଏଡ଼େ ପବିତ୍ର ବୋଲି ଘେନି ଶୟନେ ସ୍ୱପନେ ନାମଟିକୁ ଜୀବନର ଜପାମାଳି କରିଥିଲି, ସେ ମୋତେ ଠକିଛନ୍ତି ! କାନ ସିନା ଶୁଣିଲା ବାପ, ହୃଦୟ ବିଶ୍ୱାସ କରିବାକୁ ଝଗଡ଼ିଉଠିଲା ।

 

ବାବାଜୀ କହିବାକୁ ଲାଗିଲେ, ତୁମକୁ ଦୁଃଖ କରିବାର କାରଣ ନାହିଁ । ପୁରୁଷ ପ୍ରକୃତି ଏହିପରି ଚଞ୍ଚଳ । ନାରୀ ତୁମେ, ବିଜୟ ମଲ୍ଲଙ୍କ ଛଡ଼ା ତମର ଅନ୍ୟଗତି ଆଉ ନାହିଁ । ତାଙ୍କରି ଚରଣତଳେ ତମକୁ ଆଶ୍ରୟ ନେବାକୁ ପଡ଼ିବ ।

 

ମୁଁ ରାଗିଯାଇ କହିଲି, ଆପଣଙ୍କର ଉପଦେଶ ଶୁଣିବାର ଧୈର୍ଯ୍ୟ ଆଉ ମୋର ନାହିଁ । ଆଉ ବିଳମ୍ବ ନକରି ଚାଲନ୍ତୁ ଫେରିଯିବା ।

 

ଫେରିଯିବ ? ଫେରିବ କେଉଁଠିକି ?

 

ଯେଉଁଠାରୁ ଆସିଥିଲି ।

 

ସେଠାରେ ତମର କିଏ ଅଛି ? କେହି ନାହିଁ, କେବଳ ପ୍ରଲୋଭନ ଛଡ଼ା । ଜୟନ୍ତି ! ପ୍ରଲୋଭନ ମଧ୍ୟଦେଇ ନରକକୁ ବାଟ ପଡ଼ିଥାଏ, ଏହା କଣ ତମେ ଜାଣ ନାହିଁ ? ପୁରୁଷ ତ ଶତ ବିବାହ କରିପାରେ । ସେ ସ୍ୱାଧୀନ, ସେ ନିଷ୍କଳଙ୍କ । ବିଜୟ ମଲ୍ଲ ଏକମାତ୍ର ବିବାହ କରିଛନ୍ତି ତମକୁ ଛାଡ଼ି । ଲକ୍ଷ୍ମୀ ସରସ୍ୱତୀଙ୍କ ପରି ତୁମେ ଦୁଇଜଣ କଣ ଗୋଟିଏ ଦେବତାର ସେବା କରିପାରିବ ନାହିଁ ? ସଂସାରରେ ତ ଏପରି ଦୃଷ୍ଟାନ୍ତର ଅଭାବ ନାହିଁ ଜୟନ୍ତି ! ସପତ୍ନୀ ବୋଲି ଯଦି ଜଣେ ନାରୀକୁ ନିଜର କରି ସ୍ୱଗୁଣରେ କିଣିନେବାର ଶକ୍ତି ତମର ନାହିଁ, ସ୍ୱାମୀକୁ ପରିତ୍ୟାଗ କରି ଜଟିଳ ସଂସାରର ଶତ ପ୍ରଲୋଭନ ଭିତରେ ସହସ୍ର ଲୋକଙ୍କୁ ଆପଣାର କରି ଚଳିବ କିପରି ? ଧୈର୍ଯ୍ୟ ଧର । ମଣିଷ ଜାଣି ଜାଣି ହେଉ କି ଅଜାଣତରେ ହେଉ ଥରେ ଯେଉଁ ଭୁଲ କରେ, ତାର ଫଳ ତାକୁ ଭାଗିବାକୁ ପଡ଼େ ଆଜୀବନ । ସତି, ଯୌବନ ପ୍ରାରମ୍ଭରେ ଉତ୍ତେଜନାକୁ ଆୟତ୍ତ କରି ନପାରିଲେ, ଅପରିଚିତର ପଦତଳେ ନିଜକୁ ସମର୍ପିଦେଲେ ଅପବାଦ, ଅପମାନ, ଦୁଃଖ ଓ ଅନୁଶୋଚନା ଜୀବନରେ ଅବଶ୍ୟ ଆସିବ । ପରମପିତା ଭଗବାନଙ୍କ ନିକଟରେ ତୁମେ ଦୁଃଖ ଜଣାଅ । ସ୍ୱାମୀଙ୍କୁ ଅବଶ୍ୟ ଫେରିପାଇବ ।

 

ମୁଁ ମୂକ ପରି ସବୁ ଶୁଣିଲି । ପ୍ରତିବାଦ କରି ପଦେ କହିବାର ସାହସ ମୋର ହେଲା ନାହିଁ । ବାବାଜୀ ତୋର ହାତଧରି ମୋ ପାଖରୁ ଟିକିଏ ଆଗକୁ ଚାଲିଗଲେ । ମୁଁ କାଠଯୋଡ଼ୀର ଜଳକୁ ଚାହିଁ ଅଳପ ହସିଲି । ସେ ଜଳ ଗଭୀର, ନୀଳ ଓ ନିର୍ମଳ । ସେ ଜଳ ଶୀତଳ ଓ ଶାନ୍ତ । ସେଇ ମୋତେ କୋଳରେ ସ୍ଥାନ ଦେଇପାରିବ ତ, ମୋ ଦେହ ଓ ମନର ଜ୍ୱାଳାକୁ ହରଣ କରିପାରିବ ତ । ଭାବିଲି, ଆଉ ଦୁଃଖ କରିବି ନାହିଁ ।

 

ଦୁଇଦିନ କଟିଗଲା । ମୋର ସମୟ କିପରି କଟିଲା ମୁଁ ଜାଣେ ନାହିଁ । ଗୋଟାଏ ନିର୍ଜୀବ ପିତୁଳା ପରି ମୁଁ ଆତଯାତ ହୁଏ । ଶିଶୁଟିର ଜୀବନ ବଞ୍ଚାଇବାକୁ କାମ କରେ । ଅବସର ପାଇଲେ ନଈକୂଳରେ ବସି ତାର ଜଳରେ ପ୍ରତିଫଳିତ ଆକାଶକୁ ଚାହିଁ ବେଳ କାଟେ । ଭାବେ, କାଠଯୋଡ଼ୀର ସ୍ୱଚ୍ଛ ସଲିଳ ମୋତେ ନିମନ୍ତ୍ରଣ କରୁଛି । ତାଆରି କୋଳରେ ଆଶ୍ରା ନେବି । ତଥାପି, ଅପେକ୍ଷା କରେ ।

 

ବାବାଜୀ ଆସି କହିଲେ, ଜୟନ୍ତି, ବିଜୟ ମଲ୍ଲ କିଏ ଜାଣ ?

 

ମୁଁ ଆକୁଳ ଦୃଷ୍ଟିରେ ପଚାରିଲା ପରି ତାଙ୍କର ମୁହଁକୁ ଚାହିଁଲି ।

 

ସେ କହିଲେ, ବିରାଟ କଳିଙ୍ଗ ଭୂଖଣ୍ଡର ମହା କ୍ଷମତାଶାଳୀ ସମ୍ରାଟ୍ ପ୍ରତାପ ନରସିଂହ ଦେବଙ୍କର ସୁବିଖ୍ୟାତ ପ୍ରଧାନ ସେନାପତି । ସମ୍ରାଟଙ୍କର ଏକମାତ୍ର ସନ୍ତାନ ଇନ୍ଦିରା ଦେବୀଙ୍କୁ ସେ ବିବାହ କରିଛନ୍ତି ।

 

ମୋର ଶୂନ୍ୟ ମସ୍ତିଷ୍କ ଭିତରେ ସତେ କି ପ୍ରଳୟର ଚିତା ଜଳିଉଠିଲା । ମୁଁ କ୍ରୋଧରେ ଅନ୍ଧ ହୋଇ ବାବାଜୀଙ୍କୁ କହିଲି, ତମର କି ଅପରାଧ କରିଥିଲି ମୁଁ ଅର୍ଜୁନ ଭାଇ, ଜାଣି ଜାଣି ତୁମେ ମୋତେ କାହିଁକି ଯନ୍ତ୍ରଣାର ମଝିକୁ ଟାଣିଆଣିଲ ? ମୋତେ ହାସ୍ୟାସ୍ପଦ କରିବାର ଅଧିକାର ତମର ନାହିଁ । ବୃଥା ଆଶା ଦେଇ ମୋତେ ମୋ ଘରୁ ଆଣି ଅପନ୍ତରାରେ ଛାଡ଼ିଛ । ତା ପରିବର୍ତ୍ତେ ଆତ୍ମହତ୍ୟା କରିବାକୁ ଉପଦେଶ ଦେଲ ନାହିଁ କାହିଁକି ?

 

ସେ ହସିଲେ, ମୋର ମନେହେଲା ତାଙ୍କର ସେଇ ହସରେ ତୀକ୍ଷ୍ଣ ଛୁରିକା ଲୁଚିରହିଥିଲା-। ମୋ ଛଟପଟ ମନରେ ବାରମ୍ବାର ଆଘାତ କଲା । ଭାବିଲି ସେ ଉପହାସ କରୁଛନ୍ତି-। ପ୍ରତିଶୋଧ ନେବାକୁ ମୋତେ ପଥଶ୍ରାନ୍ତ କରାଇ ଏତେ ଦୂରକୁ ନେଇଆସିଛନ୍ତି । ସୂଚାଇଦେଉଛନ୍ତି ଯେ, ମୁଁ ଭୁଲ କରିଛି । ଅର୍ଜୁନ ଭାଇର ମନଗହନର ଛପିଲା ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଅପରିଚିତକୁ ବରଣ କରିଛି । ସେଇଥି ପାଇଁ ସେ ଆଜି ସନ୍ନ୍ୟାସୀ । ତାଙ୍କର ଦୟା, ଉଦାରତା ଓ ସହାନୁଭୂତି କେବଳ ବିଦ୍ରୂପର ରୂପାନ୍ତର ।

 

ମୁଁ କହିଲି, ବିଜୟ ମଲ୍ଲ ରାଜାର ଜାମାତା । ବିଜୟ ମଲ୍ଲ ଦେଶର ସେନାପତି । ସ୍ୱପ୍ନପରି ଗଡ଼ ବିଜୟ ସଙ୍ଗେ ସଙ୍ଗେ ନିଶ୍ଚୟ ମୋତେ ସେ ପାଶୋରି ପକାଇଛନ୍ତି । ଏହିପରି କେତେ ବିଜୟ ସେ କରିଥିବେ । କେତେ ଜୟନ୍ତୀର ସର୍ବନାଶ କରି ଦିନକ ପରେ ସେ ଭୁଲିଯାଇଥିବ । ପୁରୁଷ ସେ, ସ୍ୱାଧୀନ ଓ ନିଷ୍କଳଙ୍କ । ମୋର କର୍ତ୍ତବ୍ୟ କାଠଯୋଡ଼ୀର ଗଭୀର ଶୀତଳ ବକ୍ଷରେ ଆଶ୍ରୟ ନେବା । ମୁଁ କାହିଁକି ରାଜଦୁହିତାର ପ୍ରତିଦ୍ୱନ୍ଦିନୀ ହୋଇ ଦେଶର ସେନାପତି ରାଜାର ଜାମାତାର ଚରଣ ତଳେ ଆଶ୍ରୟ ଲୋଡ଼ିବି ? ସେ ଅଧିକାର, ସେ ଉଚ୍ଚାଶା ମୋର ନାହିଁ । ଚାଲ ଅର୍ଜୁନ ଭାଇ, ଫେରିଚାଲ ।

 

ମୁଁ କାନ୍ଦି ପକାଇଲି । ମୋର କାନ୍ଦ ଦେଖି ତୁ ମଧ୍ୟ ନିରୋଳା ନଦୀ କୂଳଟିକୁ ମୁଖରିତ କଲୁ ତୋର କାନ୍ଦଣା ସ୍ୱରରେ ।

 

ତୋତେ କୋଳରେ ନେଇ ବାବାଜୀ କହିଲେ, କାନ୍ଦନା ଜୟନ୍ତି, ହତାଶ ହୁଅନା ସତୀର ଦୁଃଖ ଭଗବାନ ସହି ପାରନ୍ତି ନାହିଁ । ଜାଣ, ବିଜୟ ମଲ୍ଲ ପ୍ରଥମେ ବିବାହ କରିଚନ୍ତି ତୁମକୁ, ପରେ ବାଧ୍ୟ ହୋଇ ସେ ରାଜକନ୍ୟାଙ୍କୁ ବିବାହ କଲେ । ଏହି ଲଜ୍ଜାରେ ଓ ଏହି ଅପରାଧ ପାଇଁ ସେ ତୁମକୁ ଦେଖିବାକୁ ଓ ଆଣିବାକୁ ଯାଇପାରି ନାହାନ୍ତି । ସେ ଆଗ ତୁମର । ଇନ୍ଦିରା ତୁମରି ସ୍ୱାମୀକୁ, ଜୟନ୍ତର ପିତାକୁ ବିବାହ କରିଛନ୍ତି । ତମର ସ୍ୱାମୀ ରାଜାର ଜାମାତା, ଦେଶର ସେନାପତି, ଏହା କଅଣ ତମ ପକ୍ଷରେ ଗୌରବର ବିଷୟ ନୁହେଁ ?

 

ଭାବିଲି, ଅର୍ଜୁନଭାଇ ପୁଣି ଉପହାସ କରୁଛନ୍ତି । ମୋ ମନର ଜଳିଲା ଅନଳରେ ଘୃତାହୂତି ଦେଉଛନ୍ତି । ପ୍ରତିବାଦ କରିବାକୁ ମୋର ସାହସ ନଥିଲା । ମୁଁ ତଳକୁ ମୁହଁ ପୋତି କହିଲି, ସେ ମୋତେ ପାଶୋରି ପକାଇଛନ୍ତି । ମୋତେ ଗ୍ରହଣ କରିବେ କାହିଁକି ? ମୁଁ କେଉଁ ଭରସାରେ ତାଙ୍କ ସଙ୍ଗେ ଦେଖା କରିବାକୁ ଯିବି ?

 

ବାବାଜୀ ମୋ କଥାର ଉତ୍ତର ନଦେଇ ପଚାରିଲେ, ଯଦି ସେ ତୁମକୁ ନ ଚିହ୍ନନ୍ତି ଓ ଗ୍ରହଣ ନ କରନ୍ତି, ତେମେ କଣ କରିବ ବିଚାରିଛ ?

 

କହିଲି, ମୁଁ ଜାଣେ ନାହିଁ । ସେତେବେଳେ ଯାହା ବୁଦ୍ଧି ଦିଶିବ କରିବି ।

 

ପଚାରିଲେ, ମହାରାଜା ନରସିଂହ ଦେବଙ୍କ ଛାମୁରେ ଅଭିଯୋଗ କରିବ ?

 

କାରିବି ନାହିଁ ସନ୍ନ୍ୟାସୀ ।

 

କାହିଁକି ? ତମ ପ୍ରତି ବିଜୟ ମଲ୍ଲ ଅନ୍ୟାୟ ଓ ଅବିଚାର କରିଛନ୍ତି । ତାହାର ବିରୁଦ୍ଧରେ ଅଭିଯୋଗ କରିବାର ଅଧିକାର ତମର ଅଛି ।

 

କହିଲି, ସ୍ୱାମୀର ବିରୁଦ୍ଧରେ ଅଭିଯୋଗ, ରାଜଦରବାରରେ ? ଅସମ୍ଭବ କଥା କହୁଛ । ସେ ନଚିହ୍ନନ୍ତୁ ପଛେ, ମୋତେ ଗ୍ରହଣ ନକରନ୍ତୁ, ସେ ମୋର ଦେବତା । ମୋର ଜୟନ୍ତର ଜନକ । ତାଙ୍କ ବିରୁଦ୍ଧରେ ରାଜା ଛାମୁରେ ତ ସାମାନ୍ୟ କଥା, ଭଗବାନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିପାରିବି ନାହିଁ । ତାଙ୍କର ଅକଲ୍ୟାଣ ହେବ । ମନରେ ଦୁଃଖ ହେବ କି ଅନୁଶୋଚନା ଆସିବ, ଏ ଭାବନା ମୁଁ ମନକୁ ଆଣିପାରିବି ନାହିଁ । ଯେଉଁ ଅଙ୍ଗୁରୀୟ ମୋତେ ଉପହାର ଦେଇଥିଲେ, ଅତି ଯତ୍ନରେ ତାକୁ ମୁଁ ସାଇତି ରଖିଛି । ତାକୁ ଦେଖିଲେ ସେ ଚିହ୍ନିବେ ନାହିଁ କି ?

 

ତଥାପି ଯଦି ନ ଚିହ୍ନନ୍ତି ରାଜକନ୍ୟା ଇନ୍ଦିରାଙ୍କ ଆଗରେ ଅଭିଯୋଗ କରିବି, ନା, ଅନୁଯୋଗ କରିବି । କହିବି ତମର ସ୍ୱାମୀଙ୍କର ଏହି ଶିଶୁ ପୁତ୍ରଟିକୁ ଚରଣରେ ଆଶ୍ରୟ ଦିଅ ଦେବୀ, ଏତିକି ମୋର ମାଗୁଣି । ନାରୀ ସେ, ମୋ ଅନ୍ତରର କଥା ନିଶ୍ଚୟ ବୁଝିବେ । ବିଜୟ ମଲ୍ଲଙ୍କର ପୁତ୍ର ଏଇ ଶିଶୁଟି ସିଂହର ସନ୍ତାନ । ତୁମରି ପୁତ୍ର ସେ ।

 

ତୁମେ କାହିଁକି ତାଙ୍କ ନିକଟରେ ଆଶ୍ରୟ ନ ଲୋଡ଼ିବ ?

 

କ୍ଷମା କରନ୍ତୁ ସନ୍ନ୍ୟାସୀ, ସେତିକି ମୁଁ ପାରିବି ନାହିଁ । ମୋର ସ୍ୱାମୀର ଦ୍ୱିତୀୟ ପତ୍ନୀର ଅନୁଗତା ହୋଇ, ତାର ଦୟାଧୀନା ହୋଇ ରହିବାକୁ ମୋର ମନର ବଳ ନାହିଁ । ଦରିଦ୍ରର କନ୍ୟା ମୁଁ ହୋଇପାରେ; ତଥାପି ସପତ୍ନୀର ସେବିକା ମୁଁ ହୋଇପାରିବି ନାହିଁ ।

 

ତେବେ, ତୁମର ଏହି ସୁଦୀର୍ଘ ଜୀବନ କଟାଇବ କିପରି ?

 

ଯେଉଁ ପରମେଶ୍ୱରଙ୍କର ଆଶ୍ରା ନେଇ ମୋର ଅର୍ଜୁନଭାଇ ତାଙ୍କର ସୁଦୀର୍ଘ ଜୀବନ ବିତାଇବେ ବୋଲି ସାହସ କରି ବ୍ରହ୍ମଚାରୀ ହୋଇଛନ୍ତି, ମୁଁ ତାଙ୍କରି ଆଦର୍ଶ ଅନୁସରଣ କରିବି । ମୋର ସ୍ୱାମୀ ପୁତ୍ରଙ୍କର ମଙ୍ଗଳ କାମନାରେ ପରମପିତା ପରମେଶ୍ୱରଙ୍କର ସେବା କରି ଆଜୀବନ ବ୍ରହ୍ମଚାରିଣୀ ହୋଇ ରହିବି ।

 

ବାପରେ, ସାମାନ୍ୟ ଉତ୍ତେଜିତ ହୋଇ କହିଦେଲି ସିନା, ମୋର ଆଖିରୁ ଅଶ୍ରୁଧାର ବହିଆସିଲା । ଲୋତକର ବାଦଲ ଭେଦି ଦୃଷ୍ଟି ସଂଚରିଗଲା କାଠଯୋଡ଼ୀ ନଦୀର ବକ୍ଷକୁ । କଅଁଳା ସୂର୍ଯ୍ୟର ନରମ ଆଲୋକରେ ସୁନୀଳ ସଲିଳ ଉଜ୍ଜ୍ୱଳ ଦିଶୁଛି । କଳ କଳ ଛଳ ଛଳ ହୋଇ ସତେ କି ମତେ ଆହ୍ୱାନ କରୁଛି । ଚାଲିଆ ମୋର କୋଳକୁ ଆଲୋ ହତଭାଗିନି ! ଏଇ ମୋର କୋମଳ ଶୀତଳ ଉଦାର କୋଳରେ ତୋ ପରିକା କେତେ ଦୁଃଖିନୀ କାମିନୀ ଦୁନିଆର ନିର୍ଯାତନା ସହି ନପାରି ଆତ୍ମଗୋପନ କରିଛନ୍ତି । ଆ, ଚାଲିଆ ।

 

ମୋ ମନକଥା ଅର୍ଜୁନଭାଇ ବୁଝିଲେ ନାହିଁ । ତୁଣ୍ଡର କଥା ଶୁଣି ତାଙ୍କର ଚକ୍ଷୁ ଉଜ୍ଜ୍ୱଳ ଦିଶିଲା । ସେ ହସି ହସି କହିଲେ, ଶୁଣ ଜୟନ୍ତି, ବିଜୟ ମଲ୍ଲ କାଲି ଏଠାକୁ ଆସିବାକୁ କହିଛନ୍ତି । ବୋଧହୁଏ ସେ ଆସିବେ ।

 

ମୁଁ ଅଧୀର ହୋଇ ପଚାରିଲି, ବିଜୟ ମଲ୍ଲ ଆସିବେ ? ମୋତେ ସେ ଭୁଲିନାହାନ୍ତି ତେବେ ? ବାବାଜୀ, ସତ କୁହ । ମୋର କଣ୍ଠ ରୁଦ୍ଧ ହୋଇଆସିଲା । ଆନନ୍ଦ ଓ ଉତ୍‌କଣ୍ଠାରେ ଦେହ ଥରିଉଠିଲା ।

 

ବାବାଜୀ କହିଲେ, ତୁମେ କିଏ ସେ ଜାଣନ୍ତି ନାହିଁ । ମୁଁ ସେ ବିଷୟ ତାଙ୍କୁ କହିନାହିଁ । ସେ ଦୟାର ଅବତାର । ମୋର ଅନୁରୋଧ ରକ୍ଷା କରି ସେ ଅବଶ୍ୟ ଏଠାକୁ ଆସିବେ ।

 

ଉଦ୍‌ବିଗ୍ନ ହୋଇ ପଚାରିଲି, କଣ କହି ତାଙ୍କୁ ଏଠାକୁ ଆଣୁଛ ବାବାଜୀ ?

 

ବାବାଜୀ କହିଲେ, ଗୋଟିଏ ନିରାଶ୍ରୟା ବାଳିକା ଓ ତାର ସନ୍ତାନକୁ ଘରେ ଆଶ୍ରୟ ଦେବାକୁ ଭିକ୍ଷା କଲି । ସେ ପ୍ରତିଶ୍ରୁତି ଦେଇଛନ୍ତି ନିଜେ ଆସିବେ ।

 

ଏତିକି କହି ବାବାଜୀ ମୋ ପାଖରୁ ଚାଲିଗଲେ । ମୁଁ ତୋତେ କୋଳକୁ ଆଣି ତୋର ମୁଖ ଚୁମ୍ବନ କଲି । ଭାବିଲି, ମୋର ପୁତ୍ର ତାର ପିତାର ମୁହଁ ଦେଖିବ । ମୋର ଆନନ୍ଦର ଆଉ ସୀମା ରହିଲା ନାହିଁ ।

 

ସେହି ମୁହୂର୍ତ୍ତରୁ ମୋର ମନରେ କେତେ ଚିନ୍ତାର ସ୍ରୋତ ଛୁଟିଲା । ସ୍ୱାମୀ ମୋର ଆସିବେ, ଦୀର୍ଘ ପାଞ୍ଚବର୍ଷ ତପସ୍ୟା ପରେ ତାଙ୍କର ଚରଣ ଦର୍ଶନ କରିବି । ମୋ’ଠାରୁ ବଳି ଭାଗ୍ୟବତୀ ଆଉ କିଏ ଅଛି ? ଗୋଟିଏ ନିରାଶ୍ରୟା ବାଳିକା ଓ ତାର ସନ୍ତାନକୁ ଘରେ ଆଶ୍ରୟ ଦେବାକୁ ଯିଏ ଦୟାରେ ବିଗଳିତ ହୋଇ ନିଜେ ଆସି ନେଇଯିବାକୁ ବାକ୍ୟ ଦେଇଚନ୍ତି, ସେ କଣ ତାଙ୍କ ସ୍ତ୍ରୀ ପୁତ୍ରକୁ ଜାଣୁ ଜାଣୁ ବାଟରେ ଛାଡ଼ି ଚାଲିଯିବେ ? ଚାଲିଯିବାକୁ ଛାଡ଼ିଦେବି କାହିଁକି? ତାଙ୍କର ଚରଣ ତଳେ ତାଙ୍କର ଶିଶୁ ପୁତ୍ରଟିକୁ ଅର୍ପଣ କରି ମୁଁ ସବୁ ଦୁଃଖ ବର୍ଣ୍ଣନା କରିବି । ଲୋତକ ଧାରରେ ପଦ ପଖାଳିଦେବି । ସେ କଣ ଗୋଡ଼ରେ ଆଡ଼େଇଦେବେ ?

 

ରାତି ପାହିଲା । ସବୁଦିନ ପରି ସେଦିନ ମଧ୍ୟ ବିଶ୍ୱ କୋଳାହଳମୟ ହୋଇଉଠିଲା । ବଣମଲ୍ଲୀର ଫୁଲଗୁଡ଼ିକ ହସି ହସିକା ଶୁଭ ସକାଳକୁ ଅଭିନନ୍ଦନ ଜଣାଇଁଲେ । ଶୀତଳ ମୃଦୁ ସମୀରଣ ବୃକ୍ଷଲତାର ଅଙ୍ଗ ଦୋହଲାଇ ନୂତନ ଦିବସର ଶୁଭାଗମନୀ ଜଣାଇଲେ । ବିହଗର କାକଳି ଓ କାଠଯୋଡ଼ୀର କୁଳୁଧ୍ୱନିରେ ଧର୍ମଶାଳା ମୁଖରିତ ହୋଇଉଠିଲା । ସବୁ ପୁରାତନ, ସବୁ ନୂତନ ଓ ଚିରନ୍ତନ !

 

ବାପ, ମୋର ଆଖିକି ସବୁ ନୂଆ ଦିଶିଲା । ଉଜ୍ଜ୍ୱଳ ଦିବାଲୋକରେ ମୁଁ ଯେପରି ବିଷାଦର ମଳିନତା ଦେଖିଲି । ବିଶ୍ୱର ଶୁଭ କୋଳାହଳରେ ଶୁଣିଲି ଗଭୀର ବ୍ୟଥାର ରାଗିଣୀ । କୁସୁମର ପବିତ୍ର ହସରେ ଉପଲବ୍‌ଧି କଲି ଉପହାସର ଛଳନା । ବିହଗର କୋମଳ କୂଜନ ମୋର କର୍ଣ୍ଣକୁ ତିକ୍ତ ଲାଗିଲା । ଅନ୍ତର ଅଜଣା ବ୍ୟଥାରେ ଭାବଗ୍ରସ୍ତ ହେଲା । ମୁଁ ଆକୁଳ ଦୃଷ୍ଟିରେ ଶିଶିରସିକ୍ତ ପ୍ରକୃତିକୁ ଚାହିଁଲି । ଆଖିକୋଣ ମୋର ସିକ୍ତ ହୋଇଆସିଲା ।

 

ଦି ପହରେ ସେହି ଧର୍ମଶାଳାର ଗୋଟିଏ କୋଠରୀରେ କାନିପାରି ଆଖିବୁଜି ଶୋଇଛି-। ନିଦ ହୋଇନାହିଁ । ବାହାରେ ପତ୍ରଟିଏ ଖଡ଼ ଖଡ଼ ହେଲେ ଆଖି ମେଲି ଚାହୁଁଛି, ସେ ଆସିଲେ କି-? ଅଧୀର ହୋଇ ପଦାକୁ ଉଠିଯାଇ ଦେଖେ, କେହି ନାହିଁ । ପୁଣି ଫେରିଆସି ଆଖି ବୁଜି ଶୋଇବାକୁ ଚେଷ୍ଟା କରେ । ତୋର ନିଦ୍ରିତ କପାଳରେ ହାତମାରି ତୋତେ ବାରମ୍ବାର ଗେଲ କରୁଥାଏ । ଗତ ରାତ୍ରିର ଅନିଦ୍ରା ହେତୁ କେତେବେଳେ ମୋତେ ନିଦ ହୋଇଗଲା, ମୁଁ ଜାଣେ ନାହିଁ-

 

ବାପ, ଯେତେବେଳେ ମୋର ନିଦ ଭାଙ୍ଗିଲା, ଦେଖିଲି ତୁ ମୋର ପିଠିକୁ ଆଉଜି ବସିଛୁ-। ତୋ ମୁହଁଟି ଶୁଖିଯାଇଛି । ଆଖିରେ ଲୁହ ଢଳଢଳ ହେଉଛି । ତୋତେ କୋଳକୁ ନେଇ ହାତ ପାପୁଲିରେ ତୋର ଆଖି ପୋଛି ପଚାରିଲି, କାନ୍ଦୁଛୁ କାହିଁକି ଧନ, ଭୋକ କଲାଣି କି ?

 

ତୁ ମୋର ବେକରେ ଓହଳିପଡ଼ି କହିଲୁ, ବୋଉ, ବାପା ଆସିଥିଲା ପରା !

 

ମୁଁ ଚମକି ଉଠିଲି । ତୋତେ ପଚାରିଲି, କିଏ ଆସିଥିଲା ?

 

ତୁ ଓଠ ଥରାଇ କହିଲୁ, ସେ ଯେଉଁ ବାପା ଆସିବେ ବୋଲି ବାବାଜୀ କହୁଥିଲେ, ସେହି ପରା ଘୋଡ଼ା ଚଢ଼ି ଆସିଥିଲେ ଲୋ । ମୁଁ ଏଇ ବାଟରେ ଖେଳୁଥିଲି ।

 

ତୋ ମୁହଁରେ ଏଇ ବାପ କଥାଟି ଶୁଣି ମୋର ପେଟ ପୂରିଗଲା । ତୋତେ ଗେଲ କରି ପଚାରିଲି, ସେ କାହାନ୍ତି ରେ, କୁଆଡ଼େ ଗଲେ ।

 

ତୁ ପୁଣି ଗୁଲୁ ଗୁଲୁ କରି କହିଲୁ, ସେଇ ଗଛରେ ଘୋଡ଼ା ବାନ୍ଧି ସେ ତଳେ ବସିଲେ । ମତେ କେତେ କଥା ପଚାରିଲେ, ପୁଣି ଘୋଡ଼ା ଚଢ଼ି ଚାଲିଗଲେ ।

 

ମୋତେ ଉଠାଇଲୁ ନାହିଁ ବାପ ?

 

ଉଠାଇଲି ପରା, ସେ ଦୁଆର ମୁହଁରେ ଠିଆ ହୋଇଥାନ୍ତି । ତତେ କେତେ ଡାକିଲି ତ, ତୁ ଉଁ ଉଁ କଲୁ, ଉଠିଲୁ ନାହିଁ ତ, ସେ ଫେରିଗଲେ ।

 

ମତେ ସେ ଦେଖିଛନ୍ତି, ହଇରେ ?

 

କେଜାଣି ସେ ତ ଏଇଠି ଠିଆ ହେଲେ । ତୁ ଦ୍ୱାରବନ୍ଧ ପାଖକୁ ଯାଇ ତାଙ୍କର ଠିଆ ହୋଇଥିବା ସ୍ଥାନଟି ଦେଖାଇ ଦେଇ କହିଲୁ, ଏଇଠି ପରା ।

 

ମୁଁ ଲଜ୍ଜିତ ହେଲି, ସେ କଣ ଆଉ ଚିହ୍ନିପାରିଛନ୍ତି !

 

ମୁଁ ପଚାରିଲି, କେତେବେଳେ ସେ ଫେରିଲେ ?

 

ତୁ କହିଲୁ, କେତେବେଳୁ ମ, ଖରା ଥିଲା ତ !

 

ସନ୍ଧ୍ୟା ହୋଇଆସିଥିଲା । ତୋତେ କାଖ କରି ପଦାକୁ ନେଇ ଆକୁଳ ଦୃଷ୍ଟିରେ ରାଜପଥକୁ ଚାହିଁଲି । ଭାବିଲି ଏଇ ବାଟରେ ସେ ଯାଇଛନ୍ତି । ଫେରିଆସିବେ କି ? ଚାହିଁ ଚାହିଁ ଆଖିରୁ ପାଣି ମଲା, କେହି ଫରିଲେ ନାହିଁ । ସନ୍ଧ୍ୟା ହେଲା, ଏକାଦଶୀର ଉଜ୍ଜ୍ୱଳ ଜହ୍ନଟି ପୂର୍ବଦିଗର ଗଛଗହଳି ଭିତରୁ ଉଠିଆସୁଥାଏ । ତୋତେ ସଙ୍ଗରେ ନେଇ ନଈକୂଳକୁ ଗଲି ।

 

ଶୀତଳ ବାୟୁ ଲାଗି ମୋର ଚଞ୍ଚଳ ମନ ଟିକିଏ ଶାନ୍ତ ହେଲା । ତୋତେ ଏଣୁ ତେଣୁ କେତେ କଥା କହି ଭୁଲାଇ ପଚାରିଲି, ତୋତେ ସେ କଣ କହିଲେ ଧନ ?

 

ତୁ ଖୁସି ହୋଇ କହିଲୁ, ସେ ପଚାରିଲେ, ବାବାଜୀ କାହାନ୍ତି ? ମୁଁ କହିଲି, ସେ ନାହାନ୍ତି, ବୋଉ ଅଛି । ସେ ମୋ ମୁହଁକୁ ଘଡ଼ିଏ ଚାହିଁଲେ, ମୁଁ ତାଙ୍କୁ ପଚାରିଲି ତେମେ କଣ ମୋ ବାପା ?

 

ତୁ କାହିଁକି ପଚାରିଲୁ ?

 

କାହିଁକି, ବାବାଜୀ ତ ତତେ କହୁଥିଲେ, ମୋ ବାପା ଆସିବେ । ସେ କଣ ମୋ ବାପା ନୁହେଁ ?

 

ହଁରେ, ହଁ, ସେଇ ତୋର ବାପା । ସେ କଣ କହିଲେ ରେ ?

 

କିଛି ନାଇଁ, ମୋ ହାତକୁ ଧରି ପୁଣି ମୋ ମୁହଁକୁ ଚାହିଁଲେ ।

 

ତୁ ଡରିଲୁ ନାହିଁ ?

 

କାହିଁକି ? ବାପାମାନଙ୍କୁ କଣ ଡରନ୍ତି ?

 

ନା, ନା, ଡରନ୍ତି ନାହିଁ, ସେଇଠୁ ?

 

ସେ ମୋ ହାତ ଛାଡ଼ିଲେ । ମୁଁ ଧାଇଁ ପଳେଇଆସିଲି, ତତେ ଉଠେଇଲି, ଉଠିଲୁ ନାହିଁ । ସେ ଠିଆହେଲେ । ମତେ କିଛି କହିଲେ ନାହିଁ । ଘୋଡ଼ା ଚଢ଼ି ଫେରିଗଲେ ।

 

ଆନନ୍ଦରେ ତୋତେ ଆଲିଙ୍ଗନ କଲି । ମୋର ଆଖି ଖୋଲିଗଲା, ଚାରି ପାଞ୍ଚ ବର୍ଷର ଶିଶୁଟି ତୁ, ତୋର ଯେ ସବୁକଥା ବୁଝିବାର ଶକ୍ତି ହେଲାଣି ଏହା ଜାଣପରି ମୋତେ ଖୁସି ଲାଗିଲା । ଭଗବାନକୁ ଡାକିଲି, ତୋତେ ସେ ଆଇଷ ନିହତ ଦିଅନ୍ତୁ ।

 

ମୋର ଚିରସ୍ମରଣୀୟ ରାତି ।

 

ଆଶା ଦୁରାଶା, ସୁଖ ଦୁଃଖ ଉତ୍ତେଜନାରେ ପୂର୍ଣ୍ଣ । କେବଳ ମୋର ଜୀବନ କାହିଁକି, ତୋର ଜୀବନ ଉପରେ ସେହି ରାତିଟିର ପ୍ରଭାବ ଅଳ୍ପ ନୁହେଁ । ଗୋଟାଏ ସାଧାରଣ ଉତ୍ତେଜନା ଫଳରେ ଆଜି ମୁଁ ତପସ୍ୱିନୀ ହୋଇ ତାଙ୍କର ସ୍ମୃତିଟିକୁ ପୂଜା କରିବାକୁ ବଞ୍ଚିରହିଛି । ତୋତେ ମଧ୍ୟ ଅନାଥ କରି ତୋର ପ୍ରାକୃତିକ ବୃଦ୍ଧି ବୃତ୍ତି ବିକାଶର ଅନ୍ତରାୟ ହୋଇଛି । ଯଦି ସେହି କ୍ଷଣିକ ଉତ୍ତେଜନାକୁ ଦମନ କରି ସେହି ପାନ୍ଥଶାଳାରେ ଆଉ ଦିଓଟି ପ୍ରହର ଅପକ୍ଷା କରି ରହିପାରିଥାନ୍ତି, ତେବେ ଗ୍ରାମବାସୀ ତୋତେ ଜାରଜ କହି ଉପହାସ କରିବାକୁ ଭରସା କରି ନଥାନ୍ତେ ।

 

ବାପ, ସେହି ନଦୀକୂଳରେ ବସି କେତେ କଣ ଭାବିଲି, ସେ ତୋତେ ଦେଖି ତୋର କଥା ଶୁଣି ଏପରି ନିବିଷ୍ଟ ଭାବରେ ଚାହିଁରହିଲେ କାହିଁକି ? ତୋ ମୁଖ, ତୋ ଅବୟବ ଚାହିଁ, ତୋରିଠାରେ ତାଙ୍କ ରୂପର ଛଟା ଦେଖି ମୁଁ ଯେପରି ତୋତେ ଚାହିଁରହେଁ, ଅନ୍ତର ଭିତରେ ଅସୀମ ତୃପ୍ତିର ଆନନ୍ଦ ଅନୁଭବ କରେଁ, ସେ କଣ ଆଉ ସେହିପରି ତୋରି ରୂପ ଭିତରେ ମୋର କିଛି ଲକ୍ଷ୍ୟ କରୁଥିଲେ ? ମୋର ନିଦ୍ରିତ ମୁଖ ଦେଖି ମନର ଦ୍ୱନ୍ଦ୍ୱ ଭାଙ୍ଗିବାକୁ ସେ କଣ ଦ୍ୱାରବନ୍ଧ ପାଖରେ ଠିଆହୋଇ ମୋତେ ଚାହିଁଥିଲେ ! ସେ ତେବେ ଜାଣିଛନ୍ତି, ଜାଣି ମଧ୍ୟ ଅପେକ୍ଷା ନକରି ତାଙ୍କରି ପରିଣିତା ପତ୍ନୀକୁ ଉପେକ୍ଷା କରି ଚାଲିଯାଇଛନ୍ତି । ଅବିଶ୍ୱାସ, ପ୍ରତାରଣା ? କିଛି ସ୍ଥିର କରିପାରିଲି ନାହିଁ । ଦୁଃଖରେ, କ୍ଷୋଭରେ, ଅଭିମାନରେ ମୋର ମନ ତିକ୍ତ ହୋଇଉଠିଲା । ସୁନିର୍ମଳ ଚନ୍ଦ୍ରିକାସ୍ନାତ ପ୍ରକୃତିର ସୌନ୍ଦର୍ଯ୍ୟ, ମୃଦୁ ସାନ୍ଧ୍ୟ ସମୀରର କୋମଳ ଶୀତଳ ସ୍ପର୍ଶ, ଦୂର ଅବଗୁଣ୍ଠନବତୀ ଶ୍ୟାମ ବନାନୀର ଶୁଭ ଆହ୍ୱାନ ସବୁ ମୋତେ ବିଷପରି ଲାଗିଲା । ମୁଁ ତୋତେ ସଙ୍ଗରେ ନେଇ ପାନ୍ଥଶାଳାକୁ ଫେରିଲି ।

 

ପାନ୍ଥଶାଳା ନିକଟକୁ ଆସି ଦେଖିଲି, କିଏ ଜଣେ ଘର ଆଗରେ ଧୀରେ ଧୀରେ ଟହଲୁଚନ୍ତି । ମନେକରିଥିଲି ବାବାଜୀ, ଟିକିଏ ପାଖକୁ ଆସି ଦେଖିଲି ସେ ନୁହନ୍ତି, ନିଶ୍ଚୟ ଆଉ କେହି । ଆଉ କିଏ ? ଛାତି ଭିତର ମୋର ଦମକିଉଠିଲା । ମୁଁ ଗୋଟିଏ ଗଛକୁ ଆଉଜି ଠିଆ ହୋଇ ରହିଲି ।

 

ଏଡ଼ିକି ନିର୍ଭୟ, ଏଡ଼ିକି ଦୁଷ୍ଟ ତୁ, ମୋତେ ଅପେକ୍ଷା ନକରି କିଛି ନକହି ତାଙ୍କ ପାଖକୁ ସିଧା ସିଧା ଚାଲିଗଲୁ । ବିମଳ ଜ୍ୟୋତ୍ସ୍ନାଲୋକରେ ସବୁ ସ୍ପଷ୍ଟ ଦେଖାଯାଉଥାଏ । ତୋତେ ମୁଁ ବାଧା ଦେଲି ନାହିଁ । ବାଧା ଦେଇପାରିଲି ନାହିଁ । ଗୋଟାଏ ଅଧୀର ଅସ୍ପଷ୍ଟ ଚିନ୍ତାର ଛାୟା ମୋର ମନଟାକୁ ଘୋଡ଼ାଇରଖିଲା । ମୁଁ ଚକ୍ଷୁରେ ତୋର ଶିଶୁ-ସାହସ ଦେଖିବାକୁ ତନ୍ମୟ ହୋଇ ଚାହିଁରହିଲି ।

 

ତୁ ତାଙ୍କ ନିକଟରେ ହେଲାରୁ ସେ ତୋତେ ଦେଖି ଠିଆ ହେଲେ, ତୁ ମଧ୍ୟ ଠିଆ ହୋଇ ରହିଲୁ । ମୁଁ ଚାହିଁଲି, ଜ୍ୟୋତ୍ସ୍ନାଲୋକରେ ତାଙ୍କର ମୁହଁଟି ଠିକ୍‌ ଚିହ୍ନି ହେଉଥାଏ, ବିଜୟ ମୋର ଚିର ଆରାଧ୍ୟ ଦେବତା, ତୋର ପିତା ବିଜୟ ମଲ୍ଲ । ଚିହ୍ନନ୍ତି ନାହିଁ ? କେତେ ଜ୍ୟୋତ୍ସ୍ନାରାତି ତାଙ୍କରି ସଙ୍ଗେ ମହାନଦୀ କୂଳରେ ବୁଲିଛି । ବଞ୍ଚିଥାଉଣୁ ସେ ସୁନ୍ଦର ମୁହଁଟିକୁ ଭୁଲିପାରନ୍ତି କେମିତି ? ଦେଖିଲି, ସେ ଦିନ ଯାହା ଆଜି ମଧ୍ୟ ସେଇଆ । ଟିକିଏ ପରିବର୍ତ୍ତନ ନାହିଁ । ମୁଁ ମୁଗ୍‌ଧ ଚକ୍ଷୁରେ ତାଙ୍କର ଚନ୍ଦ୍ରିକା-ଧୌତ ମୁହଁଟିକୁ ଚାହିଁରହିଲି ।

 

ତୁ ତାଙ୍କୁ ଚିହ୍ନିପାରି ଆନନ୍ଦରେ ଚିତ୍କାର କରି କହିଲୁ, ହେଇ ଲୋ ବୋଉ, ସେଇ ବାପା ଆଇଚି । ଛୁଟି ପଳାଇଆସିବାକୁ ଦୁଇପାଦ ଆଗକୁ ଆସିଛୁ, ସେ ବିଜୁଳି ବେଗରେ ଆସି ତୋତେ ଧରି ଶୂନ୍ୟେ ଶୂନ୍ୟେ ଉଠାଇନେଲେ । ତୋତେ ଛାତିରେ ଭିଡ଼ିଧରି ତୋର ନଗ୍ନ ଦେହକୁ ହାତରେ ଆଉଁସିବାକୁ ଲାଗିଲେ । ପିତା ପୁତ୍ରର ସେହି ପ୍ରଥମ ମିଳନ ଦେଖି ମୁଁ ନିର୍ବାକ୍‌ ନିସ୍ପନ୍ଦ ହୋଇ ରହିଲି-

 

ସେ ତୋତେ ସେହିପରି ଧରି ମୋ ପାଖକୁ ଆସି ମୋ ଆଗରେ ଠିଆ ହେଲେ । ଇଚ୍ଛା ହେଲା ତାଙ୍କର ଦୁଇପାଦ ଧରି କେତେ କଣ କହିଯିବି । ଗୋଡ଼ ଚଳିଲା ନାହିଁ । ପୂର୍ବପରି ଗଛକୁ ଆଉଜି ଠିଆହୋଇ ରହିଲି । ଦୁଇଆଖିରେ ଲୋତକ ପୂର୍ଣ୍ଣ ହୋଇଗଲା । ମୁଁ ତାଙ୍କ ମୁହଁକୁ ଚାହିଁ ଭଲ କରି ଦେଖିପାରିଲି ନାହିଁ ।

 

ସେ ଆକୁଳ କଣ୍ଠରେ ଡାକିଲେ, ଜୟନ୍ତି !

 

ମୋର ପେଟ ଭିତରୁ କୋହ ଉଠିଲା । ମୁଁ ନିରୁତ୍ତର ରହିଲି ।

 

ସେ ଭଗ୍ନ କଣ୍ଠରେ କହିଲେ, ଜୟନ୍ତି, ମୁଁ ତମ ନିକଟରେ ଅପରାଧୀ । କ୍ଷମା ପାଇବାର ଆଶା ମୋର ନାହିଁ । ତଥାପି, କ୍ଷମା ମାଗୁଛି । ସେ ଟିକିଏ ତୁନି ରହି ପୁଣି କହିଲେ, ପ୍ରତ୍ୟେକ ଦୋଷର କୈଫିୟତ୍‌ ଥାଏ ପ୍ରିୟେ; ମୋର ଦୋଷର ମଧ୍ୟ କୈଫିୟତ୍‌ ଅଛି । ତମକୁ ମୁଁ ଭୁଲିନାହିଁ, କିନ୍ତୁ ତମକୁ ମୁଁ ଅବହେଳା କରିଛି । ତମର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିଛି । କାହିଁକି ଜାଣ ? କେବଳ ସ୍ୱାର୍ଥ ପାଇଁ ।

 

ଏତିକି କହି ସେ ତାଙ୍କ ଆଖିରୁ ଲୁହ ପୋଛିଲେ । କହିଲେ, ନିରୁତ୍ତରା ରହୁଛ କାହିଁକି ? ତୁମେ ଶୁଣ, ଜୀବନର ଭୟରେ ମୁଁ ଏତେବଡ଼ ଅନ୍ୟାୟ କରିଛି, ତମର ଜୀବନକୁ ଦୁଃଖମୟ କରି ମୋର ଏହି ଶିଶୁଟିକୁ ଅନାଥ କରିଛି । ମୁଁହିଁ ପାଷାଣ୍ଡ, ମୋତେ କ୍ଷମା କର ।

 

ଯୁଦ୍ଧରେ ସନ୍ଧି ହେଲା ପରେ ଫେରିଯିବାକୁ ଯେତେବେଳେ ରାଜାର ଆଦେଶ ପାଏଁ, ମୁଁ ଆଉ ଅପେକ୍ଷା କରିବାକୁ ବେଳ ପାଇଲି ନାହିଁ । ତଥାପି, ଫେରିବା ପୂର୍ବରୁ ଥରେ ଦେଖା କରିବାକୁ ଯାଇଥିଲି, ଦେଖା ହେଲା ନାହିଁ । ପଥର ଉପରେ ତର ତର ହୋଇ ଦୁଇ ଚାରୋଟି ଧାଡ଼ି ଲେଖି ମୁଁ ଫେରିଆସିଲି । ମହାରାଜାଙ୍କ ଭୟରେ ତୁମକୁ ସଙ୍ଗରେ ଆଣିପାରିଲି ନାହିଁ । ଭାବିଥିଲି, ପରେ ତାଙ୍କର ଅନୁମତି ନେଇ ତୁମକୁ ନେଇଆସିବି । ସଂସାର ଆଗରେ ତମକୁ ଧର୍ମପତ୍ନୀରୂପେ ଗ୍ରହଣ କରିବି ।

 

କିନ୍ତୁ ହେଲା କଅଣ ଜାଣ ଜୟନ୍ତି ? ଦେଶକୁ ବିଜୟୀ ହୋଇ ଫେରିଲା ପରେ ମହାରାଜା ମୋ ଉପରେ ସବୁ ସମ୍ମାନ ଢାଳିଦେଲେ । ମୋତେ ସେନାପତି ପଦରେ ବରଣ କରି ତାଙ୍କର ଏକମାତ୍ର କନ୍ୟା ଇନ୍ଦିରା ଦେବୀଙ୍କ ସଙ୍ଗେ ମୋର ବିବାହ ପ୍ରସ୍ତାବ ପଠାଇଲେ । ରାଜ୍ୟର ରାଜକର୍ମଚାରୀଙ୍କଠାରୁ ଆରମ୍ଭ କରି ଦେଶଲୋକେ ସମସ୍ତେ ଏ ପ୍ରସ୍ତାବ ଶୁଣି ଖୁସି ହେଲେ । ବିବାହ ପୂର୍ବରୁ ସୁଦ୍ଧା ରାଜା ମୋତେ ଜାମାତା ଚକ୍ଷୁରେ ଦେଖି ମୋତେ ସମ୍ମାନ ଦେଖାଇଲେ । କେବଳ ଉଚ୍ଚାଶା ଲୋଭରେ, ରାଜାର ଅପ୍ରିୟପାତ୍ର ହେବା ଭୟରେ, ମୁଁ ସବୁ ବିଷୟ ଗୋପନ ରଖିଲି । ନରାଧମ ମୁଁ । ଏଣେ ଇନ୍ଦିରାଦେବୀଙ୍କ ସଙ୍ଗେ ମୋ’ର ଘନିଷ୍ଠତା ଦିନୁଦିନ ବଢ଼ିବାକୁ ଲାଗିଲା । ଜୟନ୍ତି, ପ୍ରିୟତମେ, ଯୁବତୀର ରୂପମୋହ, ଚଳନ ଭଙ୍ଗୀ, ଯୁବତୀର ତୀବ୍ର କଟାକ୍ଷ ସହି ଧୈର୍ଯ୍ୟ ଧରି ରହିବା ତରୁଣ ପକ୍ଷେ ସହଜ ନୁହେଁ ।

 

ତମ ନିକଟରେ ଲୁଚାଇ ରଖିବାର ମୋର କିଛି ନାହିଁ । ଯେତେବେଳେ ଶେଷରେ ତୁମକୁ ମୁଁ ହୃଦୟରେ ଚିରଦିନ ବାନ୍ଧି ରଖିବାକୁ ଫେରିପାଇଛି, ମୋର ଦୁଃଖ ଭବିଷ୍ୟତରେ ତମେ ସବୁ ଶୁଣିବ । ବର୍ତ୍ତମାନ ସବୁକଥା ଟିକି ଟିକି କରି ବର୍ଣ୍ଣନା କରି କହିବାକୁ ମୋର ଧୈର୍ଯ୍ୟ ନାହିଁ । ଅପରାଧୀ ପରା ମୁଁ ! ବିବେକର ତୀବ୍ର ତାଡ଼ନା ବିରୁଦ୍ଧରେ ଯୁଦ୍ଧ କରି ସମ୍ମାନ ଲୋଭରେ, ରାଜକନ୍ୟାର ରୂପ ମୋହରେ ମୁଁ ପଶୁତ୍ୱ ବରଣ କଲି ଜୟନ୍ତି, ରାଜକନ୍ୟାକୁ ବିବାହ କଲି ।

 

କିଛିଦିନ ପରେ ମୋର ଅନୁତାପ ମୂର୍ତ୍ତିମାନ ହୋଇ ଉଗ୍ରମୂର୍ତ୍ତି ଧରି ମୋ ଆଗରେ ଠିଆ ହେଲା । ଜ୍ୱଳନ୍ତ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ମୋ’ର ବେଳ କଟିଲା । ସେତେବେଳେ ଆଉ ଉପାୟ କଣ ଅଛି ଜୟନ୍ତି, ମୋର ଭାବନାର ସବୁ ପଥ ରୁଦ୍ଧ ହୋଇଯାଇଛି । ମୁଁ ଯେ ତୁମକୁ ବିବାହ କରିଥିଲି, ଏକଥା ତ କେହି ଜାଣନ୍ତି ନାହିଁ । ଯଦି ଆଜି ପ୍ରକାଶ କରେ, ମୋର ଗତି ହେବ କଅଣ ? ଇନ୍ଦିରା ଭାବିବେ କଅଣ ! ରାଜା ଓ ରାଜପୁତ୍ରଙ୍କର କୋପରୁ ନିବର୍ତ୍ତି ପାରିବି ତ ? ଦେଶରେ ଯେଉଁ ନିନ୍ଦା ରଟିବ, ସେଥିକି ଭାବନା ନାହିଁ । ଆମର ଗୁପ୍ତ ବିବାହ କଥା ଜାଣିଲେ, ରାଜାର କୋପବହ୍ନି ପ୍ରଜ୍ୱଳିତ ହୋଇଉଠିବ । ଗଜପତିର କ୍ରୋଧ, ଯମର କ୍ରୋଧରୁ ଅଳ୍ପ ନୁହେଁ ଜୟନ୍ତି । ସ୍ନେହ ମମତାରେ ଜଳାଞ୍ଜଳି ଦେଇ ସେ ଅକ୍ଲେଶରେ ନିଜର ପୁତ୍ରକୁ ଶୂଳି ଖୁଣ୍ଟରେ ଚଢ଼ାଇପାରନ୍ତି । ମୁଁ ତ ସାମାନ୍ୟ ଲୋକଟିଏ ।

 

ଜୀବନ ଭୟରେ ମୁଁ ଅଦ୍ୟାପି କିଛି କାହାରି ଆଗରେ ପ୍ରକାଶ କରିନାହିଁ । ତମ ସଙ୍ଗେ ଦେଖା କରିବାକୁ ଅନେକ ସମୟରେ ମୋର ଇଚ୍ଛା ହୁଏ, ପ୍ରାଣ ମୋର ଅସ୍ଥିର ହୋଇପଡ଼େ । କିନ୍ତୁ, ତୁମପ୍ରତି ଯେଉଁ ଅନ୍ୟାୟ କରିଛି, କେଉଁ ସାହସରେ ମୁଁ ତୁମକୁ ମୋର ନିର୍ଲ୍ଲଜ ମୁହଁ ଦେଖାଇବି କହିଲ ?

 

ଏତିକି କହି ବିଜୟ ପୁଣି ଆଖିର ଲୁହ ପୋଛି କହିଲେ, ମୋତେ କ୍ଷମା କର ଦେବି, ମୋର ପାପର ପ୍ରାୟଶ୍ଚିତ୍ତ ନାହିଁ । ଅନୁତପ୍ତ ସ୍ୱାମୀକୁ କ୍ଷମା କରିବାର ସମ୍ପୂର୍ଣ୍ଣ ଅଧିକାର ତମର ଅଛି-। ମୁଁ ପାଷାଣ୍ଡ, ମୁଁ ମୂର୍ଖ । ଯାହା କରିଛି, ସ୍ୱାର୍ଥ ପାଇଁ କରିଛି । ସେନାପତିର ଅଯୋଗ୍ୟ ମୁଁ, ବଡ଼ ଭୀରୁ, ବଡ଼ କାପୁରୁଷ ।

 

ସେ ପୁଣି କହିଲେ, ଦୁଃଖର ଦିନ ଆମର ଶେଷ ହୋଇଛି । ଆଜି ମୋର ଏହି ଶିଶୁ ପୁତ୍ରକୁ ବକ୍ଷରେ ଧରି ମୁଁ ମହାଶାନ୍ତି ଉପଲବ୍‌ଧି କରୁଛି । ରାଜା ଜାଣନ୍ତୁ, ଇନ୍ଦିରା ଜାଣନ୍ତୁ, ରାଜ୍ୟଲୋକେ ସମସ୍ତେ ଜାଣନ୍ତୁ । ମୋର ଆଉ ସେଥିକି ଭାବନା ନାହିଁ, ଭୟ ନାହିଁ । ରାଜା ଯେଉଁ ଦଣ୍ଡ ମୋ ଉପରେ ନ୍ୟସ୍ତ କରିବେ, ମୁଁ ଅମ୍ଳାନ ବଦନରେ ତାହା ବରଣ କରିବି । ତଥାପି, ବିଶ୍ୱଆଗରେ ଜୟନ୍ତୀ ସଙ୍ଗରେ ମୋର ସମ୍ବନ୍ଧ ଅବଶ୍ୟ ପ୍ରକାଶ କରିବି । ପାପର ପ୍ରାୟଶ୍ଚିତ୍ତ ହେବ, ହେଉ । ମୋର ଅନୁତାପର ଅନ୍ତ ହେବ ତ । କଥା କହ ଜୟନ୍ତୀ, ତୁନି ରହୁଛ କାହିଁକି ?

 

ମୁଁ ମୋ ହୃଦୟର ଉଦ୍‌ବେଗକୁ ଅତି କଷ୍ଟରେ ଚାପି ରଖି କହିଲି, କଣ କରିବି ପ୍ରଭୁ ! ଜୟନ୍ତୀ ତମର ସମ୍ପୂର୍ଣ୍ଣ ଅଯୋଗ୍ୟା ।

 

ଆଉ କହିପାରିଲି ନାହିଁ ।

 

ସେ ତୋତେ ତଳେ ଓହ୍ଲାଇ, ମୋ’ର ହାତ ଧରି କହିଲେ, ଅଭିମାନ କରି, ମୋର ପ୍ରାଣର ଦାରୁଣ ଅନୁତାପାନଳରେ ଆଉ ଘୃତାହୂତି ଦିଅନା ପ୍ରିୟେ ! ବରଂ, ମୁଁ ତୁମର ଅଯୋଗ୍ୟ ସ୍ୱାମୀ । ସତୀ ନାରୀର ସ୍ୱାମୀ କହି ବିଶ୍ୱବକ୍ଷରେ ଗର୍ବ ଅନୁଭବ କରିବାର ଭରସା ମୋ’ପରି ଜଣେ ସ୍ୱାର୍ଥପର, ଲମ୍ପଟର ନାହିଁ । ନା, ତମର ଏହି ଦୀନହୀନ ବେଶ ଦେଖି ମୁଁ ଆଉ ସହିପାରିବି ନାହିଁ । ମୋ ପାଇଁ ଅନେକ କଷ୍ଟ ସହିଛ, ଆହୁରି ଗୋଟିଏ ରାତି ସହିବାକୁ ହେବ । ମୋତେ ବିଦାୟ ଦିଅ । ମୁଁ ତୁମକୁ ଏପରି ଦୀନହୀନ ବେଶରେ ଗ୍ରହଣ କରିବି ନାହିଁ ।

 

ଦେବୀ ଗୋଟିଏ ରାତି ଅପେକ୍ଷା କର । କାଲି ସକାଳେ କେହି ଜାଣିବେ ନାହିଁ, ମୁଁ ଆସି ତୁମକୁ ରାଜରାଣୀର ସମ୍ମାନ ଦେଇ ନେଇଯିବି । ତାପରେ ଇନ୍ଦିରା ଜାଣନ୍ତୁ, ରାଜା ଜାଣନ୍ତୁ, ରାଜ୍ୟଲୋକେ ଜାଣନ୍ତୁ । ସେନାପତି ଆସନରୁ ଓହ୍ଲାଇବାକୁ ହେବ, ଚିନ୍ତା ନାହିଁ । ରାଜ୍ୟ ଛାଡ଼ି ଚାଲିଯିବାକୁ ଯଦି ଆଦେଶ ହୁଏ, କ୍ଷତି ନାହିଁ । ପ୍ରାଣଦଣ୍ଡ ହେଲେ ମଧ୍ୟ ଭୟ ନାହିଁ । ତମ ପ୍ରତି ଯେଉଁ ଅନ୍ୟାୟ କରିଛି, ତାର ପ୍ରାୟଶ୍ଚିତ୍ତ କରିବାକୁ ମୁଁ କୁଣ୍ଠିତ ନୁହେଁ ଜୟନ୍ତି, ବିଦାୟ ଦିଅ ଗୋଟିଏ ରାତି ପାଇଁ । ତମର ଏ ମଳିନ ବେଶ ଦେଖି ସହିବାର ଧୈର୍ଯ୍ୟ ଆଉ ମୋର ନାହିଁ ।

 

ମୋତେ ସବୁ ସ୍ୱପ୍ନ ପରି ଲାଗୁଥାଏ ବାପ, ବିଜୟ ଯାହା କହୁଥାନ୍ତି, ସବୁ ଶୁଣୁଥାଏ; ମାତ୍ର ବୁଝିବାର ଶକ୍ତି ସେତେବେଳେ ମୋର ନଥିଲା । ସେ ଉତ୍ତେଜିତ ହୋଇପଡ଼ିଥିଲେ । ପାଗଳ ପରି କେତେ କଣ କହିଗଲେ । ସବୁ ଶୁଣୁଥାଏଁ, ଏତିକି ମାତ୍ର ବୁଝିଲି ବାପ, ତାଙ୍କର ପ୍ରତ୍ୟେକ କଥାରୁ ଗଭୀର ଅନୁଶୋଚନା, ଜ୍ୱଳନ୍ତ ବ୍ୟଥା ଓ ଉନ୍ମାଦନା ଫୁଟିଉଠୁଥାଏ । ଯେତେବେଳେ ସେ ତୋର କପାଳ ଚୁମ୍ବନ କରି, ମୋଠାରୁ ରାତିକ ପାଇଁ ବିଦାୟ ନେଇ ପାଗଳ ପରି ଅସ୍ଥିର ହୋଇ ଚାଲିଗଲେ, ମୁଁ ଉଦାସ ଚକ୍ଷୁରେ ତାଙ୍କରି ଗତିପଥକୁ ଚାହିଁରହିଲି ।

 

କେତେବେଳ ଯାଏ ଚାହିଁରହିଲି, ମନେ ମନେ କେତେ କଣ ଭାବିଲି, ମୁଁ କହିପାରିବି ନାହିଁ । ତା ପରେ ତୁ ମୋର କାନି ଟାଣି ପଚାରିଲୁ, ବୋଉ, ବାପା ଆଉ କେବେ ଆସିବ ?

 

ମୁଁ ମୋର ଚିନ୍ତା ରାଜ୍ୟରୁ ଫେରିଆସିଲି ବାସ୍ତବ ଜଗତକୁ । ତୋତେ କୋଳରେ ଧରି ଧର୍ମଶାଳାକୁ ଫେରିଆସିଲି, ଚିନ୍ତାକୁଳ ପ୍ରାଣରେ । ତୋ’ର କଥାର ଉତ୍ତର ଦେବାକୁ ଭୁଲିଗଲି ।

 

ଏକାଦଶୀର ଚନ୍ଦ୍ର ପଶ୍ଚିମ ଆକାଶକୁ ଢଳିପଡ଼ିଲା । ରାତି ଅଧିକ ହେବାରୁ ତୁ ମଧ୍ୟ ନିଦରେ ମୋ କୋଳରେ ଢଳିପଡ଼ିଲୁ । ମୁଁ ପାନ୍ଥଶାଳାର ବାରଣ୍ଡା ଉପରେ ବସି ତାଙ୍କର ପ୍ରତ୍ୟେକ କଥାକୁ ଭଲ କରି ଭାବି ବୁଝିବାକୁ ଚେଷ୍ଟା କଲି । ବୁଝିଲି–ସେ ନିଶ୍ଚୟ କାଲି ଆସି ଆମ ଦୁହିଁଙ୍କୁ ନେଇଯିବେ । ଜଗତ୍‌ ଆଗରେ ସବୁ ସତ୍ୟ ପ୍ରକାଶ କରିବେ । ହୁଏତ ତାଙ୍କୁ ରାଜାର ବିରୋଧୀ ହେବାକୁ ପଡ଼ିବ, ମୋରି ପାଇଁ । ଫଳରେ ରାଜାର କଠୋର ଦଣ୍ଡାଜ୍ଞା ବରଣ କରିବାକୁ ହେବ ମୋରି ପାଇଁ ।

 

ଅନିଶ୍ଚିତ ଆଶଙ୍କାରେ ମୋର ଛାତି ଥରିଉଠିଲା । ମୋ’ରି ପାଇଁ ତାଙ୍କୁ ଏତେ ଦୁଃଖ ବରଣ କରିବାକୁ ହେବ ? ମୁଁ ଜୀବନରେ ଥାଉଁଣୁ କିପରି ତାଙ୍କର ଦୁଃଖ ଦେଖି ସବୁ ସହି ସ୍ଥିର ହୋଇ ରହିପାରିବି ? ତାଙ୍କର ଜୀବନ ଅଶାନ୍ତିମୟ ହେବ ? ମୁଁ କାହିଁକି ଜାଣୁ ଜାଣୁ ମୋର ପ୍ରିୟତମ ସ୍ୱାମୀର ଅଶାନ୍ତିର କାରଣ ହେବି ? ହୁଏ ତ ତାଙ୍କୁ ପାଇ ମଧ୍ୟ ରାଜାର କୋପରୁ ତ୍ରାହି ପାଇପାରିବି ନାହିଁ ।

 

ମୋର ସ୍ୱାମୀ ଜୀବିତ, ମୋ ସ୍ୱାମୀ ଦେଶର ସେନାପତି, ମୋର ସ୍ୱାମୀ ତାଙ୍କର ସ୍ତ୍ରୀ ପୁତ୍ର ପାଇଁ ସବୁ ବିପଦ, ସବୁ ଅପମାନ ହସି ହସି ଗ୍ରହଣ କରିବାକୁ ପ୍ରସ୍ତୁତ ! ଏଇ ତ ମୋର ଯଥେଷ୍ଟ ! ସେ ପ୍ରତାରକ ନୁହଁନ୍ତି, ସେ ଭୀରୁ କାପୁରୁଷ ନୁହନ୍ତି । ସେ ମୋତେ ଭଲ ପାଆନ୍ତି । ତାଙ୍କର ଅଜାଣତରେ ଜନ୍ମ ହୋଇଥିବା ତାଙ୍କରି ପୁତ୍ରକୁ ସେ କାଳକୁ ନେଇଛନ୍ତି । ତାଙ୍କର ମୋ ଉପରେ ଅକୁଣ୍ଠିତ ବିଶ୍ୱାସ । ତାଙ୍କର ପ୍ରେମ ଜୀବନ୍ତ ଓ ପବିତ୍ର । ଧନ୍ୟ ତାଙ୍କ ହୃଦୟର ବିଶାଳତା, ମନର ମହତ୍ତ୍ୱ ।

 

ନା, ତାଙ୍କର ଉନ୍ନତି ପଥରେ କଣ୍ଟକ ହେବି ନାହିଁ କେବେ । ମୋରି ପାଇଁ ତାଙ୍କର ପାରିବରିକ ଜୀବନକୁ ତିକ୍ତ କରିବି ନାହିଁ । ଜାଣୁ ଜାଣୁ ସ୍ୱାମୀଙ୍କୁ ବିପଦଗ୍ରସ୍ତ କରିବି ନାହିଁ । ମୁଁ ଜାଣେ ଓ ସେ ଜାଣନ୍ତି, ସେ ମୋର ସ୍ୱାମୀ ଓ ମୁଁ ତାଙ୍କର ପତ୍ନୀ । ତ୍ୟାଗହିଁ ନାରୀର ଧର୍ମ ! ସହିବା ନାରୀର ଶ୍ରେଷ୍ଠ କର୍ତ୍ତବ୍ୟ, ତା ପୁଣି ପର ପାଇଁ ନୁହେଁ, ସ୍ୱାମୀ ପାଇଁ, ଦେବତା ପାଇଁ !

 

ଭାବୁ ଭାବୁ ମୁଁ ଉତ୍ତେଜନାରେ ବିହ୍ୱଳ ହୋଇପଡ଼ିଲି । ଅତୀତର ପୁଞ୍ଜୀଭୂତ ବେଦନା ମୋ ହୃଦୟରୁ ଅନ୍ତର୍ହିତ ହେଲା । ମୋ ମନରେ ନୂତନ ଆନନ୍ଦର ଢେଉ ଖେଳିଗଲା । ତ୍ୟାଗ, ତ୍ୟାଗ, ତ୍ୟାଗର ମହତ୍ତ୍ୱ ଦିନେ ବିଶ୍ୱ ବୁଝିବ ! ତ୍ୟାଗର ମହାମନ୍ତ୍ରରେ ବିଶ୍ୱର ଶତ ସହସ୍ର ପ୍ରାଣୀ ଦୀକ୍ଷିତ ହେବେ ମୋରି ଆଦର୍ଶ ନେଇ ।

 

ମୁଁ ଦୀର୍ଘଶ୍ୱାସ ଛାଡ଼ିଲି । ପ୍ରାଣର ସବୁ ଦୁଃଖ କୁଆଡ଼େ ଉଭେଇଗଲା ।

 

ପୁଣି ଭାବିଲି, କୁଆଡ଼େ ଯିବି, କାହିଁ ବା ଆତ୍ମଗୋପନ କରିବି ? ଶିଶୁଟିର ପ୍ରାଣ ବଞ୍ଚାଇରଖିବି କିପରି ? ହତାଶ ହେଲି । କିପରି ବା ଯିବି ? ମୋ ସାଧନା ପଥର ସହାୟକ ହେବ କିଏ ? ଯହିଁ ଯାଏ, ଆଜି ରାତି ନ ପାହୁଣୁ ଯିବାକୁ ହେବ । ନୋହିଲେ ରକ୍ଷା ନାହିଁ । ସକାଳେ ବିଜୟ ମଲ୍ଲ ଆସିବେ । ସେ ଉତ୍ତେଜିତ ହୋଇଛନ୍ତି । ମୋ ମନକଥା ଜାଣିପରିଲେ ମୋତେ ଆଉ ଛାଡ଼ିଦେବେ ନାହିଁ । ସଙ୍ଗରେ ନେବେ । ସମସ୍ତେ ଜାଣିବେ ।

ମହାରାଜା କୋପ କରିବେ ବିଜୟ ମଲ୍ଲ ପ୍ରତାରଣା କରିଚନ୍ତି । ଆଗରୁ ପତ୍ନୀ ଓ ପୁତ୍ର ଥାଇ ମଧ୍ୟ ସବୁ ବିଷୟ ଗୋପନ ରଖିଛନ୍ତି । ରାଜଜେମାଙ୍କର ପାଣି ଗ୍ରହଣ କରିଛନ୍ତି । ସେ ଅପରାଧୀ । ଅପରାଧୀକୁ କି ଦଣ୍ଡ ଦିଆଯିବ ?

ପ୍ରାଣଦଣ୍ଡ !

ମୁଁ ହେବି ମୋର ଜୀବନ-ସର୍ବସ୍ୱ ପତିଙ୍କର ମରଣର କାରଣ ? ମୋର ଶିଶୁ ପୁତ୍ର ଜୟନ୍ତର ପିତୃହନ୍ତା ? ଦେହ ଥର ଥର ହୋଇ କମ୍ପିଲା । ଆତ୍ମା କୁହାଟ ଛାଡ଼ିଲା, ନା, ନା, ନା.....

କେଜାଣି କିପରି ସେଦିନ ବାବାଜୀ ସନ୍ଧ୍ୟାପରେ ଆସି ଉପସ୍ଥିତ ହେଲେ । ତାଙ୍କୁ ଦେଖି ମନରେ ମୋହର ସାହସ ହେଲା । ସେ ମୋତେ ଦେଖିବା ସଙ୍ଗେ ସଙ୍ଗେ ପାଖକୁ ଆସି କହିଲେ ଦେବୀ, ଧବଳେଶ୍ୱର ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥିଲି । ତୁମର ସବୁ ଦୁଃଖ ତାଙ୍କୁ ଜଣାଇଁଛି-। ସମାଧିସ୍ଥ ହୋଇ ଧ୍ୟାନ କରୁଥିଲି । ମନେହେଲା ସ୍ୱୟଂ ଦେବ ଦେବ ମହାଦେବ ମୋ ଆଗରେ ଆସି ଦଣ୍ଡାୟମାନ ହେଲେ । କହିଲେ, ମହାସତୀ ଜୟନ୍ତୀର ମନକାମନା ପୂର୍ଣ୍ଣ ହେବ । ତାର ପୁତ୍ର ଜୟନ୍ତ ଦିନେ ରାଜଚକ୍ରବର୍ତ୍ତୀ ହେବ । ଏଇ ଦୈବବାଣୀ ତୁମକୁ ଜଣାଇଦେବାକୁ ଆସିଛି-

ବାବାଜୀଙ୍କର ସ୍ନେହଶୀଳ ପ୍ରଳାପ ଶୁଣିବାକୁ ମୋର ଆଗ୍ରହ ନଥାଏ । କିପରି ମୋର ସ୍ୱାମୀଙ୍କର ଜୀବନ ଓ ସମ୍ମାନ ରକ୍ଷା କରିପାରିବି ସେହି କଥା ମୁଁ ବିଚାରୁଥାଏ । ଗୋଟି ଗୋଟି କରି ପ୍ରତ୍ୟେକ ଘଟଣା ବର୍ଣ୍ଣନା କଲି । ବାବାଜୀ ଅତି ଆଗ୍ରହରେ ସବୁ ଶୁଣିଗଲେ । ମୁଁ ମୋର ଉଦ୍ଦେଶ୍ୟଟି ଖୋଲି କହିଲି । ସେ ବ୍ୟସ୍ତ ହୋଇ କହିଲେ, ଜୟନ୍ତି, ଯେଉଁ ତ୍ୟାଗ କରିବାକୁ ବସିଛ, ଯେପରି ସହଜ ମନେକରୁଛ, ସେପରି ନୁହେଁ । ତମର ଉଦ୍ଦେଶ୍ୟ ଅବଶ୍ୟ ଅତି ମହତ୍‌; କିନ୍ତୁ ସାଧନା କରିବାକୁ ସାହସ, ଶକ୍ତି, ଧୈର୍ଯ୍ୟ ଥିଲେ ହେଲା । ପାରିବ ତ ? ଦୁଃଖ କଷ୍ଟ ସହି, ମାନାଭିମାନକୁ ଦୂରକୁ ଫିଙ୍ଗି ସନ୍ନ୍ୟାସିନୀ ହୋଇପାରିବ ?

କହିଲି, କାହିଁକି ପାରିବି ନାହିଁ ? ଯଦି ମୋର ଅର୍ଜୁନଭାଇ, ମୋର ପରମଗୁରୁ ମହାସନ୍ନ୍ୟାସୀ ମୋର ପଥପ୍ରଦର୍ଶକ ହୁଅନ୍ତି, ମୁଁ ତାଙ୍କରି ପଛେ ପଛେ ଚାଲିବି । ମୋର ଦେବତା, ମୋର ସ୍ୱାମୀ ବିଜୟ ମଲ୍ଲଙ୍କର ଆତ୍ମଜ ଏଇ ଟିକି ବିଜୟ ମଲ୍ଲ ଜୟନ୍ତକୁ କୋଳରେ ଧରିଲେ ମଣିବି ବିଜୟ ମୋର ପାଖେ ପାଖେ ଅଛନ୍ତି । ଗୁରୁଦେବ, ମୋତେ ସହାୟ ହୁଅ । ରାତି ନପାହୁଣୁ ଅନ୍ୟ କେଉଁ ଗୋପନ ସ୍ଥାନକୁ ଆମକୁ ନେଇଚାଲ ।

ମୋତେ ଉତ୍ସାହିତ କରି ସେ କହିଲେ, ସାଧୁ ତମର ଉଦ୍ଦେଶ୍ୟ ଜୟନ୍ତି, ସ୍ୱାମୀର ମଙ୍ଗଳ କାମନା କରି ଯେଉଁ ନାରୀ ସ୍ୱାର୍ଥରେ ଜଳାଞ୍ଜଳି ଦେଇ ଜୀବନର ସବୁ ଆଶା ଭରସା ତ୍ୟାଗ କରି ତପସ୍ୱିନୀ ହେବାକୁ ପ୍ରତିଜ୍ଞା କରେ, ନାରୀସମାଜରେ ସେ ଧନ୍ୟା । ଦେବଦେବ ମହାଦେବ ତାର ସହାୟ ହେବେ । ଶିଶୁଟି ପାଇଁ ଭାବନା କରୁଛ ? ଗୋଟିଏ ଶିଶୁ ? ଯେଉଁ ଭଗବାଙ୍କର ଅପାର କରୁଣାରୁ କୋଟି କୋଟି ମାନବଶିଶୁ ସହସ୍ର ଦୁଃଖ ଦୈନ୍ୟର ମଝିରୁ ଉଠି ସେମାନଙ୍କର ଉନ୍ନତ ଶିର ଟେକି ବିଶ୍ୱବକ୍ଷରେ ବିଚରଣ କରୁଛନ୍ତି, ତାଙ୍କରି ଦୟାର ଅଣୁମାତ୍ର ଲାଭ କରି ଜୟନ୍ତ କଣ ମଣିଷ ହୋଇପାରିବ ନାହିଁ ? କହିଲି ପରା, ଦେବତାଙ୍କର ଆଶୀର୍ବାଦରୁ ଦିନେ ଜୟନ୍ତ ରାଜଚକ୍ରବର୍ତ୍ତୀ ହେବ । ଆତ୍ମଗୋପନ କରିବାକୁ ସ୍ଥାନ ଖୋଜୁଛ ଜୟନ୍ତି ? ପରମପିତା ପରମେଶ୍ୱରଙ୍କ ରାଜ୍ୟରେ କଣ ସ୍ଥାନର ଅଭାବ ଅଛି ?

ତାଙ୍କର ଉତ୍ସାହବାଣୀ ଶୁଣି ମନରେ ସାହାସ ହେଲା । କୃତଜ୍ଞତାରେ ତାଙ୍କର ପାଦତଳେ ମୁଣ୍ଡ ଲଗାଇ କହିଲି, ଗୁରୁଦେବ, ନାରୀ ମୁଁ, ଅତି ଦୁର୍ବଳା, ନିଃସହାୟା, ଅଜ୍ଞାନମାତ୍ର । ଭଗବାନଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ କରିବାକୁ ମୋର ହୃଦୟରେ ବଳ ଦିଅ । ମୋତେ, ଆଲୋକ ଦେଇ ପଥ ଦେଖାଅ-। ମୁଁ ମୋର ନୀରବ କର୍ମରେ ବ୍ରତୀ ହେବାକୁ ସାହସୀ ହୁଏଁ ।

ସେ ହାତ ଉଠାଇ ବିହ୍ୱଳ ସ୍ୱରରେ କହିଲେ, ଆଶୀର୍ବାଦ କରୁଛି, ତମ ମନକାମନା ପୂର୍ଣ୍ଣ ହେଉ ।

ତୋତେ କାନ୍ଧରେ ପକାଇ ପାନ୍ଥଶାଳା ପରିତ୍ୟାଗ କରିବାକୁ ବାବାଜୀଙ୍କର ଅନୁସରଣ କଲି । ମୋର ଚକ୍ଷୁ ଆର୍ଦ୍ର ହୋଇଆସିଲା । ହୃଦୟରେ ତୀବ୍ର ବେଦନା ଅନୁଭବ କଲି । ଆହା, ମୋର ପ୍ରାଣର ଦେବତା ବିଜୟକୁ ପାଇ ପୁଣି ଜାଣି ଜାଣି ଛାଡ଼ିଯାଉଛି କେତେ ଦୁଃଖରେ । ଜୀବନରେ କଣ ତାଙ୍କର କରର ମଧୁର ସ୍ପର୍ଶ ଏ ଅଧୀର ବ୍ୟଥିତ ହୃଦୟ ଅନୁଭବ କରିବନାହିଁ ? ଜୀବନଟା କି ଖାଲି ଆକୁଳ ପ୍ରତୀକ୍ଷାର ଜ୍ୱାଳାମୟ ବେଦନାରେ ପୂର୍ଣ୍ଣ ହୋଇପାରିବ ? କେବଳ ଅତୀତ ଜୀବନର ବିଫଳ ଗୀତି ହୃଦୟର ପ୍ରତ୍ୟେକ ତନ୍ତ୍ରୀରେ ଗୁମୁରି ଉଠୁଥିବ ଚିରଦିନ ?

ଦୁଇ ଆଖିରୁ ମୋର ଅଶ୍ରୁଧାର ନିର୍ଗତ ହେଲା ।

ଏକାଦଶୀର ଚନ୍ଦ୍ର ଦିଗ୍‌ବଳୟ କୋଳରେ ମୁହଁ ଲୁଚାଇଲେ । ଚାରିଆଡ଼ ଅନ୍ଧାର ହେଲା-। ସେହି ଅନ୍ଧକାର ଭିତରେ ଚକ୍ଷୁର ଲୋତକ ଲୁଚାଇ ଲୁଚାଇ ବାବାଜିଙ୍କର ପଛେ ପଛେ ଚାଲିଲି, ନିର୍ମଳ ଆକାଶରେ ଫୁଟିଥିବା ଲକ୍ଷ ତାରକାର ଅସ୍ପଷ୍ଟ ଆଲୋକରେ ।

ଏହି ନିରୋଳା କୁଟୀରଟିରେ ନାନା ଦୁଃଖର ଆଘାତ ସହି ପନ୍ଦରଟି ବର୍ଷ କଟିଗଲାଣି । ତୋରି ମୁଖ ଦେଖି, ତୋରି କଥା ଶୁଣି, ତୋରି ସେବା କରି ସବୁ ଦୁଃଖ ଭୁଲି ସମୟ କଟାଇଛି । ତଥାପି ଧନ, ବିଜୟଙ୍କର ସ୍ମୃତି ମୋର ଜୀବନକୁ ସବୁବେଳେ ଆବୋରି ରହିଛି । ବେଳେବେଳେ ଭାବେଁ ଜୀବନଟି କି କେବଳ ପ୍ରତୀକ୍ଷାରେ କଟିବ !

ଜୟନ୍ତର ଦୁଇ ଆଖିରୁ ଅଶ୍ରୁଧାର ଝରିଆସିଲା । ସେ ଜନନୀର ଦୁଇ ପାଦରେ ମସ୍ତକ ଲଗାଇ କଇଁ କଇଁ ହୋଇ କାନ୍ଦିଉଠିଲା । ଜୟନ୍ତୀ ତାକୁ ତଳୁ ଉଠାଇଲେ । ମୁଖ ଚୁମ୍ୱନ କରି କହିଲେ, ଦୁଃଖୀଧନ ମୋର, ତୋ ପିତାର ଜୀବନ ଓ ସମ୍ମାନ ରକ୍ଷା ପାଇଁ ତୋତେ ମୁଁ ଦୁଃଖ ଅପମାନରେ ବୁଡ଼ାଇରଖିଛି । ଏବେ ବି ବୃଦ୍ଧ ମହାରାଜ ଜୀବିତ ଅଛନ୍ତି । ପରିଚୟ ଦେଲେ ଏବେ ବି ତୋ’ ପିତାଙ୍କର ଅନିଷ୍ଟ ହୋଇପାରେ ।

ଜୟନ୍ତ କହିଲା, ମୋର ସ୍ନେହମୟୀ ଜନନୀଙ୍କର ଇଚ୍ଛା ହି ମୋର କର୍ତ୍ତବ୍ୟ ।

ସେ ପୁଣି ଜୟନ୍ତୀଙ୍କର ପଦତଳେ ମଥା ନତ କଲା ।

Image